ଚାଲିଥିଲା ଦଣ୍ଡଯାତ୍ରା, ମୟୁରପୁଚ୍ଛରେ ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ

ରେଢ଼ାଖୋଲ: ଚାଲିଥିଲା ଦଣ୍ଡଯାତ୍ରା । ହେଲେ ପୂଜାରେ ହଠାତ ଆବିର୍ଭାବ ହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଏଭଳି ଚମତ୍କାର ଆଖିରେ ନଦେଖିଲେ ବିଶ୍ୱାସ ହେବନି । କ୍ଷଣିକ ମଧ୍ୟରେ ଏ ଖବର ସମଗ୍ର ଅଞ୍ଚଳରେ ବ୍ୟାପି ଯାଇଥିଲା । ଯାହାପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଥିଲା ଭକ୍ତଙ୍କ ଗହଳି । ହଁ ଆଜ୍ଞା, ରେଢ଼ାଖୋଲ ସହରର କଇଥ ସାହିରେ ଦେଖିବାକୁ ମିଳିଛି ଏଭଳି ଆଲୌକିକ ଘଟଣା । ଦଣ୍ଡଯାତ୍ରା ପୂଜା ଚାଲିଥିବା ବେଳେ ବୀଣାକାରଙ୍କ ବୀଣା ବାଡିରେ ଲାଗିଥିବା ମୟୁରପୁଚ୍ଛରେ ଜଗତର ନାଥ ଜଗନ୍ନାଥଙ୍କ ଚିତ୍ର ଥିବା ଲୋକେ ଦେଖିବାକୁ ପାଇଥିଲେ ।

ଯାହାପରେ ମୟୁର ପୂଛରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଶହଶହ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ଲୋକେ ନଡ଼ିଆ,କଦଳୀ,ଧୂପକାଠି ଓ ଉଖୁଡା ଆଦି ପୂଜା ସାମଗ୍ରୀ ନେଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଦଣ୍ଡ ଯାତ୍ରାର ଶିବ କାଷ୍ଟା ସବୁ କାଷ୍ଟା ମଧ୍ୟରୁ କଠିନ କାଷ୍ଟା । ମାନସିକଧାରୀ ତେର ଭୁକ୍ତାମାନଙ୍କୁ ତେର ଦିନ ବହୁତ କଷ୍ଟରେ ବାହାରେ ଭ୍ରମଣ କରିବା ସହିତ ଦିନରେ ଧୂଳି ଦଣ୍ଡ ଏବଂ ରାତିରେ ଦଣ୍ଡ ନାଚ କରିଥାନ୍ତି । ଟାଣ ଖରାରେ ଦିନ ତମାମ ନିର୍ଜଳା ଉପବାସ ସହ ଅପରାହ୍ନରେ ଧୂଳି ଦଣ୍ଡ ଓ ବାସୁକୀ ଦର୍ଶନ ସରିଲେ ଯାଇ ନଡାରେ ଦାନ୍ତ ଘସି ଥାଆନ୍ତି ।

ଏହା ପରେ ବାଲୁକା ପୂଜା ସରିଲେ ଖଇ ଓ ଗୁଡ଼ ପଣା ସେବନ କରିଥାନ୍ତି ମାନସିକଧାରୀ । ରାତିରେ ଜହ୍ନ ଦେଖିଲେ ଚୂଲ୍ଲୀ ଜାଳିବା ଆରମ୍ଭ ହେଉଥିବା ବେଳେ ଢୋଲ ବାଦ୍ୟ ବଜେଇ ପୁରା ଦିନରେ ଥରଟିଏ ଅରୁଆ ଭାତ ଭୋଜନ କରି ରହିବାକୁ ପଡେ ଏହି ଯାତ୍ରାରେ । ଝାମୁଯାତ୍ରା ମାନସିକଧାରୀଙ୍କୁ ଏହିଭଳି ଭାବରେ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ରହିବାକୁ ପଡିଥାଏ । ଏହି ଅବସରରେ ବୀଣାବାଡ଼ୀର ମୟୁରପୁଛରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆବିର୍ଭାବ ଦେଖି ଭକ୍ତ ଧନ୍ୟ ହୋଇଯାଇଛନ୍ତି ।

ପ୍ରଭୁ ଏଭଳି ଅଲୌକିକ ଦର୍ଶନ ଦେଇଥିବାରୁ ସମସ୍ତ ମାନସିକଧାରୀଙ୍କ ମାନସିକ ପୂରଣ ହୋଇଥିବା ସହ ଜୀବନ ଧନ୍ୟ ହୋଇଯାଇଛି ବୋଲି ପ୍ରକାଶ କରିଛନ୍ତି ପୂଜାରୀ । ଜଗତର ନାଥ ଜଗନ୍ନାଥ । କାଇଁ କେତେ ଦୂରରୁ ଲୋକେ ଧାଇଁ ଆସନ୍ତି ତାଙ୍କର ସେହି ମଦନ ମୋହନ ଚକା ନୟନକୁ ଦେଖିବା ପାଇଁ । ଆଉ ଯିଏ ଥରେ ସେହି ଚକା ନୟନକୁ ଦେଖେ ନିଜର ଆଖି ଫେରେଇ ପାରେନି । କେତେବେଳେ ନିଜ ଭକ୍ତଙ୍କୁ କେଉଁ ରୂପରେ କେଉଁଠି ଦର୍ଶନ ଦେବେ ସେ କଥା କେବଳ ତାଙ୍କୁ ହିଁ ଜଣା ।

କେତେବେଳେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମାନବୀୟ ଲୀଳା ସାରି ରଥ ଉପରେ ବିରାଜମାନ କରି ଭକତଙ୍କୁ ଦର୍ଶନ ଦିଅନ୍ତି ତ ଆଉ କେତେବେଳେ ମୟୁରପୁଚ୍ଛରେ । ସତରେ ଭକ୍ତ ଭଗବାନଙ୍କ ସମ୍ପର୍କ ଅତୁଟ ।

Also read: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ