ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଲି ଡ୍ୟାମ, କିନ୍ତୁ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଅଞ୍ଚଳବାସୀ

ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଲି ଡ୍ୟାମ । କିନ୍ତୁ ଏହି ଅଞ୍ଚଳରେ ପାଣି ମୁନ୍ଦାଏ ପାଇଁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜଳଭଣ୍ଡାର ଉପରମୁଣ୍ଡରେ ବିସ୍ତୀର୍ଣ୍ଣ ଜଳଭଣ୍ଡାର ଥିବା ବେଳେ ନିମ୍ନରେ ଥିବା ପ୍ରକଳ୍ପ ଅଞ୍ଚଳରେ ଲୋକେ ପାଣିମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି । ଡ୍ୟାମ ଡିଭିଜନ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ପରିସ୍ଥିତି ଉପୁଜିଥିବା ସାଧାରଣରେ ଅଭିଯୋଗ ହୋଇଛି । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରକଳ୍ପ ଅଞ୍ଚଳର କଲୋନୀ, ବଜାର ଓ ବସ୍ତି ବାସିନ୍ଦାଙ୍କୁ ପ୍ରକଳ୍ପ ଆରମ୍ଭ ଦିନଠାରୁ ଡ୍ୟାମ ଡିଭିଜନ୍ ଜଳଯୋଗାଣ କରିଆସୁଛି ।
ଡ୍ୟାମ ନିର୍ମାଣ ସମୟରେ ଅଞ୍ଚଳବାସୀଙ୍କୁ ଦିନକୁ ଦୁଇ ବେଳା ପାନୀୟ ଜଳ ଯୋଗାଣ ହେଉଥିଲା । ପର୍ଯ୍ୟାୟକ୍ରମେ ଡ୍ୟାମ-ଡିଭିଜନର କର୍ମଚାରୀ ହ୍ରାସ ଏବଂ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଦୀର୍ଘ ବର୍ଷ ହେଲା ଦିନକୁ ଥରେ ଜଳଯୋଗାଣ ହେଉଥିଲା । କିନ୍ତୁ ଗତ ଦୁଇ ବର୍ଷ ହେବ ବିଭିନ୍ନ ବାହାନା ଦେଖାଇ ଡ୍ୟାମ କର୍ତ୍ତୃପକ୍ଷ ଦୁଇ ତିନି ଦିନରେ ଥରେ ମାତ୍ର ଜଳଯୋଗାଣ କରୁଛନ୍ତି । ପ୍ରକଳ୍ପ ଆରମ୍ଭରୁ ଡ୍ୟାମ-ଡିଭିଜନ ଫିଲ୍ଟର୍ ହାଉସ୍ ରେ ଛଅଟି ପମ୍ପରେ ବ୍ରାହ୍ମଣୀ ନଦୀରୁ ପାଣି ଉଠାଯାଇ ଫିଲ୍ଟର୍ ହେବା ପରେ ଜଳ ଯୋଗାଣ ହେଉଥିଲା ।
ବର୍ତ୍ତମାନ ତିନୋଟି ପମ୍ପରେ ପାଣି ଉଠାଯାଉଥିବାବେଳେ ପମ୍ପ ଗୁଡିକ କିଛିଦିନ ବ୍ୟବଧାନରେ ଅଚଳ ହେବା ସହ ମରାମତି ହେଉଛି । ଦଶବର୍ଷ ହେବ ଫିଲ୍ଟର୍ ହାଉସ୍ ରେ ପାଣି ଫିଲ୍ଟର୍ ହେଉନାହିଁ । ସେଠାରେ ଫିଲ୍ଟର୍ ହେବାକୁ ଥିବା ଯନ୍ତ୍ରପାତି ଗୁଡିକ ଅଚଳ ହେବା ସହ କଳଙ୍କି ଲାଗିଗଲାଣି । ସେଥିପାଇଁ ଫିଲ୍ଟର୍ ହାଉସ୍ ରେ ପାଣି ଫିଲ୍ଟର୍ ହେବାର କୌଣସି ସୁବିଧା ନାହିଁ । ସିଧାସଳଖ ନଦୀରୁ ଆସୁଥିବା ପାଣି ଉପର ଟାଙ୍କିକୁ ଯାଇ ଅଞ୍ଚଳବାସୀଙ୍କୁ ଦିଆଯାଉଛି । ପାଣିରେ କାଠି କୁଟା, ଛୋଟଛୋଟ ମଲା ମାଛ, ଜଙ୍କ ଲାଗିଥିବା ଲୁହା ଗୁଣ୍ଡ ଆଦି ଆସୁଥିବାବେଳେ ସେହି ଗୋଳିଆ ପାଣି ପିଉଛନ୍ତି ଅଞ୍ଚଳବାସୀ ।
ଏଠାରେ ଜଳଯୋଗାଣର ଅନ୍ୟ କୌଣସି ସୁବିଧା ନଥିବା ବେଳେ ଜୀବନ ବଞ୍ଚାଇବା ପାଇଁ ଅଞ୍ଚଳବାସୀ ଜାଣିଶୁଣି ରୋଗକୁ ବରଣ କରୁଛନ୍ତି । ସେଥିପାଇଁ ଏଠାରେ ଗଳା ରୋଗ ଠାରୁ ଆରମ୍ଭ କରି ଲିଭର୍, କିଡନୀ ଆଦି ରୋଗର ସମସ୍ୟା ବଢିବାରେ ଲାଗିଛି ବୋଲି ଅଭିଯୋଗ ହୋଇଛି । ପାହାଡ ଉପରେ ଥିବା ପାଣି ଟାଙ୍କିରେ ଆଣ୍ଠୁଏ ଆଣ୍ଠୁଏ ପଙ୍କ ସହ ଟାଙ୍କି ଉପର ଆଜବେଷ୍ଟସ ନଥିବାରୁ ଏହା ଖୋଲା ପଡିଛି । ସେଥିପାଇଁ ଟାଙ୍କି ପାଖରେ ଥିବା ଗଛଗୁଡିକର ପତ୍ର ଓ ଶୁଖିଲା ଡାଳ ଆଦି ପାଣିରେ ପଡୁଛି । ସେହି ଅପରିଷ୍କାର ପାଣି ରେଙ୍ଗାଲି ଟାଉନ ସିପ ଅଞ୍ଚଳର ପାଖାପାଖି ୫୦୦୦ ଲୋକଙ୍କୁ ଯୋଗାଣ ହେଉଛି ।
ଅଞ୍ଚଳବାସୀଙ୍କର ବାରମ୍ବାର ଅଭିଯୋଗ ପରେ ମଧ୍ୟ ଡ୍ୟାମ-ଡିଭିଜନର ଯନ୍ତ୍ରୀ ଓ ଉପରିସ୍ଥ ଅଧିକାରୀମାନେ ଚୁପ୍ ଚାପ୍ ବସିଛନ୍ତି । ଦିନକୁ ଦିନ ଖରାର ପ୍ରକୋପ ବଢୁଛି । ଗ୍ରୀଷ୍ମ ପ୍ରବାହ ବଢୁଥିବାବେଳେ ୨/୩ ଦିନରେ ଥରେ ଲେଖାଏଁ ମାତ୍ର ୫ ରୁ ୭ ମିନିଟ୍ ଡ୍ୟାମ-ଡିଭିଜନ ଜଳଯୋଗାଣ କରୁଛନ୍ତି । ଏ ବିଷୟରେ ଅଞ୍ଚଳବାସୀ ବାରମ୍ବାର ଡ୍ୟାମ-ଡିଭିଜନ ଠାରୁ ଆରମ୍ଭ କରି ବିଧାୟକ ଏବଂ ସାଂସଦଙ୍କୁ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳିପାରୁନାହିଁ । ବିଭାଗୀୟ ଉଚ୍ଚ ଅଧିକାରୀ ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ କରି ପ୍ରକଳ୍ପବାସୀଙ୍କୁ ବିଶୋଧିତ ପାଣି ସହ ନିୟମିତ ପାନୀୟ ଜଳର ଅଭାବ ଦୂର କରିବାକୁ ଦାବି ହେଉଛି ।
Also read: ଜମାକାରୀଙ୍କ ଜମା ଟଙ୍କା ଆତ୍ମସାତ ଅଭିଯୋଗ, ପୋଷ୍ଟ ଅଫିସ୍ ସମ୍ମୁଖରେ ଧାରଣା