ଯାଜପୁରରେ ଅନୁଷ୍ଠିତ ହେବ ଯାଜପୁର ଅଧିଷ୍ଠାତ୍ରୀ ମା’ବିରଜାଙ୍କ ପ୍ରସିଦ୍ଧ ରଥଯାତ୍ରା, ଚାଲିଛି ପ୍ରସ୍ତୁତି

ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ସବୁ ଦେବୀ ପୀଠରେ ଷୋଡଷ ପୂଜା ମଧ୍ୟ ରୀତିନୀତି ଅନୁସାରେ ପାଳନ କରାଯାଉଛି। ଯାହା ପାଇଁ ଚଳଚଂଚଳ ସବୁ ଦେବୀ ପୀଠ। କାରଣ ଆଗକୁ ଆସୁଛି ଜଗତଜନନୀ ମା ଦୁର୍ଗାଙ୍କ ପୂଜା। ସେମିତି ପାଖେଇ ଆସୁଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା। ଦୁଇ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ ରଥଯାତ୍ରା ପର୍ବରେ ସାମିଲ ହେବେ ଶ୍ରଦ୍ଧାଳୁ। ୨ ବର୍ଷ ପରେ ମାଙ୍କୁ ରଥ ଉପରେ ଦର୍ଶନ କରିବା ସହିତ ରଥକୁ ଟାଣିବାର ସୁଯୋଗ ମିଳୁଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି। ସେପଟେ ରଥ କାମରେ ଲାଗିଛନ୍ତି ମହାରଣା।

ଚଳିତ ବର୍ଷ ଅଧିକ ଭିଡ ହେବାର ସମ୍ଭାବନା ଥିବାରୁ ଶାରଦୀୟ ଦୂର୍ଗାପୂଜା ଓ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି। ତେବେ ସବୁଠୁ ବଡ଼ କଥା ହେଉଛି ଶକ୍ତିପୀଠରେ ରଥଯାତ୍ର୍ରା ଭଳି ବିରଳ ପରମ୍ପରା ଦେଖିବାକୁ ମିଳେ ଓଡ଼ିଶାର ଯାଜପୁର ମା ବିରଜାଙ୍କ କ୍ଷେତ୍ରରେ। ଏଥିପାଇଁ ସେଥି ଚଳଚଂଚଳ ପରିବେଶ ସୃଷ୍ଟି ହୋଇଛି।

Biraja temple
Picture credit – knewsodisha

ଅମାବାସ୍ଯା ପ୍ରତିପଦ ଦିନ ଠାରୁ ମା’ ରଥାରୁ ହୋଇ ୯ ଦିନ ପର୍ଯ୍ୟନ୍ତ ନିଜ ମନ୍ଦିର ଚର୍ତୁପାଶ୍ୱରେ ପରିଭ୍ରମଣ କରିବାର ପରମ୍ପରା ରହିଛି। ମାଙ୍କ ଏଭଳି ନବଦିନାତ୍ମକ ରଥଯାତ୍ରା ସାରା ଭାରତବର୍ଷରେ ଅନ୍ଯ କୌଣସି ଶକ୍ତିପୀଠରେ ଦେଖାଯାଇନଥାଏ। ମା’ ବିରଜା ଦୂର୍ଗାରୁପରେ ପୂଜା ପାଇବା ସହିତ ମାଙ୍କ ଚଳନ୍ତି ପ୍ରତିମା ରଥାରୁ ହୋଇ ମନ୍ଦୀର ଚତୁର୍ପଶ୍ୱରେ ପରିଭ୍ରମଣ କରିଥାନ୍ତି। ବିଶ୍ୱାସ ରହିଛି ମାଙ୍କୁ ରଥାରୁ ସମୟରେ ଦର୍ଶନ କଲେ ଏବଂ ରଥ ଟାଣିଲେ କୋଟି ଜନ୍ମର ପୁଣ୍ଯ ମିଳିଥାଏ । କିନ୍ତୁ ଗତ ଦୁଇ ବର୍ଷ ଧରି କରୋନା କଟକଣା ଥିବାରୁ
ଶ୍ରଦ୍ଧାଳୁମାନେ ରଥଯାତ୍ରାରେ ସାମିଲ ହୋଇପାରିନଥିଲେ । କିନ୍ତୁ ଚଳିତ ବର୍ଷ କୌଣସି କଟକଣା ନଥିବାରୁ ଶ୍ରଦ୍ଧାଳୁ ମାନେ ରଥଟାଣିବା ପାଇଁ ଉତ୍ସୁକତାର ସହିତ ଚାହିଁ ବସିଛନ୍ତି ।

Maa Biraja Devi
Picture Credit – knewsodisha

ଗୋଟିଏ ପଟେ ପ୍ରତିଦିନ ମାଙ୍କ ନିକଟରେ ଷୋଡଷ ଉପଚାରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଅନ୍ଯପଟେ ରଥ ଖଳାରେ ମାଙ୍କ ରଥ କାମ ଜାରି ରହିଛି। ମାଙ୍କ ବିଜୟା ରଥ ର୍ନିମାଣ କାର୍ଯ୍ଯରେ ଲାଗିଛନ୍ତି ମହାରଣା କାରିଗର। ମାଙ୍କ ରଥ ନାମ ହେଉଛି ବିଜୟା ରଥ। ଏହାକୁ ପୁଣି ସିଂହଧ୍ଵଜ ଓ ମାୟା ରଥ ମଧ୍ୟ କୁହାଯାଏ। ମାଆ ବିରଜା ପୁଣି ନିଜେ ରଥର ଆରୋହୀ। ରଥର ସାରଥୀ ହେଉଛନ୍ତି ସ୍ଵୟଂ ବ୍ରହ୍ମା ଦେବ। ଶୁଭସୁନିଆଁ ଠାରୁ ମାଙ୍କ ରଥ ର୍ନିମାଣ ଆରମ୍ଭ ହୋଇଛି। ରଥରେ ମୋଟ ୮୯୮ ଖଣ୍ଡ କାଠ ଲାଗିବ। ୫୬ ପୁଂଟ ଉଚ୍ଚତା ୧୨ଟି ଚକ ବିଶିଷ୍ଟ ଏହି ରଥରେ ନବଗ୍ରହ, ଦଶଦିଗପାଳ ରହିଛନ୍ତି । ରଥର ୧୪ ହାତ ୪ ଆଙ୍ଗୁଳ ଓ ଓସାର ୧୧ ହାତ ୯ ଆଙ୍ଗୁଳ। ମାଙ୍କ ରଥର ଚକ ନାମ ମଧ୍ୟ ଭିନ୍ନ ରହିଛି। ୯ ଦିନର ରଥଯାତ୍ରାକୁ ଦେଖିବା ପାଇଁ ଦୈନିକ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥାଏ । ମନ୍ଦିରରେ ଚାଲିଥିବା ଷୋଡଶ ଉପଚାର ପୂଜା ଏବଂ ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।

ମା’ ନଅ ଦିନ ପର୍ଯ୍ଯନ୍ତ ରଥରେ ମନ୍ଦୀର ଚତୁଃପାଶ୍ୱରେ ପରିଭ୍ରମଣ କରି ଦଶହରା ଦିନ ସମାଜରୁ ପାପ ଓ ଦୁଷ୍ଟ ଶକ୍ତିକୁ ବିନାଶ କରିବା ପାଇଁ ଲାଖବିନ୍ଧା ପଡିଆକୁ ଯାଆନ୍ତି। ତେବେ ବର୍ତ୍ତମାନ ମଧ୍ୟ ମା ବିରଜାଙ୍କ ପୀଠରେ ଅନେକ ଭିଡ଼ ଦେଖିବାକୁ ମିଳୁଛି। ଓଡ଼ିଶାର ଭିନ୍ନ ଭିନ୍ନ କୋଣରୁ ଭକ୍ତ ମାଙ୍କ ସୁନ୍ଦର୍ ବେଶ ଦେଖିବା ପାଇଁ ଆସୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.