ସିମେଣ୍ଟ ବୋଝେଇ ପିକଅପ ଗାଡ଼ି ଧକ୍କାରେ ଚାଲିଗଲା ଲୁନିର ଜୀବନ, ମୁଣ୍ଡ ପିଟି କାନ୍ଦୁଛି ପରିବାର

ଏଇ ତ ମେଡିସିନ୍ ଆଣିବାକୁ ଦୁଇ ଭଉଣୀ ଯାଇଥିଲେ । କଣ କାଳ ଅପେକ୍ଷା କରି ବସିଥିଲା ? ରାସ୍ତା ମଝିରେ ହିଁ ଘଟିଗଲା ଅଘଟଣ । ଘର ଲୋକଙ୍କ ପାଇଁ ମେଡିସିନ୍ ଆଣିବେ କଣ, ଦୁଇ ଭଉଣୀଙ୍କ ଭିତରୁ ଜଣଙ୍କ ଜୀବନ ଚାଲିଗଲା । ଝିଅ ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଛି ପରିବାର । କେମିତି ବା ସହିବେ । କେତେ ଗେଲ ବସରରେ ଝିଅକୁ ବଡ଼ କରିଥିଲେ । କିନ୍ତୁ ଅଚାନକ ଏମିତି ଅଘଟଣ ଘଟିଯିବ କିଏ ବା ଜାଣିଥିଲା ।

ମେଡିସିନ୍ କିଣି ଘରକୁ ଫେରୁଥିବା ସମୟରେ ଏକ ସିମେଣ୍ଟ ବୋଝେଇ ଗାଡ଼ି ଧକ୍କାରେ ଜଣେ କୁନି ଝିଅର ଜୀବନ ଯାଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପଦ୍ମାବତୀ ଗାଁ କିମ୍ଭିରିଆ ନାଳ ନିକଟରେ ।  ଏକ ସିମେଣ୍ଟ ବୋଝେ଼ଇ ପିକଅପ୍ ଗାଡ଼ି ଦୁଇ ଭଉଣୀଙ୍କୁ ଧକ୍କା ଦେଇଥିଲା । ଆହତ ଦୁଇ ଝିଅଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହିଁ ଜଣେ ଚିରନିଦ୍ରାରେ ଶୋଇ ଯାଇଥିଲା ।

ମିଳିଥିବା ସୂଚନା ମୁତାବକ ଗତକାଲି ୨ ଭଉଣୀ ଏକ ସାଇକେଲରେ ମେଡିସିନ କିଣିବାକୁ ଯାଉଥିଲେ । ଏହି ସମୟରେ କିମ୍ଭିରିଆ ନାଳ ନିକଟରେ ଏକ ପିକଅପ୍ ଗାଡ଼ି ଭାରସାମ୍ୟ ହରାଇ ତାଙ୍କ ସାଇକେଲକୁ ଧକ୍କା ଦେଇଥିଲା । ଫଳରେ ୨ ଭଉଣୀ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ପରିବାର ଲୋକଙ୍କ ସହ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣଙ୍କର ଚିକିତ୍ସା ଚାଲିଛି । ତେବେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଝିଅ ହେଉଛି ଲୁନି ବେହେରା । ଲୁନିଙ୍କ ବାପା ଦିଲ୍ଲୀପ ବେହେରା ପଦ୍ମାବତୀ କଲେଜ ନିକଟରେ ଘର କରି ରହୁଥିଲେ । ଗତ କାଲି ବଡ଼ ଝିଅ ଲୁନି ନିଜ ସାନ ଭଉଣୀ ଲିପା ବେହେରାକୁ ସାଙ୍ଗରେ ଧରି ମେଡିସିନ୍ ଆଣିବାକୁ ଯାଇଥିବା ସମୟରେ ଏଭଳି ଅଘଟଣ ଘଟିଥିଲା ।

ଦୁର୍ଘଟଣା ପରେ ଗ୍ରାମବାସୀ ପିକଅପ୍ ଡ୍ରାଇଭରକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପିକଅପ୍ ଗାଡ଼ି ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ବିଧିର ବିଧାନ ବଡ଼ ବିଚିତ୍ର । ଲୁନିଙ୍କ କପାଳରେ ଅନ୍ୟ କିଛି ଲେଖାଥିଲା ବୋଧେ । ତେଣୁ ଏମିତି ଅବେଳରେ ତାଙ୍କ ଜୀବନ ଚାଲିଗଲା । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପାଠ ପଢା ଏବଂ ଖେଳ କୁଦ କରିବା ବୟସରେ ତାଙ୍କ ମୃତ୍ୟୁ ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ପରିବାର ଲୋକେ । ଏଥିସହ ଲୁନିଙ୍କୁ ମନେ ପକାଇ ଝୁରୁଛନ୍ତି ପରିବାର ସଦସ୍ୟ ।

Also Read: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ