ଜନ୍ମାଷ୍ଟମୀ ପାଇଁ ଝଲସୁଛି କୃଷ୍ଣନଗରୀ, ଉତ୍ସବ ମୁଖର ହୋଇ ଉଠିଛି ପୁରପଲ୍ଲୀ

ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ମଥୁରା । ବଢୁଛି ଭକ୍ତଙ୍କ ଭିଡ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର ଦିନର ବେଶ୍‌ ମହତ୍ତ୍ୱ ରହିଛି। ଉତ୍ତର ପ୍ରଦେଶର ମଥୁରାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥାବାରୁ ଏଠାରେ ଏହି ଉତ୍ସବ ବିଶେଷ ଉଲ୍ଲାସରେ ପାଳିତ ହୋଇଥାଏ । କୃଷ୍ଣଙ୍କର କ୍ରୀଡ଼ାଭୂମୀ ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଜନଗହଳି ହୋଇଥାଏ । ଏହି ଉତ୍ସବ ପ୍ରାୟ ସାତଦିନବ୍ୟାପି ପାଳିତ ହୋଇଥାଏ ।

ଜନ୍ମାଷ୍ଟମୀ ଅବସରରେ ମଥୁରାରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବାରୁ ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ମଥୁରା ସହ ବୃନ୍ଦାବନରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା । ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ମନ୍ଦିର ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏଥିପାଇଁ ମଥୁରାକୁ ୩ଟି ଜୋନ ଓ ୧୭ଟି ସେକ୍ଟରରେ ପରିଣତ କରାଯାଇଛି। ଏକାଭଳି ସୁରକ୍ଷା ବ୍ୟବସ୍ଥା ବୃନ୍ଦାବନରେ ମଧ୍ୟ ହୋଇଛି।

ସେହିପରି ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ମଧ୍ୟ ଏହି ଉତ୍ସବ ବହୁତ ଆଡ଼ମ୍ବରରେ ପାଳିତ ହୋଇଥାଏ । ଏହାଛଡ଼ା ପଶ୍ଚିମ ବଙ୍ଗରେ ଶ୍ରୀଚୈତନ୍ୟ ଓ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମସ୍ଥାନ ନବଦ୍ୱୀପରେ ମଧ୍ୟ ଜନ୍ମାଷ୍ଟମୀ ହର୍ଷୋଲ୍ଲାସରେ ପାଳିତ ହୋଇଥାଏ । ଲୋକେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଲୀଳା ବର୍ଣ୍ଣନାରେ ସମୃଦ୍ଧ ଶ୍ରୀମଦ୍ଭାଗବତର ଦଶମ ସ୍କନ୍ଧ ପଢ଼ିଥାନ୍ତି । ଜାମ୍ମୁଠାରେ ଏହିଦିନ ଗୁଡ଼ି ଉଡ଼ାଇବାର ପ୍ରଥା ରହିଛି ।