ରସୁଲଗଡ଼ ଫ୍ଲାଏ ଓଭରରେ ସେଇ ଛାତିଥରା ହତ୍ୟାକାଣ୍ଡ, ମାଷ୍ଟର ମାଇଣ୍ଡ ସୁଶାନ୍ତ ଏବେ ପୋଲିସ୍ କବଜାରେ

ଭୁବନେଶ୍ୱର : ଭୁବନେଶ୍ୱର ରସୁଲଗଡ଼ ଫ୍ଲାଏ ଓଭରରେ ଯୁବକଙ୍କୁ ବୀଭତ୍ସ ହତ୍ୟା ମାମଲା ଦୋହଲାଇ ଦେଇଥିଲା ସମଗ୍ର ରାଜଧାନୀକୁ । ପୋକ ମାଛି ଭଳି ମଣିଷ ମଣିଷର ଜୀବନ ନେବାକୁ ବି ପଛଘୁଞ୍ଚା ଦେଇନଥିଲା । ଆଗପଛ ବିଚାର କରିବାର ଜ୍ଞାନ ହରାଇ ବସିଥିଲେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଅପରାଧୀମାନେ । ପୂର୍ବ ଶତ୍ରୁତାକୁ ନେଇ ଘଟାଇଥିଲେ ଏଭଳି କାଣ୍ଡ ଯାହା ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିଲେ ।
ତେବେ ଏହି ବହୁଚର୍ଚ୍ଚିତ ସହଦେବ ନାୟକ ହତ୍ୟା ମାମଲାରେ ପୋଲିସ୍ କୁ ମିଳିଛି ବଡ ସଫଳତା । ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଏବେ ଗିରଫ କରିଛି ପୋଲିସ୍ । ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକକୁ ଗିରଫ କରିଛି କମିସନରେଟ ପୋଲିସ୍ । କଟକ ଜିଲ୍ଲା କାନପୁର ଥାନା ଚମ୍ପେଶ୍ୱର୍ ଅଞ୍ଚଳରୁ ତାକୁ ଗିରଫ କରାଯାଇଛି । ସୁଶାନ୍ତ ହତ୍ୟାକାଣ୍ଡ ପରେ ନିଜ ବାଇକ୍ ଛାଡି ପଳାଇଥିଲା । ଏହାକୁ ମିଶାଇ ଏହି ଘଟଣାରେ ମୋଟ୍ ୮ ଜଣ ଗିରଫ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଫେବୃୟାରୀ ୧୬ରେ ମଞ୍ଚେଶ୍ୱର ଥାନାରେ ସହଦେବ ସାହୁ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ରମା ନାଏକ ଆତ୍ମସମର୍ପଣ କରିଥିଲା । ଘଟଣା ପରଠାରୁ ରମା ନାଏକ ଫେରାର ଥିଲା । ପୋଲିସ୍ ତାକୁ ଧରିବା ପାଇଁ ଖୋଜୁଥିଲା । ରମା ନାଏକ ଆତ୍ମସମର୍ପଣ କରିବା ପରେ ଗିରଫ କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ୍ । ବର୍ତ୍ତମାନ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁଶାନ୍ତ ନାୟକକୁ କାବୁ କରିଛି ପୋଲିସ୍ ।
ଖବର ଥାଉକି, ସେଦିନ ଥିଲା ଜାନୁଆରୀ ୮ ତାରିଖ ବୁଧବାର । ସକାଳ ସମୟରେ ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜ୍ ନିକଟରେ ଘଟିଥିଲା ଏକ ବିଭତ୍ସ ହତ୍ୟାକାଣ୍ଡ । ଆଉ ଦେଖୁ ଦେଖୁ ପବନ ବେଗରେ ପ୍ରଚାର ହୋଇଗଲା ଖବର । ମୃତ ଯୁବକ ଜଣକ ଥିଲେ କେଦାରପଲ୍ଲୀ ବସ୍ତି ଅଞ୍ଚଳର ସହଦେବ ନାୟକ । ସହଦେବ ଥିଲେ ଜଣେ ପୋଲିସ ମିତ୍ର । ସହଦେବ ନାୟକଙ୍କୁ ବାଇକ୍ରେ ଆସି ହତ୍ୟା କରାଯାଇଥିଲା । ମୃତକ ସହଦେବ ନାୟକ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ । ଝିଅକୁ ସ୍କୁଲରେ ଛାଡି ସ୍କୁଟିରେ ଯାଉଥିବାବେଳେ ତାଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରିଥିଲେ ।
ଏପଟେ ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ଵାମୀଙ୍କୁ ହତ୍ୟା କରାଯାଇଥିବା ନେଇ ସହଦେବଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ହତ୍ୟା ପରେ ଅଭିଯୁକ୍ତମାନେ ଦୟା ନଦୀରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଫିଙ୍ଗି ଦେଇଥିଲେ । ଅନ୍ୟପଟେ ପୂର୍ବ ଶତ୍ରୁତାରୁ ସହଦେବଙ୍କୁ ହତ୍ୟା କରାଯାଇଥିବା ଡିସିପି ସୂଚନା ଦେଇଥିଲେ । ଏହି ଘଟଣାର ତଦନ୍ତ ପାଇଁ ୩ଟି ସ୍ପେଶାଲ ଟିମ୍ ଗଠନ କରାଯାଇ ତନା ଘନା ଜାରି ରହିଥିଲା । ଶେଷରେ ଆଜି ମାଷ୍ଟମାଇଣ୍ଡ ସୁଶାନ୍ତ ନାୟକକୁ ଗିରଫ କରିଛି କମିସନରେଟ ପୋଲିସ୍ ।
ତେବେ ଦିନକୁ ଦିନ ରାଜଧାନୀରେ ବଢିଚାଲିଛି ଅପରାଧ । କେତେବେଳେ ଡ୍ରଗ୍ସ ତ କେତେବେଳେ ଲୁଟ୍, ଏମିତି ପ୍ରତିଦିନ ଚାଲିଛି ଅପରାଧିଙ୍କ ରାଜୁତି । ଗୋଟିଏ ପରେ ଗୋଟିଏ ଅପରାଧ ଘଟଣା ସାମ୍ନାକୁ ଆସୁଛି । ଯାହାକୁ ଏକ ଚାଲେଞ୍ଜ ଭାବେ ଗ୍ରହଣ କରି ସଫଳତା ପାଉଛି କମିସନରେଟ ପୋଲିସ୍ । ଯାହାର ଏକ ଉଦାହରଣ ହଦେବ ନାୟକ ହତ୍ୟା ମାମଲା ।
ଆହୁରି ପଢ଼ନ୍ତୁ :ପୁଣି ଖୋଲିଲା ନବ ଦାସ ହତ୍ୟା ମାମଲା ଡାଏରୀ, ଦୀପାଳି ଓ ବିଶାଳଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ