ମହୁଲ ଫୁଲର ଅଭାବି ବିକ୍ରିକୁ ନେଇ ଏବେ ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲାର ମହୁଲ ଗୋଟାଳୀ

ସୁବର୍ଣ୍ଣପୁର: କଥାରେ ଅଛି ଅମୁଲ ମୂଲ ମହୁଲ ଫୁଲ । ଏହାରି ବାସ୍ନାରେ ମହକି ଯାଏ ସାରା ପରିବେଶ । ମହୁଲ ଫୁଲର ଅନେକ ଔଷଧିୟ ଗୁଣ ରହିଛି । ଏହାକୁ ରାନ୍ଧି ମହୁଲି ମଦ ମଧ୍ୟ ପ୍ରସ୍ତୁତ କରାଯାଏ । ତେଣୁ ଏହାର ଚାହିଦା ବେଶି ଥିବାରୁ ଏହା ଚଢା ଦରରେ ବିକ୍ରୟ ହୁଏ । ଯାହାଫଳରେ ମହୁଲ ସଂଗ୍ରହ କରି କିଛି ଲୋକଙ୍କ ତେଲ ଲୁଣର ସଂସାର ଚଳେ । ହେଲେ ବର୍ତ୍ତମାନ ସମୟରେ ଆଉ ଗାଁକୁ ଆସୁ ନାହାଁନ୍ତି ବେପାରି । କ୍ଵିଣ୍ଟାଲ କ୍ଵିଣ୍ଟାଲ ମହୁଲ ସଂଗ୍ରହ କରି ରଖିଥିବା ମହୁଲ ଗୋଟାଳୀ ବିକ୍ରି ବଟାକୁ ନେଇ ଚିନ୍ତାରେ । ଯାହା ସଂଗ୍ରହ କରାଯାଇ ରଖା ଯାଇଛି ସେସବୁ ଖଳାରେ ପଡିରହିଛି ।

କିଭଳି ବିକ୍ରି କରି ଦୁଇ ପଇସା ପାଇବେ ଏବେ ଏମାନେ ସେଇ ଚିନ୍ତାରେ । ତେଣୁ ବାଧ୍ୟ ହୋଇ ଏମାନେ ଶାଗ ମାଛ ଦରରେ ଗାଁ ଦୋକାନରେ ୨୦ ରୁ ୨୫ଟଙ୍କା ଦରରେ ବିକ୍ରି କରୁଛନ୍ତି । ତେଣୁ ସୁବର୍ଣ୍ଣପୁର ଜିଲ୍ଲାରେ ସରକାରୀ ଲାଇସେନ୍ସ ପ୍ରାପ୍ତ ଡିଲର ନିଯୁକ୍ତ କରିବାସହ ମହୁଲ ଫୁଲ କେଜି ପ୍ରତି ୮୦ରୁ ୧୦୦ଟଙ୍କା ଦରରେ ବିକ୍ରି ପାଇଁ ଦାବି କରିଛନ୍ତି ଏମାନେ ।

ସୁବର୍ଣ୍ଣପୁର ଜିଲ୍ଲାରେ ରହିଛି ଅନେକ ଜଙ୍ଗଲି ଗାଁ । ପାଖା ପାଖି ୧୦୦ରୁ ଅଧିକ ଗାଁ ଲୋକେ ମହୁଲ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଉଛନ୍ତି । ଏପରିକି ବର୍ଷ ଯାକର ତେଲ ଲୁଣର ସଂସାର ମଧ୍ୟ ଚଳେ । ଗାଁ ଗହଳିରେ ଗରିବ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ମାଗଣା ରାସନ ଚାଉଳ ଦିଆଯାଉଛି ସତ ହେଲେ ଜଙ୍ଗଲୀ ଯାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି ଏମାନେ । ସରକାରୀ ଦରରେ ଯଦି ମହୁଲ କିଣାଯାଇପାରନ୍ତା ତାହେଲେ ଏମାନେ ଅଧିକ ଦୁଇ ପଇସା ରୋଜଗାର କରିପାରନ୍ତେ ବୋଲି ଦାବି କରିଛନ୍ତି ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ୩୩ ଭାଗ ଜଙ୍ଗଲ ରହିଥିବା ବେଳେ ମହୁଲ ଗଛସଂଖ୍ୟା ପ୍ରାୟ ୭ ଭାଗ ରହିଛି । ସେଠାରୁ ମହୁଲ ଫୁଲ ସଂଗ୍ରହ କରୁଥିବା ଲୋକେ କେହି ଲାଇସେନ୍ସ ପ୍ରାପ୍ତ ନୁହଁନ୍ତି ।ଜିଲ୍ଲାରେ ଜଣେ ମାତ୍ର ଲାଇସେନ୍ସ ପ୍ରାପ୍ତ ଠିକାଦାର ରହିଛନ୍ତି । ସେ ତାଙ୍କ ମନମୁଖୀ କିଣୁଛନ୍ତି । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ମହୁଲଫୁଲର ଅଭାବି ବିକ୍ରି ମହୁଲ ଫୁଲ ଗୋଟାଳୀଙ୍କ ପେଟରେ ଲାତ ମାରିଛି । ମହୁଲ ଫୁଲ ବିକ୍ରି କରି ପରିବା ଭରଣ ପୋଷଣ କରୁଥିବା ଆଦିମ ଜନଜାତିର ଲୋକେ କିଭଳି ପରିବାର ଚଳାଇବେ ଏବେ ସେଇ ଚିନ୍ତାରେ । କେବେ ବେପାରୀ ଆସି ମହୁଲ ନେବେ ଏବଂ ଏମାନଙ୍କର ଦୁଃଖ ଯିବ ତାକୁ ହିଁ ଅପେକ୍ଷା ।

ଆହୁରି ପଢନ୍ତୁ:ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ : ଏଏସ୍‌ଆଇ