ରେଳ ଟ୍ରାକରୁ ମିଳିଲା ଲବ୍ ଲେଟର, ଠିକଣା ଖୋଜୁଛି ପ୍ରେମର ଏହି ଶେଷ ସନ୍ତକ

ରେଳ ଟ୍ରାକରେ ଠିକଣା ଖୋଜୁଛି ଅନେକ ବ୍ୟାଗ ବସ୍ତାନି। କାହାର ଚପଲ ପଡିଛି ତ କାହାର ପୋଷାକ, କାହାର ପାଉଁଞ୍ଜି ପଡିଛି ତ କାହାର ହାତ ଘଣ୍ଟା । ଏତେ ସବୁ ଭିତରେ ଏପଟେ ଏହି ମୃତ୍ୟୁ-ଠିକଣାରୁ ଠାବ ହୋଇଛି ଗୋଟିଏ ପ୍ରେମ କବିତା ଲେଖା ଥିବା ଛୋଟ ଡାଏରୀ ଟିଏ ।

ସୋର(କେନ୍ୟୁଜ୍): ଲୁହ ଦେଇଗଲା ଲୌହ ଦାନବ। ବାଲେଶ୍ଵର ବାହାନଗା ଠାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା କେବଳ ଓଡିଶା ନୁହେଁ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଡାକ୍ତରଖାନାରେ ଚିକିତ୍ସିତ ଥିବା ସମସ୍ତ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ସଭିଏଁ।

ଓଡ଼ିଶାରେ ଏହି ଟ୍ରିପଲ ଟ୍ରେନ ଟ୍ରାଜେଡି ଯେତିକି ଭୟଙ୍କର ଥିଲା ସେତିକି ହୃଦୟବିଦାରକ ମଧ୍ୟ। ତେବେ ଏହି ଦୁର୍ଘଟଣାରେ ୨୮୮ ଜଣ ପ୍ରାଣ ହରାଇଥିବା ବେଳେ ୧୧ ଶହ ଲୋକ ଆହତ ହୋଇଛନ୍ତି। ତେବେ ଟ୍ରେନ ଦୁର୍ଘଟଣାକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଆସିବାରେ ଲାଗିଛି। କେହି କେହି ନିଜ ପରିବାର ଲୋକଙ୍କୁ ପାଉ ନଥିବା ବେଳେ ଆଉ କେହି ଗଦାଗଦା ମୃତଦେହ ଭିତରୁ ନିଜର ପ୍ରିୟଜନଙ୍କୁ ଖୋଜି ପାଇବାକୁ ସକ୍ଷମ ହେଉଛନ୍ତି। ଏପଟେ ରେଳ ଟ୍ରାକରେ ଠିକଣା ଖୋଜୁଛି ଅନେକ ବ୍ୟାଗ ବସ୍ତାନି। କାହାର ଚପଲ ପଡିଛି ତ କାହାର ପୋଷାକ, କାହାର ପାଉଁଞ୍ଜି ପଡିଛି ତ କାହାର ହାତ ଘଣ୍ଟା ।

ଏତେ ସବୁ ଭିତରେ ଏପଟେ ଏହି ମୃତ୍ୟୁ-ଠିକଣାରୁ ଠାବ ହୋଇଛି ଗୋଟିଏ ପ୍ରେମ କବିତା ଲେଖା ଥିବା ଛୋଟ ଡାଏରୀ ଟିଏ । ଯେଉଁଥିରେ ଲେଖା ଅଛି ‘ଅଳ୍ପୋ ଅଳ୍ପୋ ମେଘା ଥାକେ, ହାଲକା ବ୍ରିଷ୍ଟି ହୋଏ…। ଏହା ବଙ୍ଗଳା ଭାଷାରେ ଲେଖାଯାଇଥିଲେ ବି ଏହାର ଶବ୍ଦ ପଛର ଭଲପାଇବାକୁ ଖୁବ୍ ଭଲରେ ବୁଝି ହୋଇଯାଉଛି । ଅଳ୍ପୋ ଅଳ୍ପୋ ମେଘା ଥାକେ, ହାଲକା ବ୍ରିଷ୍ଟି ଅର୍ଥାତ୍ ଅଳ୍ପ ଅଳ୍ପ ବାଦଲରୁ ହାଲକା ହାଲକା ବୃଷ୍ଟି, ତାପରେ ଲେଖାଅଛି ଛୋଟ ଛୋଟ କାହାଣୀରୁ ପ୍ରେମ ହୁଏ ସୃଷ୍ଟି, ଭଲପାଏ ଏହି ମନ ତତେ ଚାହେଁ ପ୍ରତିକ୍ଷଣ, ପାଖରେ ଥା ତୁ ସଞ୍ଜ ସକାଳେ, କେମିତି ବା ଭୁଲିବ ଏ ମନ, ତୁ ହିଁ ମୋ ଜୀବନ ।

poem

ବାହାନଗା ରେଳଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ସମୟରେ ଏହି ରଙ୍ଗୀନ ଚିଠି ରେଳଟ୍ରାକରେ ମିଳିବା ଘଟଣା ଏବେ ବେଶ ଚର୍ଚ୍ଚା। ଯେଉଁ ଥିରେ ପ୍ରେମ ଭରା କିଛି ଭାଷା ଲେଖାହୋଇଥିବା ସହିତ ଆଇ ଲଭ ୟୁ, ଆଇ ମିସ୍ ୟୁ ଲେଖାଅଛି । ସୁନ୍ଦର ଲାଲ୍ ଗୋଲାପ ଫୁଲଟି ଅଙ୍କା ଯାଇଥିବା ଏହି ଚିଠି ଏବେ ରେଳଲାଇନରେ ତା ଠିକଣା ହଜାଇଛି । ଏହି ଡାଏରୀରେ ଗୋଟିଏ ପୃଷ୍ଠାରେ ଗୋଲାପର ଏକ ସୁନ୍ଦର ଚିତ୍ର ସହିତ ଅଙ୍କା ହୋଇଛି ନାଲିପାନର ଏକ ଚିତ୍ର । ଆଉ ତା ଭିତରେ ତୀର ଚିହ୍ନ ଦେଇ ଲେଖା ହୋଇଛି ଆଇ ଲଭ୍ ୟୁ।

ତେବେ ଏହି ଡାଏରି ମିଳିଛି ସତ ହେଲେ ସେଥିରେ ଲେଖାଥିବା କବିତାକୁ ପ୍ରେମିକ କୀ ପ୍ରେମିକା କିଏ କାହା ପାଇଁ ଲେଖିଥିଲେ ତାହା ଜଣା ପଡି ନଥିଲେ ବି ଚିଠିରେ ଦୁଇ ଚିହ୍ନା ଆତ୍ମାର ପରିଭାଷା ପ୍ରକାଶ ପାଇଛି । ଏହା ଟ୍ରେନ ଯାତ୍ରା ସମୟରେ ହିଁ ଲେଖା ଯାଉଥିବାର କୁହାଯାଉଛି । ଚିଠି ଉଦ୍ଧାର ପରେ ଏହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି । କିନ୍ତୁ କବିତା କାହା ପାଇଁ କିଏ ଲେଖିଥିଲେ, ସେ ଏବେ କେଉଁଠି, ଜୀବିତ ନା ମୃତ? ଏସବୁର ସ୍ପଷ୍ଟ ଉତ୍ତର ମିଳିବା ଅସମ୍ଭବ। ଯେଉଁ ସ୍ଥାନରୁ, ଯେଉଁ ଅବସ୍ଥାରେ ଏ ପ୍ରେମ ଚିଠି ଉଦ୍ଧାର କରାଯାଇଛି, ସେଠାରୁ କୌଣସି ତଥ୍ୟ ମିଳିବାର ଆଶା ରଖିବା ବୃଥା। କିନ୍ତୁ ଏ ଚିଠି ବର୍ତ୍ତମାନ ଖୋଜି ବୁଲୁଛି ନିଜର ଅସଲ ଠିକଣା ।

Leave A Reply

Your email address will not be published.