ପିଲା ପ୍ରେମ କରି ବାହା ହୋଇ ଭଲରେ ଅଛନ୍ତି, ହେଲେ ଦୁଇ ବାପାଙ୍କ ଭିତରେ ଶତ୍ରୁତା ଗଲାନି

ସମ୍ବଲପୁର : ଝିଅ ପୁଅ ପ୍ରେମ କଲେ ହେଲେ ଜୀବନ ଗଲା ବାପାର । ଝିଅ ବାପାର ଟାଙ୍ଗିଆ ଚୋଟରେ ପୁଅ ବାପାଙ୍କ ମୃତ୍ୟୁ ହୋଇଛି । ସମୁଦି ହାତରେ ସମୁଦିର ଶେଷ ହୋଇଗଲା ଜୀବନ । ଝିଅ ପ୍ରେମ କରୁଥିଲା ଏକଥାକୁ ସମ୍ମତି ଜଣାଇନଥିଲେ ବାପା । ରାତି ଅଧରେ ଘରୁ ଲୁଚି ପଳାଇଥିଲା ଝିଅ । ବହୁ ଖୋଜା ଖୋଜି କରିଥିଲେ ହେଲେ ଝିଅକୁ ପାଇନଥିଲେ ବାପା ଜଣକ । ଥାନାରେ ଝିଅ ନିଖୋଜ ନେଇ ଅଭିଯୋଗ କରିଥିଲେ । ହେଲେ ବାପାଙ୍କ କହିବା ଅନୁଯାୟୀ ଥାନାରୁ ସୂଚନା ମିଳିଥିଲା ଯେ, ଝିଅ କୁଆଡ଼େ ଗର୍ଭବତୀ ଅଛି ସେଥିପାଇଁ ସେ ପୁଅ ସହ ଫେରାର ହୋଇଯାଇଛି । ଗତ ପ୍ରାୟ ତିନି ବର୍ଷ ତଳେ ଝିଅ ଫେରାର୍ ହୋଇଥିଲା । କିନ୍ତୁ ବାପା ଆଜି ପର୍ଯ୍ୟନ୍ତ ରାଗରେ ଜର୍ଜରିତ ହୋଇ ରହିଥିଲା ବାପା । ଶେଷରେ ସମୁଦିର ଜୀବନ ନେବା ପରେ ରାଗ ଶାନ୍ତ ପଡ଼ିଥିଲା । ଏବେ କ୍ୟାମେରା ସାମ୍ନାରେ କଣ ପାଇଁ ସମୁଦିର ଜୀବନ ନେଲେ ସେ ସବୁ କଥା ଗୋଟି ଗୋଟି କରି କହିଛନ୍ତି ।
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଗଞ୍ଜାବାହାଲ ଗାଁରେ ଶନିବାର ସ୍ପଷ୍ଟ ଦିବା ଲୋକରେ ରାସ୍ତା ଉପରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି । ସମୁଦିର ଆକ୍ରମଣରେ ସମୁଦିର ଜୀବନ ଚାଲି ଯାଇଛି । ଗତ ପ୍ରାୟ ୩ ବର୍ଷ ତଳେ ଗଞ୍ଜାବାହାଲ ଗାଁର ମୁରଲୀଧର ଧଳଙ୍କ ପୁଅ କେଲୋ ଗାଁର ଗିରିଧାରୀ ସାହୁଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ଗିରିଧାରୀ ସେହି ସମୟରେ ବିରୋଧ କରିଥିଲେ । ଶନିବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ ଟା ସମୟରେ ମୁରଲୀଧର ଧଳ ନିଜ ବାଇକରେ ଏକାକୀ କଞ୍ଚନପୁର ପଟରୁ ଘରକୁ ଫେରୁଥିବା ବେଳେ ନୂତନ ଗଞ୍ଜାବାହାଲ ପ୍ରାଥମିକ ସ୍କୁଲ ସମ୍ମୁଖରେ ପୂର୍ବରୁ ଛକି ରହିଥିବା ଗିରିଧାରୀ ମାରଣାସ୍ତ୍ରରେ ମୁରଲୀଧର ଧଳଙ୍କ ଉପରେ ଆକ୍ରମଣ କରିଥିଲେ ।
ଆକ୍ରମଣରେ ମୁରଲୀଙ୍କ ଡାହାଣ ପାଖ ଛାତି, ବେକ ଏବଂ ଜଙ୍ଘରେ ଆଘାତ ଲାଗିଥିଲା । ଫଳରେ ମୁରଲୀଧରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ କିସିଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଝିଅର ବାପା ଗିରିଧାରୀ ସାହୁକୁ ଥାନାରେ ଅଟକ ରଖିଛି । ଝିଅ ଫେରାର୍ ହେବା ଦିନ ଠାରୁ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହୁଥିଲା । ଏପରିକି ବିବାହ ପରେ ଗିରିଧାରୀ ସମୁଦୀ ମୁରଲୀଧରଙ୍କୁ ବିଭିନ୍ନ ସମୟରେ ଜୀବନରୁ ମାରିଦେବାକୁ ଧମକ ଚମକ ଦେଇ ଆସୁଥିଲା ବୋଲି ଅଭିଯୁକ୍ତଙ୍କ ଝିଅ କହିଛନ୍ତି । ସେପଟେ ଝିଅର ବାପା କହିଛନ୍ତି ଜ୍ବାଇଁର ବାପା ମୋତେ ମାରିବା ପାଇଁ ଚକ୍ରାନ୍ତ କରୁଥିଲେ ସେ କିଛି କରିବା ଆଗରୁ ମୁଁ ତାଙ୍କ ଜୀବନ ନେଇଗଲି ।
ଖବର ପାଇ କିସିଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଝିଅର ବାପା ଗିରିଧାରୀ ସାହୁକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ବର୍ତ୍ତମାନ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।