ମାଉସୀ ମା’ଙ୍କ ଘରକୁ ତିନି ଥର ଯାଇଥାନ୍ତି ମା’ ବୁଢ଼ି ସାଆନ୍ତାଣୀ, ଦେଖିବାକୁ ଲାଗେ ଭକ୍ତଙ୍କ ଗହଳି

ବ୍ରହ୍ମପୁର: ମା’ ବୁଢ଼ି ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ଏଭଳି ନିଆରା ପରମ୍ପରାକୁ ଦେଖିବାକୁ ଲାଗେ ଭକ୍ତଙ୍କ ଗହଳି । କହିବାକୁ ଗଲେ ଜଗନ୍ନାଥ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳିଥାଏ ଏହି ଯାତ୍ରାରେ । ଯାତ୍ରା ସମୟରେ ମା’ ତିନି ଥର ଯାଇଥାନ୍ତି ମାଉସୀ ମା’ଙ୍କ ଘରକୁ । ମା’ଙ୍କୁ ନିକଟରେ ପାଇ ଧନ୍ୟ ମଣୁଛନ୍ତି ମାଉସୀ ମା’ ଘରର ପରିବାର ଲୋକ ।
ବ୍ରହ୍ମପୁର ସହରରେ ପ୍ରତି ଦୁଇ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ବହୁ ପୁରାତନ । ମହୁରୀଗଡ଼ର ତତ୍କାଳୀନ ରାଜା ହରିହର ନରେନ୍ଦ୍ର ଦେବ ମା’ଙ୍କ ଏହି ଯାତ୍ରା ପରମ୍ପରାକୁ ରାଜମହେନ୍ଦ୍ରିରୁ ଆଣିଥିଲେ । ଆଉ ସେବେ ଠାରୁ ପ୍ରତି ଦୁଇ ବର୍ଷକୁ ଥରେ ଏଠାରେ ମା’ଙ୍କ ଯାତ୍ରା ଅନୁଷ୍ଠିତ ହେଉଛି । ଆଉ ମା’ ଏହି ଅବସରରେ ସ୍ଥାୟୀ ମନ୍ଦିରରୁ ବାହାରି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ବାପ ଘରକୁ ବିଜେ କରୁଛନ୍ତି । ଜନ୍ମ ବେଦୀରେ ନିଜର ଲୀଳା ଖେଳ ସାରିବା ସହ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଆଉ ନଗର ପରିକ୍ରମାରେ ବୁଲିଥାନ୍ତି ମା’ । ତେବେ ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁ ଜଗନ୍ନାଥ ନିଜ ମାଉସୀ ମା’ ଘରକୁ ଯାଇ ପୋଡ଼ ପିଠା ଖାଇବା ପରି ଏଠାରେ ମଧ୍ୟ ମା’ ଯାତ୍ରା ସମୟରେ ନିଜର ମାଉସୀ ମା’ ଘରକୁ ପୋଡ଼ ପିଠା ଖାଇବା ପାଇଁ ତିନି ଥର ଯାଇଥାନ୍ତି । ଏଥି ପାଇଁ ମାଉସୀ ଘରର ପରିବାର ଲୋକ ନିଜକୁ ଧନ୍ୟ ମଣନ୍ତି ।
ଯାତ୍ରା ସମୟରେ ମା’ କାହିଁକି ଜଉରା ସାହିରେ ଥିବା ତାଙ୍କ ମାଉସୀ ମା’ ଘରକୁ ଯାଆନ୍ତି ସେ ସଂପର୍କରେ ଯଦିଓ କିଛି ନିର୍ଦ୍ଧିଷ୍ଟ ତଥ୍ୟ ନାହିଁ । ତଥାପି ଲୋକକଥା ଅନୁସାରେ କୁହାଯାଏ ଏକଦା ଯାତ୍ରା ଚାଲିଥିବା ସମୟରେ ଜଣେ ଗୋରା ସାହେବ ଯାତ୍ରାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଯାତ୍ରାକୁ ବନ୍ଦ କରିବା ପାଇଁ ବାହାରିଥିଲେ । ଏକଥା ଶ୍ରଦ୍ଧାଳୁମାନେ ଜାଣିବା ପରେ ଜଉରା ସାହିରେ ଥିବା ନିଜ ସମ୍ପର୍କୀୟ ଘରେ ନେଇ ମା’ଙ୍କ ଘଟକୁ ରଖିଥିଲେ । ଆଉ ପରବର୍ତୀ ସମୟରେ ଏହା ଯାତ୍ରାରେ ପରିଣତ ହୋଇଥିଲା । ଯାତ୍ରା ଆରମ୍ଭର ସପ୍ତମ, ଚତୁର୍ଦ୍ଦଶ ଓ ଶେଷ ଦିବସରେ ମା’ ମାଉସୀ ମା’ ଘରକୁ ଯାଇଥାନ୍ତି ।
ଯାତ୍ରା ସମୟରେ ମାଉସୀ ଘରର ପରିବାର ଲୋକ ଏକାଠି ହୋଇ ପୋଡ଼ ପିଠା ସମେତ ଭୋଗ ରାଗ, ଲୁଗା, କଳସୀରେ ହଳଦୀ ପାଣି ଆଦି ଯୋଗାଡ଼ କରି ମା’ଙ୍କୁ ପୂଜାର୍ଚ୍ଚନା କରି ଭୋଗ ଲାଗି କରିଥାନ୍ତି । ମା’ ଘରକୁ ଆସୁଥିବାରୁ ବେଶ୍ ଖୁସି ଅନୁଭବ କରନ୍ତି ପରିବାର ଲୋକେ ।
Also Read: ବ୍ରହ୍ମପୁରରେ ଧୁମ୍ଧାମ୍ରେ ପାଳନ ହେଉଛି ପ୍ରସିଦ୍ଧ ମା’ବୁଢ଼ୀ ସାଆନ୍ତାଣୀଙ୍କ ଯାତ୍ରା