ଯଦି ଆପଣ ଭଲ ପଇସା ରୋଜଗାର କରିବା ସହିତ ସାରା ବିଶ୍ୱ ବୁଲିବାର ସ୍ୱପ୍ନ ଦେଖୁଛନ୍ତି ଏବଂ ଉଚ୍ଚତାକୁ ଭୟ କରୁନାହାନ୍ତି ତେବେ, ଏଭିଏଶନ୍ (ବିମାନ) ଇଣ୍ଡଷ୍ଟ୍ରୀରେ କ୍ୟାରିୟର ଗଢ଼ିବା ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରେ । ଏହି ଇଣ୍ଡଷ୍ଟ୍ରୀ କେବଳ ଯାତ୍ରା କିମ୍ବା ଯାତ୍ରୀଙ୍କ ସେବାରେ ସୀମିତ ନୁହେଁ ବରଂ ଏହା ଲୋକଙ୍କୁ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ଜୋଡ଼ିଥାଏ । ଏଥିସହ ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚାଇ ବିଭିନ୍ନ ଦେଶକୁ ଏକଜୁଟ୍ କରିବାର କାର୍ଯ୍ୟ ମଧ୍ୟ କରେ । ଏହା ବ୍ୟତୀତ, ଦେଶର ବିକାଶରେ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ଅନେକ ଲୋକ ପାଇଲଟ୍ ହେବାର ସ୍ୱପ୍ନ ଦେଖିଥାନ୍ତି । ଯଦି ଆପଣ ବି ପାଇଲଟ୍ ହେବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ତିନି ବର୍ଷର ‘‘ ବି.ଏସସି ଏଭିଏଶନ୍ ଡିଗ୍ରୀ ’’ କୋର୍ସ କରିବାକୁ ପଡ଼ିବ । ଏହି କୋର୍ସରେ ବିମାନ ଏବଂ ହେଲିକପ୍ଟର ଉଡ଼ାଣ ସମ୍ବନ୍ଧୀୟ ସମସ୍ତ ଶିକ୍ଷା ପ୍ରଦାନ କରାଯାଏ । ଏଥିରେ ବିମାନ ଚଳାଚଳ, ଇଞ୍ଜିନିୟରିଂ, ସ୍ପେସ ଇଞ୍ଜିନିୟରିଂ, ଏଭିଏଶନ୍ ସେଫ୍ଟି , ବିମାନ ଉତ୍ପାଦାନ, ନାଭିଗେସନ୍ ଏବଂ ବିମାନ ଚାଳନା ପରି ବିଷୟ ଅନ୍ତଭୂର୍କ୍ତ । ପାଇଲଟ୍ଙ୍କ ଅଭିଜ୍ଞତା ତାଙ୍କ ଉଡ଼ାଣ ଘଣ୍ଟା ଦ୍ୱାରା ମାପ କରାଯାଏ ଏବଂ ସେହି ଆଧାରରେ ସେମାନଙ୍କ ଦରମା ମଧ୍ୟ ସ୍ଥିର କରାଯାଏ । ଅଧିକ ଘଣ୍ଟା ଉଡ଼ାଣ, ଅଧିକ ଅଭିଜ୍ଞତା ଏବଂ ଅଧିକ ବେତନ, ଯାହା ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ।
ଏୟାରପୋଟ୍ ପରିଚାଳନାର କୋର୍ସ କରିବା ମଧ୍ୟ ଲାଭଦାୟକ :
ବିମାନ ଚଳାଚଳ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏୟାରପୋଟ୍ ପରିଚାଳନା କୋର୍ସ କରିବା ଏକ ଉତ୍ତମ ବିକଳ୍ପ ହୋଇପାରେ । ଏଥିପାଇଁ ଆପଣଙ୍କୁ ‘‘ଡିପ୍ଲୋମା ଇନ୍ ଆଭିଏସନ୍ ମ୍ୟାନେଜମେଣ୍ଟ’’ ଏକ ବର୍ଷର କୋର୍ସ କରିବାକୁ ପଡ଼ିବ । ଏଥିରେ ଏୟାରପୋଟ୍ ସହ ଜଡ଼ିତ ବିଷୟ ଯେପରି, ଷ୍ଟାଫ୍ ମ୍ୟାନେଜମେଣ୍ଟ , ସେଫ୍ଟି , ସିକ୍ୟୁରିଟି ମ୍ୟାନେଜେମେଣ୍ଟ , କାର୍ଗୋ ମ୍ୟାନେଜମେଣ୍ଟ ଏବଂ ଏୟାରପୋଟ୍ ଫଙ୍କ୍ସନିଙ୍ଗ୍ ସମ୍ବନ୍ଧୀୟ ଶିକ୍ଷା ଦିଆଯାଏ । ଏହି କୋର୍ସର ବିଶେଷ କଥା ହେଉଛି ଏହା ଦଶମ କିମ୍ବା ଦ୍ୱାଦଶ ପରେ ମଧ୍ୟ କରାଯାଇପାରିବ, ଯାହା ଛାତ୍ରଛାତ୍ରୀମାନଙ୍କୁ ଶୀଘ୍ର ଏଭିଏଶନ୍ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିବାର ସୁଯୋଗ ଦେଇଥାଏ ।
ଏଭିଏଶନ୍ ହସ୍ପିଟାଲିଟିରେ ବି ବହୁତ ସୁଯୋଗ ରହିଛି :
ଏଭିଏଶନ୍ ହସ୍ପିଟାଲିଟିରେ କ୍ୟାରିୟର କରିବା ପାଇଁ ‘‘ଡିପ୍ଲୋମା ଇନ୍ ଏଭିଏଶନ୍ ହସ୍ପିଟାଲିଟି ’’ମଧ୍ୟ ଏକ ଭଲ ବିକଳ୍ପ । ଏହା ଏକ ସ୍ୱତନ୍ତ୍ର ଡିପ୍ଲୋମା କୋର୍ସ ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ଏୟାରଲାଇନ୍ସ, ଏୟାରପୋଟ୍, ହୋଟେଲ ଇଣ୍ଡଷ୍ଟ୍ରୀ ଏବଂ ଏଭିଏଶନ୍ କ୍ଷେତ୍ରରେ ସେବା କରିବା ପାଇଁ ପ୍ରସ୍ତୁତ କରାଯାଏ । ଯାତ୍ରୀ ଏବଂ ଗ୍ରାହକଙ୍କ ସହ ସିଧାସଳଖ ଯୋଗାଯୋଗର ଦାୟିତ୍ୱ ପାଇଁ ଏହି କୋର୍ସ ତିଆରି କରାଯାଇଛି । ଏଥିରେ କମ୍ୟୁନିକେସନ, ଏଭିଏଶନ୍, ହସ୍ପିଟାଲିଟି, ଫୁଡ୍ ଏବଂ ବିଭରେଜ୍ ପ୍ରଡକସନ , ଫ୍ରଣ୍ଟ ଅଫିସ୍ ଅପରେସନ ଭଳି ବିଷୟ ଅନ୍ତଭୂର୍କ୍ତ । ଏହି କୋର୍ସ ପିଲାମାନଙ୍କୁ ସମସ୍ତ ପ୍ରକାର ଯାତ୍ରୀଙ୍କୁ ସଠିକ୍ ସେବା ପ୍ରଦାନ କରିବାରେ ସକ୍ଷମ କରେ ।
ଏହା ବ୍ୟତୀତ, ଅନେକ ଶିକ୍ଷା ଅନୁଷ୍ଠାନ ଏଭିଏଶନ୍ ମ୍ୟାନେଜମେଣ୍ଟରେ MBA ପ୍ରୋଗ୍ରାମ ମଧ୍ୟ ପ୍ରଦାନ କରନ୍ତି, ଯାହାକି ଏହି କ୍ଷେତ୍ରରେ କ୍ୟାରିୟର ଗଢିବା ପାଇଁ ଅଧିକ ସୁଯୋଗ ପ୍ରଦାନ କରିଥାଏ ।