ମା’ ଶାରଳାଙ୍କ ପୀଠରେ ଶେଷ ହେଲା ଚନ୍ଦନଯାତ୍ରା, ୨୧ ଦିନ ପର୍ଯ୍ୟନ୍ତ ଚାଲିଲା ସ୍ବତନ୍ତ୍ର ନୀତିକାନ୍ତି

ଜଗତସିଂହପୁର (କେନ୍ୟୁଜ): ଜଗନ୍ନାଥ ସଂସ୍କୃତିରେ ପବିତ୍ର ଅକ୍ଷୟ ତୃତୀୟାରୁ ଦେବାଦେବୀଙ୍କ ପୀଠରେ ଆରମ୍ଭ ହୁଏ ଚନ୍ଦନଯାତ୍ରା। ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡବାସିନୀ ମା’ଶାରଳାଙ୍କ ପୀଠରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇ ଶେଷ ହୋଇଛି ପ୍ରସିଦ୍ଧ ଚନ୍ଦନଯାତ୍ରା। ପ୍ରବଳ ଗ୍ରୀଷ୍ମପ୍ରବାହ ଓ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ମା’ଶାରଳା ଚନ୍ଦନ ପୁଷ୍କରିଣୀରେ ନୌକା ବିହାର କରିବା ସହ ପୁଷ୍କରିଣୀ ମଝି କୁଣ୍ଡି ମନ୍ଦିରରେ ଚନ୍ଦନ କୁଣ୍ଡିରେ ବିଶ୍ରାମ କରିବାର ପରମ୍ପରା ରହି ଆସିଛି। ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠେ ମାଙ୍କ ପୀଠ ।

ସକାଳୁ ସକାଳୁ ମା’ଶାରଳାଙ୍କ ମଙ୍ଗଳ ଆଳତି, ମାର୍ଜନା,ଅଭଡା ଲାଗି, ବାଳଧୂପ ପରି ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥାଏ। ମଧ୍ୟାହ୍ନରେ ମା’ଶାରଳାଙ୍କ ଚଳନ୍ତି ପ୍ରତିମା ମଦନମୋହନ ବେଶରେ ମନ୍ଦିର ବେଢା ପରିକ୍ରମା କରିବା ପରେ ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରି ଆଲଟ,ଚାମର,ଘଣ୍ଟଘଣ୍ଟା,କାହାଳୀ,ଭେରୀତୂରୀ,ବାଜାବାଣ ରୋଷଣୀ ଭକ୍ତଶ୍ରଦ୍ଧାଳୁଙ୍କ ଗହଣରେ ମା’ଶାରଳା ଚନ୍ଦନ ପୁଷ୍କରିଣୀକୁ ଯାତ୍ରା କରିଥାନ୍ତି। ଚନ୍ଦନ ପୁଷ୍କରିଣୀ ଗଣେଶ ମନ୍ଦିରରୁ ମା’ଶାରଳାଙ୍କୁ ନୌକାରେ ବସାଇ ସେବାୟତ ମାନେ ବାଦ୍ୟ ଧ୍ୱନି ସହ ଗୀତ ଗୋବିନ୍ଦ ଗାଇଗାଇ ନୌକା ବିହାର କରାଇବାର ଅପୂର୍ବ ଦୃଶ୍ଯକୁ ଶତାଧିକ ଭକ୍ତଶ୍ରଦ୍ଧାଳୁ ପ୍ରତିଦିନ ଉପଭୋଗ କରିନ୍ତି । ମା’ଶାରଳା ଅକ୍ଷୟ ତୃତୀୟା ଦିନ ଠାରୁ ପ୍ରତେକ ଦିନ ମଧ୍ୟାହ୍ନରେ ଗୋଟିଏ ଘେରା ଲେଖାଏଁ ଅଧିକ ନୌକା ବିହାର କରି ଚନ୍ଦନ ପୁଷ୍କରିଣୀରେ ବିଶ୍ରାମ କରି ରାତ୍ରରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥାନ୍ତି।ସୂର୍ଯ୍ଯକୁ ପୃଥିବୀ ପରିକ୍ରମା କରିବା ପରି ପୁଷ୍କରିଣୀ ମଝି ମନ୍ଦିରକୁ ୨୧ଦିନରେ ୨୧ଘେରା ପ୍ରଦିକ୍ଷଣ କରିବାର ନିଆରା ପରମ୍ପରା ଏଠାରେ ଦେଖିବାକୁ ମିଳେ।

chandan jatra

ଭକ୍ତଙ୍କ କହିବା ଅନୁସାରେ ପବିତ୍ର ଅକ୍ଷୟ ତୃତୀୟା ଠାରୁ ୨୧ଦିନ ବ୍ଯାପି ମା’ଶାରଳାଙ୍କ ଚନ୍ଦନଯାତ୍ରା କେଉଁ ଆବାହମାନ କାଳରୁ ହୋଇ ଆସୁଛି।ମା’ଶାରଳା ପରମବୈଷ୍ଣବୀ, ପ୍ରତ୍ୟେକ ଅମାବାସ୍ଯା ତିଥିରେ ଜଗନ୍ନାଥଙ୍କ ବେଶ ଧାରଣ କରିଥାନ୍ତି ମା । ମା’ଶାରଳାଙ୍କୁ ତୁଳସୀ, ବେଲପତ୍ର ଲାଗି କରାଯାଉଥିବା ବେଳେ ମା’ଶାରଳାଙ୍କ ଚଳନ୍ତି ପ୍ରତିମା ମଦନମୋହନ ବେଶରେ ନୌକା ବିହାର କରିଥାନ୍ତି। ଚନ୍ଦନଯାତ୍ରାରେ ମା’ଶାରଳାଙ୍କୁ ଦର୍ଶନ କଲେ ମାନସିକ ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଗତ ଦୁଇବର୍ଷ ଧରି କରୋନା ମହାମାରୀ ପାଇଁ ବିନା ଭକ୍ତରେ ମା’ଶାରଳାଙ୍କ ଚନ୍ଦନଯାତ୍ରା ହୋଇଥିବା ବେଳେ ଚଳିତବର୍ଷ ଚନ୍ଦନଯାତ୍ରାରେ ଭକ୍ତଶ୍ରଦ୍ଧାଳୁ ମାନେ ସାମିଲ ହୋଇ ଆନନ୍ଦ ଅନୁଭବ କରିବା ସହ ମନ୍ଦିର ପ୍ରଶାସନର ଆୟୋଜନକୁ ପ୍ରଶଂସା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.