ପୁଅର ପଢ଼ା ଖରାପ ନ ହେଉ ବୋଲି ୧୦୫ କିଲୋମିଟର ସାଇକେଲ ଚଳାଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇଲେ ବାପା

ପାଠପଢ଼ାର ମୂଲ୍ୟକୁ ବୁଝିପାରି ପୁଅକୁ ସାଇକେଲରେ ବସାଇ ପରୀକ୍ଷା କେନ୍ଦ୍ର ନେଇଛନ୍ତି ଜଣେ ବାପା। ମଧ୍ୟପ୍ରଦେଶର ଧାର ଜିଲ୍ଲାର ଏକ ଗାଁର ୩୮ ବର୍ଷୀୟ ଗରିବ ତଥା ଅଶିକ୍ଷିତ ବ୍ୟକ୍ତି ନିଜ ପୁଅକୁ ଦଶମ ବୋର୍ଡ ପରୀକ୍ଷା ଦେବା ପାଇଁ ୧୦୫ କିଲୋମିଟର ଦୂର ପରୀକ୍ଷା କେନ୍ଦ୍ରକୁ ସାଇକେଲରେ ବସାଇ ନେଇଛନ୍ତି।

ଶୋଭାରାମ ନାମକ ଏହି ବ୍ୟକ୍ତି ପୁଅକୁ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ସୋମବାର ଖାଇବା ପିଇବା ସାମଗ୍ରୀ ସହ ଯାତ୍ରା ଆରମ୍ଭ କରିଥିଲେ। ରାତିରେ ସେ ଗୋଟିଏ ସ୍ଥାନରେ କିଛି ସମୟ ପାଇଁ ବିଶ୍ରାମ ନେଇଥିଲେ। ମଙ୍ଗଳବାର ଦିନ ନିର୍ଦ୍ଧାରିତ ସମୟରେ ସେ ପୁଅକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇଥିଲେ।

ସୂଚନାଯୋଗ୍ୟ ଯେ କରୋନା ମହାମାରୀ ଯୋଗୁ କେତେକ ସ୍ଥାନରେ ଏବେ ବି ବସ୍‌ ଚଳାଚଳ ବନ୍ଦ ରହିଛି। ଶୋଭାରାମଙ୍କ ପାଖରେ ପୁଅକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ସାଇକେଲ ବ୍ୟତୀତ ଆଉ କିଛି ମାଧ୍ୟମ ନ ଥିଲା। ଅର୍ଥ ଅଭାବରୁ ସେ ଟ୍ୟାକ୍‌ସି କିମ୍ବା ଅନ୍ୟ ଗାଡ଼ି ଭଡ଼ା କରିବାକୁ ଅସମର୍ଥ ଥିଲେ। ଏଣୁ ନିଜେ ସାଇକେଲ ଚଳାଇ ପୁଅକୁ ପରୀକ୍ଷା କେନ୍ଦ୍ରକୁ ଆଣିଛନ୍ତି।

ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ୨୦୨୦ ପରୀକ୍ଷାରେ ଅନୁତୀର୍ଣ୍ଣ ହୋଇଥିବା ପିଲାଙ୍କ ପାଇଁ ‘ରୁକ୍‌ ଜାନା ନେହିଁ’ ଯୋଜନା ତିଆରି ହୋଇଛି। ଏହି ଯୋଜନାରେ ଉତ୍ତୀର୍ଣ୍ଣ ହୋଇନଥିବା ବିଦ୍ୟାର୍ଥୀଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଉଛି, ଯାହାର ପରୀକ୍ଷା କେନ୍ଦ୍ର ଜିଲ୍ଲାରେ ଗୋଟିଏ ସ୍ଥାନରେ କରାଯାଇଛି। ଏଣୁ ଶୋଭାରାମଙ୍କୁ ଏତେ ବାଟ ସାଇକେଲ ଚଳାଇ ଆସିବାକୁ ପଡ଼ିଥିବା ଜଣାଯାଇଛି।

Leave A Reply

Your email address will not be published.