ମାଘ ପୂର୍ଣ୍ଣିମାରେ ଦେବତାମାନେ ଶେଷ ଥର ପାଇଁ ସ୍ନାନ କରି ଦେବଲୋକକୁ କରିଥାନ୍ତି ପ୍ରସ୍ଥାନ, ଜାଣନ୍ତୁ ଏହି ଦିନର ବିଶେଷତ୍ୱ
କର୍କଟ ରାଶିରେ ଚନ୍ଦ୍ର ଓ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କଲେ ମାଘ ପୂର୍ଣ୍ଣମାର ପବିତ୍ର ଯୋଗ ପଡ଼େ। ଚଳିତବର୍ଷ ଫେବ୍ରୁଆରୀ ୨୭ ତାରିଖରେ ଏହି ଯୋଗ ବନୁଛି। ବ୍ରହ୍ମବୈବର୍ତ୍ତ ପୁରାଣ, ପଦ୍ମ ପୁରାଣ ଓ ନିର୍ଣ୍ଣୟାସିନ୍ଧୁରେ କୁହାଯାଇଛି ଯେ ମାଘ ପୂର୍ଣ୍ଣିମା ଦିନ ସ୍ୱୟଂ ଭଗବାନ ବିଷ୍ଣୁ ଗଙ୍ଗାଜଳରେ ନିବାସ କରିଥାନ୍ତି। ଏଣୁ ଏହି ଦିନ ଗଙ୍ଗାଜଳକୁ ସ୍ପର୍ଶ କଲେ ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି ମାନ୍ୟତା ରହିଛି।
ଜ୍ୟୋତିଷଙ୍କ ମତରେ, ଏହି ଯୋଗରେ ସ୍ନାନ କରିବା ଦ୍ୱାରା ସୂର୍ଯ୍ୟ ଓ ଚନ୍ଦ୍ରମାଯୁକ୍ତ ଦୋଷରୁ ମୁକ୍ତି ମିଳିଥାଏ। ଏଣୁ ସୃଷ୍ଟିର ପାଳନକର୍ତ୍ତା ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ମାଘ ପୂର୍ଣ୍ଣିମାରେ ସ୍ନାନ ଖୁବ୍ ଫଳଦାୟୀ ହୋଇଥାଏ। ଏହି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଦ୍ୱାରା ସମସ୍ତ ରୋଗ ଓ ଶୋକରୁ ମୁକ୍ତି ମିଳିଥାଏ।
ଶାସ୍ତ୍ର ମୁତାବକ, ଯେଉଁମାନେ ମାଘ ପୂର୍ଣ୍ଣିମାରେ ପବିତ୍ର ଜଳରେ ସ୍ନାନ କରିଥାନ୍ତି, ସେମାନେ ସ୍ୱର୍ଗଲୋକରେ ସ୍ଥାନ ପାଇଥାନ୍ତି। ଏହି ଦିନ ସ୍ନାନ ଓ ଦାନ କରିବା ସମୟରେ ‘ଓଁ ନମୋ ଭଗବତେ ବାସୁଦେବାୟ ନମଃ’ ଜପ କରିବା ଉଚିତ। ବିଶ୍ୱାସ ରହିଛି ଯେ ଏହି ଦିନ ସମସ୍ତ ଦେବାଦେବୀ ପୃଥିବୀକୁ ଆସି ପ୍ରୟାଗରେ ସ୍ନାନ, ଦାନ କରିବା ସହ ମନୁଷ୍ୟ ବେଶ ଧାରଣ କରି ଭଜନ, ସତ୍ସଙ୍ଗରେ ଭାଗ ନେଇଥାନ୍ତି। ମାଘ ପୂର୍ଣ୍ଣିମାରେ ସମସ୍ତ ଦେବାଦେବୀ ଶେଷ ଥର ସ୍ନାନ କରି ନିଜ ଲୋକକୁ ପ୍ରସ୍ଥାନ କରିଥାନ୍ତି।
ଏହି ଦିନ ଭଗବାନ ସତ୍ୟନାରାୟଣଙ୍କ କଥା ପାଠ କରିବାର ବିଶେଷ ମହତ୍ତ୍ୱ ରହିଛି। ମାଘ ପୂର୍ଣ୍ଣିମାରେ ପବିତ୍ର ଜଳରେ ସ୍ନାନ କରିବା ଦ୍ୱାରା ଈଶ୍ୱର ପ୍ରସନ୍ନ ହୋଇଥାନ୍ତି। ଏହି ଦିନ ଯଥାଶକ୍ତି ଦାନ କରିବା ଉଚିତ୍। ପୂର୍ଣ୍ଣିମାରେ କମ୍ବଳ, ବସ୍ତ୍ର, ଗୁଡ଼, ଘିଅ, ଲଡ଼ୁ, ଅନ୍ନ ଆଦି ଦାନ କରିବା ଉତ୍ତମ ହୋଇଥାଏ। ଏହି ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ, ତର୍ପଣ କରିବା ପରମ୍ପରା ମଧ୍ୟ ରହିଛି। ଏହା ଦ୍ୱାରା ସୁଖ ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।