ଜାଣନ୍ତି କି କେମିତି ହୋଇଥିଲା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ମୃତ୍ୟୁ?

sri ramachandra

ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ ରାମଚନ୍ଦ୍ର, ଦୁନିଆର ସର୍ବଶ୍ରେଷ୍ଠ ପୁରୁଷ ଏବଂ ମନୁଷ୍ୟ ସମାଜର ତ୍ରାଣକର୍ତା । ଏ ଦୁନିଆରେ ଏମିତି କେହିବି ନଥିବେ ଯିଏକି ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ବିଷୟରେ ଜାଣିନଥିବେ । ସେ ଲଙ୍କାପତି ରାଵଣଙ୍କୁ ବଦ୍ଧ କରି ମାତା ସୀତାଙ୍କୁ ଉଦ୍ଧାର କରିଥିଲେ ଏବଂ ଏ ଦୁନିଆକୁ ପାପୀମାନଙ୍କ କବଳରୁ ରକ୍ଷା କରିଥିଲେ । କିନ୍ତୁ ଏମିତି ବହୁତ କମ ଲୋକ ଥିବେ ଯେଉଁମାନେକି ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ମୃତ୍ୟୁର ରହସ୍ୟ ବିଷୟରେ ଜାଣିଥିବେ । ଏବେ ଆପଣଙ୍କ ମନରେ ନିଶ୍ଚିତ ଏ ପ୍ରଶ୍ନ ଉଙ୍କି ମରୁଥିବ ଯେ ଭଗବାନ ଶ୍ରୀ ରାମଚନ୍ଦ୍ର କିପରି ମୃତ୍ୟୁ ବରଣ କରିଥିଲେ ? ଆସନ୍ତୁ ଜାଣିବା ସମ୍ପୂର୍ଣ ପ୍ରସଙ୍ଗ ବିଷୟରେ ।

କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଶ୍ରୀ ରାମଚନ୍ଦ୍ର ଲଙ୍କାପତି ରାବଣର ବଦ୍ଧ କରି ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ସାଙ୍ଗରେ ନେଇ ଅଯୋଧ୍ୟା ପ୍ରତ୍ୟାବର୍ତନ କରିଥିଲେ । ୧୪ ବର୍ଷ ଧରି ନିଜର ପ୍ରିୟ ରାମଙ୍କୁ ହରାଇଥିବା ଅଯୋଧ୍ୟାବାସି ରାମଙ୍କୁ ପାଖରେ ପାଇ ଦୀର୍ଘଦିନ ଧରି ଉତ୍ସବ ମନାଉଥିଲେ । ଏ ମଧ୍ୟରେ କିଛି ବର୍ଷ ବିତିଯାଇଥିଲା ଏବଂ ଭଗବାନ ଶ୍ରୀରାମ ଅଯୋଧ୍ୟାର ରାଜଗାଦିରେ ବସି ସୁଚାରୁରୂପେ ରାଜ୍ୟ ଶାସନ କରୁଥିଲେ ।

ହଠାତ ଦିନେ ତାଙ୍କ ଦାମ୍ପତ୍ୟ ଜୀବନରେ ବହିଆସେ ସନ୍ଦେହରେ ଝଡ଼ ଏବଂ ପ୍ରଜାମାନଙ୍କ ମନରେ ଉଠୁଥିବା ସନ୍ଦେହକୁ ଦୂରୀଭୂତ କରିବା ପାଇଁ ରାମଚନ୍ଦ୍ରଙ୍କୁ ନିଜର ପ୍ରିୟ ପତ୍ନୀ ମାତା ସୀତାଙ୍କୁ ନିର୍ବାସିତ କରିବାକୁ ପଡେ । ଅଗ୍ରଜଙ୍କ ଆଦେଶରେ ଅନୁଜ ଲକ୍ଷ୍ମଣ ମାତା ସୀତାଙ୍କୁ ଅନ୍ତଃସତ୍ଵା ଅବସ୍ଥାରେ ଘଂଚ ଜଙ୍ଗଲରେ ଛାଡ଼ିଦେଇ ଆସନ୍ତି । ପରେ ମାତା ସୀତା ମହର୍ଷି ବାଲ୍ମିକୀଙ୍କ ଆଶ୍ରମରେ ଲବ ଏବଂ କୁଶ ନାମକ ଦୁଇ ଯମଜ ସନ୍ତାନଙ୍କୁ ଜନ୍ମ ଦିଅନ୍ତି । କିଛିଦିନ ପରେ ରାମଙ୍କ ସହ ମାତା ସୀତାଙ୍କର ଦେଖା ହୁଏ ଏବଂ ସେ ନିଜର ଦୁଇ ପୁତ୍ରଙ୍କୁ ରାମଚନ୍ଦ୍ରଙ୍କୁ ସମର୍ପଣ କରି ନିଜ ମାତା ଧରିତ୍ରୀଙ୍କ କୋଳରେ ସବୁଦିନ ପାଇଁ ଆଶ୍ରୟ ନିଅନ୍ତି ।

ଏ ପର୍ଯ୍ୟନ୍ତ କାହାଣୀତ ସମସ୍ତେ ଜାଣନ୍ତି । କିନ୍ତୁ ତା ପରେ କଣ ହେଲା ତାହା ପ୍ରାୟ ସମସ୍ତଙ୍କ ପାଇଁ ଏକ ରହସ୍ୟ । ପୁରାଣ ଅନୁସାରେ ଭଗବାନ ରାମଚନ୍ଦ୍ର ଦୀର୍ଘ ୧୧୦୦୦ ବର୍ଷ ଧରି ଏ ପୃଥିବୀରେ ବାସ କରିବା ପରେ ଦିନେ ଯମରାଜ ଜଣେ ଋଷିଙ୍କ ବେଶରେ ଏ ପୃଥିବୀକୁ ଆସନ୍ତି ଏବଂ ରାମଚନ୍ଦ୍ରଙ୍କୁ ଦେଖା କରିବାର ଇଛା ପ୍ରକଟ କରନ୍ତି । ସେ ମଧ୍ୟ ଏହା ସର୍ତ ରଖନ୍ତିଯେ ଯଦି ତାଙ୍କ ଦୁହିଁଙ୍କ କଥାବାର୍ତା କେହି ଭୁଲବଶତଃ ବି ଶୁଣନ୍ତି, ତେବେ ରାମଚନ୍ଦ୍ରଙ୍କୁ ତାଙ୍କର ହତ୍ୟା କରିବାକୁ ପଡିବ । ତେଣୁ ସେଠାରେ ଅବସ୍ଥିତ ଥିବା ଅନୁଜ ଲକ୍ଷ୍ମଣଙ୍କୁ ପ୍ରଭୁ ଦ୍ୱାରପାଳର ଦାୟିତ୍ୱ ଦିଅନ୍ତି ।

ରାମଚନ୍ଦ୍ରଙ୍କ ସହ ଯମଙ୍କ ବାର୍ତ୍ତାଳାପ ଚାଲିଥିବା ସମୟରେ ଦୁର୍ଭାଗ୍ୟ ବଶତଃ ସେଠାରେ ପହଞ୍ଚନ୍ତି ମହର୍ଷି ଦୁର୍ବାସା ଓ ଶ୍ରୀରାମଙ୍କୁ ଦେଖା କରିବାର ଅଭିଳାଷ ପୋଷଣ କରନ୍ତି । କିନ୍ତୁ ଭାଇଙ୍କ ଆଦେଶ ପାଳନ କରି ଦ୍ୱାର ଜଗିଥିବା ଲକ୍ଷ୍ମଣ ତାଙ୍କୁ ଏଥିରୁ ନିବୃତ କରନ୍ତି । ନିଜର କ୍ରୋଧୀ ସ୍ୱଭାବ ହେତୁ ମହର୍ଷି ଦୁର୍ବାସା କ୍ରୋଧ ପୋଷଣ କରନ୍ତି ଏବଂ ଏହାକୁ ଅପମାନ ମାନେ କରି ସମସ୍ତଙ୍କୁ ଅଭିଶାପ ଦେବାକୁ ଉଦ୍ୟତ ହୁଅନ୍ତି । ଅନୋନ୍ୟପାୟ ହୋଇ ଲକ୍ଷ୍ମଣ କୋଠରୀ ମଧ୍ୟରେ ପ୍ରବେଶ କରି ରାମଚନ୍ଦ୍ରଙ୍କୁ ଦୁର୍ବାସା ମୁନିଙ୍କ ଆଗମନର ସୂଚନା ଦିଅନ୍ତି ।

ଏହା ଦେଖି ଭଗବାନ ଶ୍ରୀରାମ ଦୁଃଖରେ ଭାଙ୍ଗି ପଡନ୍ତି କାରଣ ଯମରାଜଙ୍କୁ ଦେଇଥିବା ସର୍ତ୍ତ ମୁତାବକ ତାଙ୍କୁ ବର୍ତ୍ତମାନ ନିଜର ପ୍ରିୟ ଭ୍ରାତା ଲକ୍ଷ୍ମଣଙ୍କୁ ହତ୍ୟା କରିବାକୁ ପଡିବ । କିନ୍ତୁ ଏହା ତାଙ୍କ ପାଇଁ ଅସମ୍ଭବ ହୋଇଥିବାରୁ ମହର୍ଷି ବଶିଷ୍ଠଙ୍କ ଉପଦେଶ ଅନୁଯାୟୀ ସେ ଲକ୍ଷ୍ମଣଙ୍କୁ ତ୍ୟାଗ କରନ୍ତି, କାରଣ ମହର୍ଷି ବଶିଷ୍ଠଙ୍କ ମତରେ କାହାକୁ ପରିତ୍ୟାଗ କରିବା ସେହି ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦେବା ସହ ସମାନ ହୋଇଥାଏ । ଭାଇଙ୍କ ଦ୍ୱାରା ତେଜ୍ୟ ହେବାପରେ ଦୁଃଖରେ ମ୍ରିୟମାଣ ଲକ୍ଷ୍ମଣ ସିଧା ସରଯୁ ନଦୀ କୂଳକୁ ଯାଇ ନିଜର ପ୍ରାଣ ବିସର୍ଜନ କରନ୍ତି ।

ପ୍ରିୟ ଅନୁଜ ଲକ୍ଷ୍ମଣଙ୍କ ମୃତ୍ୟୁ ପରେ ଭଗବାନ ଶ୍ରୀ ରାମଚନ୍ଦ୍ର ମଧ୍ୟ ତାଙ୍କର ପଦାଙ୍କ ଅନୁସରଣ କରିବାକୁ ଇଛା ପ୍ରକାଶ କରନ୍ତେ, ସମସ୍ତ ବାନର ଏବଂ ଅଯୋଧ୍ୟାବାସୀ ତାଙ୍କ ସହ ଯିବା ପାଇଁ ପ୍ରସ୍ତୁତ ହୁଅନ୍ତି । କିନ୍ତୁ ପ୍ରଭୁ ଶ୍ରୀରାମ ମହାବୀର ହନୁମାନ ଏବଂ ଅନ୍ୟ ପାଞ୍ଚ ଜଣଙ୍କୁ ତାଙ୍କ ସହ ଯିବା ପାଇଁ ବାରଣ କରନ୍ତି । କିନ୍ତୁ ଶ୍ରୀ ରାମଚନ୍ଦ୍ରଙ୍କ ସମେତ ଅନ୍ୟ ସମସ୍ତେ ସରଯୁ ନଦୀକୁ ଯାଇ ପ୍ରାଣ ବିସର୍ଜନ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.