ଇୟରଫୋନ ପାଇଁ ଚାଲିଗଲା ଶ୍ରୁତି ଶକ୍ତି, ଜାଣନ୍ତୁ କିପରି କରିବେ ଇୟରଫୋନର ବ୍ୟବହାର

ଜଣେ ୧୮ ବର୍ଷିୟ ଯୁବକ ଲଗାତାର ଇୟରଫୋନ ବ୍ୟବହାର କରିବା ଦ୍ୱାରା ଶ୍ରୁତି ଶକ୍ତି ହରାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି । ଡାକ୍ତରଙ୍କ କହିବା ଅନୁସାରେ ଯୁବକ ଜଣଙ୍କ ଅତ୍ୟଧିକ ଇୟରବଡ୍ସ ବ୍ୟବହାର କରୁଥିବା ଯୋଗୁଁ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

(କେନ୍ୟୁଜ ବ୍ୟୁରୋ): ବର୍ତ୍ତମାନ ସମୟରେ ଯୁବପିଢିମାନେ ଇୟର ଫୋନର ବହୁଳ ବ୍ୟବହାର କରୁଛନ୍ତି । ଏହି ଇଲେକ୍ଟୋନିକ୍ସ ଜିନିଷ ବ୍ୟବହାର କରିବା ଦ୍ୱାରା ଶରୀରରେ ଅନେକ ଖରାପ ପ୍ରଭାବ ପଡ଼ୁଛି । ସମାନ ଭାବେ ଜଣେ ୧୮ ବର୍ଷିୟ ଯୁବକ ଲଗାତାର ଇୟରଫୋନ ବ୍ୟବହାର କରିବା ଦ୍ୱାରା ଶ୍ରୁତି ଶକ୍ତି ହରାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି । ଡାକ୍ତରଙ୍କ କହିବା ଅନୁସାରେ ଯୁବକ ଜଣଙ୍କ ଅତ୍ୟଧିକ ଇୟରବଡ୍ସ ବ୍ୟବହାର କରୁଥିବା ଯୋଗୁଁ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତେବେ ଏହି ଇୟରଫୋନ ବ୍ୟବହାର କରିବା ପାଇଁ ସଠିକ ଉପାୟ କଣ? କିପରି ଏହାକୁ ବ୍ୟବହାର କରି ହାନିକାରକ ପ୍ରଭାବରୁ ବଞ୍ଚି ପାରିବେ । ଇୟରଫୋନ ବ୍ୟବହାର ବେଳେ କେଉଁ ସବୁ ଜିନିଷକୁ ଧ୍ୟାନ ଦେବା ଜରୁରୀ ।

ଇୟରଫୋନ ବ୍ୟବହାର କରିବା ସମୟରେ ଧ୍ୱନି ସ୍ତରକୁ ମଧ୍ୟମ ଧରଣର ରଖିବା ଉଚିତ । ଅଧିକ ଉଚ୍ଚ ଧ୍ୱନି କାନ ପାଇଁ ହାନିକାରକ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଇୟରଫୋନର ଶବ୍ଦ ୬୦ ପ୍ରତିଶତ କିମ୍ବା ଏହା ଠାରୁ କମ ରହିବା ଉଚିତ । ଇୟରଫୋନ ବ୍ୟବହାର ବେଳେ ଏହାକୁ ସଫା ରଖିବା ଜରୁରୀ । ଇୟରଫୋନ ସଫା କରିବା ପାଇଁ ସଫା କପଡ଼ା ର ବ୍ୟବହାର କରିବା ଉଚିତ । କାରଣ କୀଟାଣୁ ଏହା ଠାରୁ ଦୂରେଇ ରହିବେ ।

ବ୍ୟବହାର କରିବା ପରେ ଏହାକୁ ସଫା ଏବଂ ଶୁଖିଲା ସ୍ଥାନରେ ରଖନ୍ତୁ । ଧ୍ୟାନ ରଖନ୍ତୁ ଏହାକୁ ଏପରି ସ୍ଥାନରେ ରଖିବେ ଯେଉଁଠାରେ ଏହାକୁ କୌଣସି କ୍ଷତି ପହଞ୍ଚିବ ନାହିଁ ଏବଂ ଏହା ଖରାପ ହେବ ନାହିଁ । ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରନ୍ତୁ ନାହିଁ । ସର୍ବଦା ବ୍ୟବହାର କରିବା ଦ୍ୱାରା କାନ ଖରାପ ହେବାର ସମ୍ଭାବନା ଅଧିକ ରହିଥାଏ ।

ଇୟରଫୋନ କିଣିବା ସମୟରେ ଏହାର ଆକାର ଉପରେ ଧ୍ୟାନ ଦିଅନ୍ତୁ । ଉପଯୁକ୍ତ ଇୟରଫୋନ କିଣିବା ଦ୍ୱାରା କାନରେ ସୃଷ୍ଟି ହେଉଥିବା ସମସ୍ୟା କମ ହୋଇଥାଏ । ଅନେକ ଲୋକ ନିଜ ଇୟରଫୋନ ସେୟାର କରିଥାନ୍ତି । ଏହା କରିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ସଂକ୍ରମଣର ବିପଦ ବଢି ଯାଇଥାଏ । ସେହିପରି ଇୟରଫୋନ କାନରେ ଲଗାଇ ଶୋଇ ଯାଉଥିଲେ ଏହି ଅଭ୍ୟାସକୁ ତୁରନ୍ତ ବଦଳାନ୍ତୁ । ଗାଡ଼ି ଚଳାଇବା ସମୟରେ ଇୟରଫୋନ ବ୍ୟବହାର କରନ୍ତୁ ନାହିଁ । ଉଚ୍ଚ ଶବ୍ଦରେ ଗୀତ ଶୁଣୁଥିଲେ ଏହା କାନ ଉପରେ ଭୟଙ୍କର ପ୍ରଭାବ ପକାଇଥାଏ । ତେଣୁ ଇୟରଫୋନ ବ୍ୟବହାର ବେଳେ କମ ଶବ୍ଦରେ ହିଁ ଶୁଣିବା ଉଚିତ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.