ଏ ପୃଥିବୀ ସୃଷ୍ଟି ପଛର କାହାଣୀ, ଏଠାକୁ ଜଳ ଆସିଲା କେମିତି; ଖୋଜିବାକୁ ନାସା ପଠାଇଲା ମହାକାଶ ଯାନ

ପୃଥିବୀକୁ କେମିତି ଆସିଲା ଜଳ ? ଏହାର ଉତ୍ତର ହୁଏତ ବୈଜ୍ଞାନିକଙ୍କ ପାଖରେ ରହିଛି । କିନ୍ତୁ ଭିନ୍ନ ଭିନ୍ନ । ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ କେହି ପହଞ୍ଚି ନାହାନ୍ତି । ଯାହା କେବଳ ଆକଳନ ଓ ଅନୁମାନ ଉପରେ ନିର୍ଦ୍ଧାରିତ । ତେଣୁ ଏହି ରହସ୍ୟର ସମାଧାନ ପାଇଁ ଅଭିଯାନ ଆରମ୍ଭ କରିଛି ନାସା । ଗତ ୧୬ ତାରିଖ ଦିନ ନାସା ପକ୍ଷରୁ ଏକ ମହାକାଶ ଯାନ ପ୍ରେରଣ କରାଯାଇଛି । ଯାହାର ନାଁ ହେଉଛି ‘ଲୁସୀ’ । ଲୁସୀ ଏକ ମାନବ ବିହୀନ ମହାକାଶ ଯାନ । ଅର୍ଥାତ୍‌ ଏଥିରେ କୌଣସି ମଣିଷ ଯାଇ ନାହାନ୍ତି । ଏହି ଯାନ ରୋବଟ ଦ୍ୱାରା ପରିଚାଳିତ ହେଉଛି ।

ଲୁସୀ ମହାକାଶରେ ୭ଟି କ୍ଷୁଦ୍ର ଉପଗ୍ରହ ସହ ବିଶେଷ ଭାବେ ମଙ୍ଗଳ ଓ ବୃହସ୍ପତି ମଝିରେ ଥିବା ‘ମେନ୍‌ ବେଲ୍ଟ’ ନାମକ ଏକ କ୍ଷୁଦ୍ର ଗ୍ରହ ଉପରେ ଅନୁସନ୍ଧାନ କରିବ । ତେବେ ୧୨ ବର୍ଷର ଏହି ଅଭିଯାନରେ ‘ଲୁସୀ’ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ରହସ୍ୟ ଉନ୍ମୋଚନ ଦାୟିତ୍ୱରେ ମଧ୍ୟ ରହିଛି । ତାହା ହେଉଛି ପୃଥିବୀକୁ କିଭଳି ଜଳ ଆସିଲା ତାର ମୂଳ ରହସ୍ୟ ଖୋଜିବା । ବୈଜ୍ଞାନିକମାନଙ୍କ କହିବା କଥା କି ପୃଥିବୀ ପ୍ରଥମେ ଭୀଷଣ ଉତ୍ତପ୍ତ ଥିଲା । ଏହା ଏକ ଅଗ୍ନପିଣ୍ଡ ଭଳି ରହିଥିଲା । ତେଣୁ ସେତେବେଳେ ଏଥିରେ ଜଳ ରହିବା ଆଦୌ ସମ୍ଭବ ନଥିଲା । ତେବେ ପୃଥିବୀକୁ ଜଳ ଆସିଲା କିପରି ? ଏହା ଏକ ଅସମାହିତ ପ୍ରଶ୍ନ ।

LUCY-1

କାରଣ ଜଳ ବିନା ଜୀବଜଗତର ସୃଷ୍ଟି ଏବଂ ବଞ୍ଚି ରହିବା ଅସମ୍ଭବ । ତେଣୁ ପୃଥିବୀକୁ ଜଳ ଆସିଲା ପରେ ହିଁ ଏଠାରେ ଜୀବଜଗତର ସୃଷ୍ଟି ହୋଇଛି । ହେଲେ ଜଳ ଆସିଲା କେମିତି ? ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତିରେ ସଜ୍ଜିତ ହୋଇଥିବା ‘ଲୁସୀ’ ଏହା ପଛର କାରଣ ଖୋଜିବ । ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି କି କିଛି କ୍ଷୁଦ୍ର ଗ୍ରହରୁ ପୃଥିବୀକୁ ଜଳ ଏବଂ ଜୀବସତ୍ତା ଆସିଛି । ଏବେ ଦେଖିବାର କଥା କି ଏହି ମହାକାଶ ଯାନ କେତେ ସଫଳ ହେଉଛି ତାର ଲକ୍ଷ୍ୟରେ ।
‘ଲୁସୀ’ ମାହାକାଶ ଯାନରେ ରହିଛି ଅତ୍ୟାଧୁନିକ କ୍ୟାମେରା । ଯାହା କ୍ଷୁଦ୍ର ଗ୍ରହଗୁଡ଼ିକର ଗଠନ, ସେଠାକାର ଭୂତତ୍ତ୍ୱ ଏବଂ ରଙ୍ଗ ଆଦି ସହିତ ଏଡାର ଉପଗ୍ରହ ସମ୍ପର୍କରେ ମଧ୍ୟ ଅନୁସନ୍ଧାନ କରିବ । ମହାକାଶରେ ପ୍ରାୟ ୪ ବିଲିୟନ୍‌ ମାଇଲ ଯାତ୍ରା କରି ମୋଟ ୮ଟି କ୍ଷୁଦ୍ର ଗ୍ରହ ଉପରେ ଗବେଷଣା କରିବ ଏହା ମହାକାଶ ଯାନ । ଗତ ଶନିବାର ଦିନ ଫ୍ଲୋରିଡାରୁ ଏହାକୁ ପ୍ରେରଣ କରାଯାଇଛି । ଏହାକୁ ନିର୍ମାଣ କରିବା ବାବଦରେ ୯୮୧ ମିଲିୟନ ଡଲାର ଖର୍ଚ୍ଚ ହୋଇଛି । ଅତ୍ୟାଧୁନିକ ଉପକରଣ ସହ ଏହାକୁ ଏଭଳି ଭାବେ ନିର୍ମାଣ କରାଯାଇଛି ଯେ ମହାକାଶରେ ବିଚରଣ କଲା ବେଳେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ଏହାର କୌଣସି କ୍ଷତି ହେବ ନାହିଁ ।

ତେବେ ଏହି ୧୨ ବର୍ଷର ଅଭିଯାନ ଯେ ଖୁବ୍‌ ଶୀଘ୍ର ସଫଳ ହେବ ସେ କଥା କେହି ଭାବି ନାହାନ୍ତି । ହେଲେ ପୃଥିବୀର ସୃଷ୍ଟି ଏବଂ ସୌର ମଣ୍ଡଳ ନେଇ ଅନେକ କିଛି ତଥ୍ୟ ମିଳି ପାରିବ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.