ଶାରଦୀୟ ନବରାତ୍ରୀ: ମା’ଙ୍କ ଚତୁର୍ଥ ସ୍ବରୂପ ମା’ କୁଷ୍ମାଣ୍ଡା, ଜାଣନ୍ତୁ ପୂଜା ବିଧି ଓ ଭୋଗ

ଅକ୍ଟୋବର ୭ ତାରିଖରୁ ଶାରଦୀୟ ନବରାତ୍ରି ଆରମ୍ଭ ହୋଇଛି। ଏହି ନବରାତ୍ରୀରେ ୯ ଦିନ ପର୍ଯ୍ଯନ୍ତ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ସ୍ବରୂପକୁ ପୂଜା କରାଯାଏ। କିନ୍ତୁ ଏଥର ନବରାତ୍ରି ୮ ଦିନ ପଡିବ। ତୃତୀୟ ଓ ଚତୁର୍ଥ ନବରାତ୍ରୀ ଶନିବାର ଦିନ ଏକାସାଙ୍ଗେ ପଡୁଛି। ୯ ତାରିଖ, ଶନିବାର ସକାଳ ୭ଟା ୩୮ ମିନିଟ ଯାଏଁ ତୃତୀୟା ତିଥି ଓ ଏହାପରେ ଚତୁର୍ଥୀ ତିଥି ଲାଗିବ। ତୃତୀୟା ତିଥିରେ ମା’ଙ୍କ ତୃତୀୟ ସ୍ୱରୂପ ମା’ ଚନ୍ଦ୍ରଘଣ୍ଟା ଓ ଚତୁର୍ଥୀ ତିଥିରେ ମା’ଙ୍କ ଚତୁର୍ଥ ସ୍ୱରୂପ ମା’ କୁଷ୍ମାଣ୍ଡାଙ୍କୁ ଆରାଧନା କରାଯାଏ।
ଶାରଦୀୟ ନବରାତ୍ରୀର ଆଜି ଚତୁର୍ଥ ଦିନରେ ମା କୁଷ୍ମାଣ୍ଡା ରୂପରେ ପାଇଥାନ୍ତି। ନିଜର ମନ୍ଦହାସ ଦ୍ଵାରା ବ୍ରହ୍ମାଣ୍ଡକୁ ଉତ୍ପନ କରିଥିବା କାରଣରୁ ମାତାଙ୍କୁ କୁଷ୍ମାଣ୍ଡା ଦେବୀ ନାମରେ ଅଭିହିତ କରାଯାଇଛି । ମା ଙ୍କର ନିବାସରେ ସୂର୍ଯ୍ୟ ମଣ୍ଡଳର ଅନ୍ତଃଲୋକରେ ସୂର୍ଯ୍ୟ ସମାନ ଜ୍ୟୋତି ଓ ପ୍ରଭାରେ ଦଶଦିଗ ଉଦଭାସିତ ହୋଇଥାଏ। ମାଆ ଙ୍କର ଭୁଜ ସଂଖ୍ୟା ଆଠ, ମା ଅଷ୍ଟଭୁଜା ଅଟନ୍ତି। କମଣ୍ଡଳୁ, ଧନୁ ବାଣ, କମଳ ପୁଷ୍ପ, ଅମୃତ ପୂର୍ଣ୍ଣ କଳସ, ଚକ୍ର, ଗଦା ଆଦିରେ ପରିଶୋଭିତ ହୋଇଥାନ୍ତି ମା। ଏହିଦିନ ମା ସାଧକମାନଙ୍କର ମନ ଅନାହତ ଚକ୍ରରେ ସ୍ଥିତ ହୋଇଥାଏ। ମା ଙ୍କୁ ଭକ୍ତି କଲେ ଆୟୁ, ଯଶ, ବଳ, ସ୍ୱାସ୍ଥ୍ୟ ବୃଦ୍ଧି ହୋଇଥାଏ।
ଜାଣନ୍ତୁ ପୂଜା ବିଧି ଓ ଶୁଭ ମୁହୂର୍ତ୍ତ:
ସକାଳେ ଉଠି ସ୍ନାନ ସାରି ପୂଜା ସ୍ଥାନରେ ଗଙ୍ଗାଜଳ ଛିଞ୍ଚି ଶୁଦ୍ଧ କରିବେ। ପରିସ୍କାର ଏବଂ ସଫା ପୋଷାକ ପିନ୍ଧିବେ। ଏହାପରେ ପୂଜା ସ୍ଥାନରେ ଦୀପ ପ୍ରଜ୍ବଳିତ କରିବେ। ମା’ ଦୁର୍ଗାଙ୍କୁ ଗଙ୍ଗାଜଳରେ ଅଭିଷେକ କରିବେ। ମା’ଙ୍କୁ ଅକ୍ଷତ, ସିନ୍ଦୁର, ଲାଲ ଫୁଲ ଅର୍ପଣ କରିବେ। ପ୍ରସାଦରେ ଫଳ ଓ ମିଠା ଭୋଗ କରିବେ। ଧୂପ ଓ ଦୀପ ଲଗାଇ ଦୁର୍ଗା ଚାଳିଶା ପାଠ କରିବେ ଓ ମା’ଙ୍କ ଆଳତୀ କରିବେ।
ମା’ କୁଷ୍ମାଣ୍ଡାଙ୍କୁ ପ୍ରସନନ କରିବା ପାଇଁ ମାଲପୁଆ ଭୋଗ ଲଗାନ୍ତୁ।