୧୯ରେ ହେବ ସବୁଠାରୁ ଲମ୍ବା ଆଶିଂକ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଭାରତର କେଉଁ କେଉଁ ସ୍ଥାନରେ ଦେଖାଯିବ ଏହି ବିରଳ ମହାଜାଗତିକ ଦୃଶ୍ୟ

ଆସନ୍ତା ୧୯ ତାରିଖରେ ଲାଗିବ ସବୁଠାରୁ ଲମ୍ବା ଆଂଶିକ ଚନ୍ଦ୍ରଗ୍ରହଣ। ଏହି ଦିନ ପଡ଼ୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ବିରଳ ମହାଜାଗତିକ ଘଟଣା ୫୮୦ ବର୍ଷରେ ପ୍ରଥମ ଥର ଦୃଶ୍ୟମାନ ହେବାକୁ ଯାଉଛି। ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣ ଅଧିକ ଗୁରୁତ୍ୱ ବହନ କରୁଛି। ଏହି ଦୁର୍ଲ୍ଲଭ ଘଟଣା ପୂର୍ବୋତ୍ତର ଭାରତର କିଛି ଅଞ୍ଚଳରେ ଦେଖାଯିବ। ଅରୁଣାଚଳ ପ୍ରଦେଶ ଓ ଆସାମର କିଛି ଅଞ୍ଚଳରେ ଲୋକେ ଏହାକୁ ଦେଖି ପାରିବେ। ଏମ୍‌ପି ବିର୍ଲା ପ୍ଲାନେଟାରିୟମ୍‌ର ରିସର୍ଚ୍ଚ ଆଣ୍ଡ ଏକାଡେମିକ୍‌ ନିର୍ଦ୍ଦେଶକ ଦେବୀପ୍ରସାଦ ଦୁଆରୀ କହିଛନ୍ତି, ଏହି ଆଶିଂକ ଚନ୍ଦ୍ରଗ୍ରହଣ ଦ୍ୱିପ୍ରହର ୧୨ଟା ୪୮ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୪ଟା ୧୭ରେ ଶେଷ ହେବ।

ଗ୍ରହଣର ଅବଧି ୩ ଘଣ୍ଟା ୨୮ ମିନିଟ୍‌ ୨୪ ସେକେଣ୍ଡ ରହିବ, ଯାହାକି ୫୮୦ ବର୍ଷରେ ସବୁଠାରୁ ଲମ୍ବା ଆଶିଂକ ଚନ୍ଦ୍ରଗ୍ରହଣ ବୋଲି କୁହାଯାଉଛି। ଦୁଆରୀ କହିଛନ୍ତି ଯେ ଗତଥର ଲମ୍ବା ଆଶିଂକ ଚନ୍ଦ୍ରଗ୍ରହଣ ୧୮ ଫେବୃୟାରୀ ୧୪୪୦ରେ ହୋଇଥିଲା ଏବଂ ଆଗାମୀ ଥର ଏହି ପ୍ରକାର ଘଟଣାକ୍ରମ ବର୍ଷ ୨୬୬୯, ୮ ଫେବୃୟାରୀରେ ଦେଖାଯିବ। ଅଧିକତମ ଆଶିଂକ ଗ୍ରହଣ ଅପରାହ୍ନ ୨ଟା ୩୪ରେ ଦେଖାଯିବ, ଯେତେବେଳେ ଚନ୍ଦ୍ରର ୯୭ ପ୍ରତିଶତ ଭାଗ ପୃଥିବୀ ଛାଇରେ ଢାଙ୍କି ଯିବ। ଆଶିଂକ ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପୂର୍ବ ଏସିଆ ଓ ଅଷ୍ଟ୍ରେଲିଆ ଭଳି ସ୍ଥାନରେ ଦୃଶ୍ୟମାନ ହେବ।

ଦୁଆରୀ କହିଥିଲେ ଯେ ଉପଛାୟା ଗ୍ରହଣ ପୂର୍ବାହ୍ନ ୧୧ଟା ୩୨ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୩୩ରେ ଶେଷ ହେବ। ଉପଛାୟା ଗ୍ରହଣ ସେତେବେଳେ ହୋଇଥାଏ, ଯେତେବେଳେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଅସଜଡ଼ା ଭାବରେ ସରଳ ରେଖାରେ ରହି ଥାଆନ୍ତି। ଏହି ଚନ୍ଦ୍ରଗ୍ରହଣ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ ଏବଂ ଓଡ଼ିଶାରେ ଦୃଶ୍ୟମାନ ହେବ, କିନ୍ତୁ ଏ ସବୁ ସ୍ଥାନରେ ଲୋକେ କିଛି ସମୟ ପାଇଁ ହିଁ ଦେଖି ପାରିବେ। ଦୁଆରୀ କହିଥିଲେ, ଗତ ଥର ଚନ୍ଦ୍ରଗ୍ରହଣ ୨୭ ଜୁଲାଇ, ୨୦୧୮ରେ ପଡ଼ିଥିଲା ଏବଂ ଆଗାମୀ ଚନ୍ଦ୍ରଗ୍ରହଣ ୧୬ ମେ’ ୨୦୨୨ରେ ହେବ। କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। ଭାରତରେ ଦେଖା ଯିବାକୁ ଥିବା ଆଗାମୀ ଚନ୍ଦ୍ରଗ୍ରହଣ ୮ ନଭେମ୍ବର ୨୦୨୨ରେ ହେବ।

ଚନ୍ଦ୍ରଗ୍ରହଣ ସମୟରେ ଏହି କଥା ଉପରେ ରଖନ୍ତୁ ଧ୍ୟାନ

-ଗ୍ରହଣ ଲାଗିଥିବା ସମୟରେ କିଛି ଖାଆନ୍ତୁ କି ପିଅନ୍ତୁ ନାହିଁ। ଯେତେ ସମ୍ଭବ ହୋଇପାରେ ଭଗବାନଙ୍କ ଆରାଧନା କରନ୍ତୁ।

-ରନ୍ଧା ଯାଇଥିବା ଖାଦ୍ୟରେ ତୁଳସୀ ପତ୍ର ପକାଇ ଦିଅନ୍ତୁ।

-ଗ୍ରହଣ ପରେ ସ୍ନାନ ନିଶ୍ଚୟ କରନ୍ତୁ।

-ଘରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ।

-ଗର୍ଭବତୀ ମହିଳାମାନେ ଗ୍ରହଣ କାଳରେ ଘରୁ ବାହାରକୁ ବାହାରନ୍ତୁ ନାହିଁ।

-ଚନ୍ଦ୍ରଗ୍ରହଣ ସମୟରେ ହନୁମାନ ଚାଳିଶା, ବିଷ୍ଣୁ ସହସ୍ରନାମ, ଦୁର୍ଗା ଚାଳିଶା ଏବଂ ଶ୍ରୀମଦ୍ ଭଗବତ୍ ଗୀତା ପାଠ କରିବା ଉତ୍ତମ ହୋଇଥାଏ। ତେଣୁ ପୂରା ଚନ୍ଦ୍ରଗ୍ରହଣରେ ଏଗୁଡ଼ିକୁ ଅବଶ୍ୟ ପାଠ କରନ୍ତୁ।

-ଚନ୍ଦ୍ରଗ୍ରହଣର ସମାପ୍ତି ପରେ ଦାନ ଦେବାର ନିୟମ ରହିଛି। ଏଥିରେ ଅଟା, ଚାଉଳ, ଚିନି, ବିରି ଡାଲି, କଳା ରାଶି, କଳା ବସ୍ତ୍ର ଆଦି ଦାନ କରିବା ଭଲ ହୋଇଥାଏ। ଏଥିରେ ଚନ୍ଦ୍ରଗ୍ରହଣର ପ୍ରଭାବ କମି ଯାଇଥାଏ।

-ଚନ୍ଦ୍ରଗ୍ରହଣ ସହ ସମ୍ବନ୍ଧିତ ମନ୍ତ୍ର ଏବଂ ରାହୁ-କେତୁ ସହ ସମ୍ବନ୍ଧିତ ମନ୍ତ୍ରଗୁଡ଼ିକୁ ଉଚ୍ଚାରଣ କରିବା ଉଚିତ।

-ମନରେ ନିଜ ଇଷ୍ଟ ଦେବଙ୍କ ନାମ ନିଅନ୍ତୁ ଏବଂ ତାଙ୍କୁ ଆରାଧନା କରନ୍ତୁ।

-ଏହି ସମୟରେ କୌଣସି ବି ମାଙ୍ଗଳିକ କାର୍ଯ୍ୟ କି ପୂଜାପାଠ କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.