ମହାଭାରତ ସମ୍ପର୍କରେ କିଛି ଅଜଣା ରୋଚକ ତଥ୍ୟ, ଯାହା ଆପଣ ଜାଣିନାହାନ୍ତି

ହିନ୍ଦୁମାନଙ୍କ ପବିତ୍ର ଧର୍ମଗ୍ରନ୍ଥ ମଧ୍ୟରେ ମହାଭାରତ ଅନ୍ୟତମ। ଭାଇ-ଭାଇ ମଧ୍ୟରେ ସାମାନ୍ୟ ଗଣ୍ଡଗୋଳର ପରିଣତି ଯେ କେତେ ଭୟଙ୍କର ହୋଇପାରେ ତାହା ମହାଭାରତ ଶିକ୍ଷା ଦେଇଥାଏ। ଯୁଗେ ଯୁଗେ ଅଧର୍ମର ବିନାଶ ପାଇଁ ଭଗବାନ ଧରାପୃଷ୍ଠରେ ଅବତରଣ କରି ଧର୍ମରକ୍ଷା କରିଥାନ୍ତି ବୋଲି ମହାଭାରତରୁ ଶିକ୍ଷା ମିଳିଥାଏ। ନାରୀକୁ ଉପଯୁକ୍ତ ସମ୍ମାନ, ବୟୋଜ୍ୟେଷ୍ଠଙ୍କୁ ଭକ୍ତି, ସର୍ବୋପରି ଈଶ୍ୱରଙ୍କୁ ସ୍ମରଣ କରି ସମସ୍ତ କାର୍ଯ୍ୟ କରିବାକୁ ପବିତ୍ର ମହାଭାରତ ଗ୍ରନ୍ଥରେ ଉପଦେଶ ଦିଆଯାଇଛି। ତେବେ ଆମେ ଶୁଣିଆସୁଥିବା ବା ଜାଣିଥିବା ମହାଭାରତର ଅନ୍ୟ ଏକ କାହାଣୀ ମଧ୍ୟ ରହିଛି। କେତେକ ପୁରାଣରେ ମହାଭାରତକୁ ଅନ୍ୟ ଭାବେ ମଧ୍ୟ ଉପସ୍ଥାପିତ କରାଯାଇଛି। ସେ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା:

୧.ଦୁର୍ଯ୍ୟୋଧନ ନୁହେଁ, ସୂର୍ଯ୍ୟୋଧନ

ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ଶତ ପୁତ୍ରକନ୍ୟା ଥିବା ମହାଭାରତରେ ବର୍ଣ୍ଣନା କରାଯାଇଛି। ସେମାନଙ୍କ ମଧ୍ୟରେ ଦୁର୍ଯ୍ୟୋଧନ ଓ ଦୁଃଶାସନ ଅନ୍ୟତମ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁର୍ଯ୍ୟୋଧନଙ୍କ ପ୍ରକୃତ ନାମ ହେଉଛି ସୂର୍ଯ୍ୟୋଧନ। ସେହିଭଳି ଦୁଃଶାସନଙ୍କ ନାଁ ହେଉଛି ସୁଶାସନ। ଅପକର୍ମ ପାଇଁ ସେମାନଙ୍କ ନାଁକୁ ଏଭଳି କଦାକାର କରାଯାଇଥିବା ବିଶ୍ୱାସ ରହିଛି।

୨.ଦ୍ରୌପଦୀଙ୍କ ସ୍ୱୟଂବରକୁ କାହିଁକି ଗଲେନି ଦୁର୍ଯ୍ୟୋଧନ

ଦ୍ରୌପଦୀଙ୍କ ସ୍ୱୟଂବର ପୂର୍ବରୁ ହିଁ ଦୁର୍ଯ୍ୟୋଧନଙ୍କ ବିବାହ ହୋଇସାରିଥିଲା। ସେ କଳିଙ୍ଗର ରାଜକୁମାରୀ ଭାନୁମତୀଙ୍କୁ ବିବାହ କରିଥିଲେ। ଭାନୁମତୀଙ୍କୁ ପତ୍ନୀଭାବେ ଗ୍ରହଣ କରିସାରିବା ପରେ ସେ ଦ୍ୱିତୀୟ ବିବାହ କରିବେ ନାହିଁ ବୋଲି ଶପଥ କରିଥିଲେ। ଏଣୁ ଦ୍ରୌପଦୀଙ୍କ ସ୍ୱୟଂବରରେ ସେ ଯୋଗ ଦେଇନଥିଲେ।

୩. ପାଣ୍ଡବଙ୍କୁ ବିରୋଧ କରୁନଥିଲେ ସବୁ କୌରବ

କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ର ହରଣକୁ ସମସ୍ତ କୌରବ ସମର୍ଥନ କରୁଥିବା ବେଳେ ଦୁଇ ଜଣ କିନ୍ତୁ ବିରୋଧ କରୁଥିଲେ। ସେମାନେ ହେଲେ ଧୃତରାଷ୍ଟ୍ରଙ୍କ ଦୁଇ ପୁତ୍ର ବିକର୍ଣ୍ଣ ଏବଂ ଯୁଯୁଛୁ। ଦୁର୍ଯ୍ୟୋଧନଙ୍କ ଅଶାଳୀନ ମନ୍ତବ୍ୟ ଓ ଅଭଦ୍ର ବ୍ୟବହାରକୁ ସେମାନେ ତୀବ୍ର ବିରୋଧ କରୁଥିଲେ। ଏଥିସହ ଦ୍ରୌପଦୀଙ୍କୁ ଛାଡ଼ି ଦେବାକୁ ମଧ୍ୟ ଅନୁରୋଧ କରୁଥିଲେ।

୪.ଏକଲବ୍ୟଙ୍କ ଅବତାର ଥିଲେ ଦ୍ରୌପଦୀଙ୍କ ଭାଇ

ବାସୁଦେବଙ୍କ ଭାଇ ରୂପେ ଦେବଶ୍ରବା ଜନ୍ମଗ୍ରହଣ କରିଥିଲେ। ଏକଦା ଏକଲବ୍ୟ ଜଙ୍ଗଲରେ ହଜିଯାଇଥିବା ବେଳେ ନିଶାଦର ରାଜା ହିରଣ୍ୟଧନୁ ତାଙ୍କୁ ଉଦ୍ଧାର କରି ନିଜ ପାଖରେ ଆଶ୍ରୟ ଦେଇଥିଲେ। ଋକ୍ମିଣୀଙ୍କ ଅପହରଣ ବେଳେ କୃଷ୍ଣ ତାଙ୍କୁ ବଧ କରିଥିଲେ। ତେବେ ଗୁରୁଦକ୍ଷିଣା ଭାବେ ସେ ଦେଇଥିବା ମହାନ୍‌ ବଳିଦାନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ କୃଷ୍ଣ ତାଙ୍କୁ ଆଶୀର୍ବାଦ କରିଥିଲେ। ଆଶୀର୍ବାଦ ଅନୁସାରେ ସେ ଦ୍ରୌପଦୀଙ୍କ ଯାଆଁଳା ଭାଇ ଧୃଷ୍ଟଦ୍ୟୁମ୍ନଙ୍କ ରୂପରେ ପୁନର୍ଜନ୍ମ ନେଇ ଦ୍ରୋଣଙ୍କ ଠାରୁ ପ୍ରତିଶୋଧ ନେଇଥିଲେ।

୫.କୌରବଙ୍କ ବିନାଶର କାରଣ ଶକୁନୀ

କୁରୁ ବଂଶର ବିନାଶର କାରଣ ହେଉଛନ୍ତି ମାମୁ ଶକୁନୀ। ଗାନ୍ଧାରୀଙ୍କ ଭାଇ ଶକୁନୀ ହିଁ କୌରବଙ୍କ ତଳିତଳାନ୍ତ ହେବାର ଏକମାତ୍ର କାରଣ। ଶାସ୍ତ୍ର ଅନୁସାରେ, ଧୃତରାଷ୍ଟ୍ର ପତ୍ନୀ ଗାନ୍ଧାରୀଙ୍କ ବଂଶଜଙ୍କୁ ବନ୍ଦୀ କରିରଖିଥିଲେ। ଧୃତରାଷ୍ଟ୍ରଙ୍କ ଏଭଳି ବ୍ୟବହାରର ପ୍ରତିଶୋଧ ନେବା ପାଇଁ ଗାନ୍ଧାରୀଙ୍କ ପିତା ରାଜା ସୁବଳ ପ୍ରତିଜ୍ଞା କରିଥିଲେ। ଏଣୁ ସମସ୍ତେ ନିଜ ନିଜ ଭାଗର ଖାଦ୍ୟ ସାନ ପୁଅକୁ ଦେଇ ତାକୁ ବଞ୍ଚାଇ ରଖିଥିଲେ। ଶକୁନୀ ହେଉଛନ୍ତି ସେହି ସାନ ପୁଅ। ପରିବାରର କଷ୍ଟର ପ୍ରତିଶୋଧ ନେବାକୁ ଯାଇ ସେ ଭଉଣୀ ଗାନ୍ଧାରୀଙ୍କ ବଂଶକୁ ନିପାତ କରିଥିଲେ।

୬.ଭୀଷ୍ମଙ୍କ ପ୍ରକୃତ ନାମ ଦେବବ୍ରତ

ଦେବବ୍ରତ ଛୋଟ ଥିବା ବେଳେ ତାଙ୍କ ପିତା ତଥା ହସ୍ତିନାପୁରର ରାଜା ଶାନ୍ତନୁ ଥରେ ଜଙ୍ଗଲକୁ ଶିକାର କରିବାକୁ ଯାଇ ସତ୍ୟବତୀ ନାମ୍ନୀ ଜଣେ କେଉଟଙ୍କ କନ୍ୟାକୁ ପ୍ରେମ କରି ବସିଲେ। ମାତ୍ର ସତ୍ୟବତୀଙ୍କ ପିତା ଝିଅ ଓ ତାଙ୍କ ସନ୍ତାନର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ଶାନ୍ତନୁଙ୍କ ଅନ୍ତେ ଦେବବ୍ରତ ରାଜସିଂହାସନରେ ବସିବେ ଏବଂ ତାଙ୍କ କନ୍ୟାର ସନ୍ତାନଙ୍କୁ କୌଣସି ମର୍ଯ୍ୟାଦା ନ ମିଳିବା ଆଶଙ୍କା କରି ଶାନ୍ତନୁଙ୍କ ସହ ତାଙ୍କ କନ୍ୟାର ବିବାହ କରିବାକୁ ମନା କରିଥିଲେ। ରାଜ୍ୟକୁ ଫେରିବା ପରେ ଶାନ୍ତନୁଙ୍କ ବିଷର୍ଣ୍ଣତାର କାରଣ ଜାଣିପାରି ଦେବବ୍ରତ ବିବାହ ନ କରିବାକୁ ପ୍ରତିଜ୍ଞା କରିଥିଲେ। ନିଜ ପ୍ରତିଜ୍ଞା ରଖିବାକୁ ସେ ଚିରକୁମାର ରହିଥିଲେ। ଏଣୁ ତାଙ୍କ କଠୋର ପ୍ରତିଜ୍ଞା ପାଇଁ ସେ ଭୀଷ୍ମ ଭାବେ ପରିଚିତ।