ମାଓ ଇଲାକାରେ ଗଣତନ୍ତ୍ରର ସ୍ୱର ଶୁଭୁଛି, ପ୍ରାର୍ଥୀଙ୍କ ପ୍ରଚାରପତ୍ର ଲାଗିଛି ମାଓ ଓ୍ଵାର୍‌ରୁମ ନିକଟରେ

ମାଲକାନଗିରି (କେନ୍ୟୁଜ୍‌) : ‘‘ବାବୁ ଏଠି ଆମେ ଜେଲ ଜୀବନ ବିତାଉଛୁ। ଯିବା ଆସିବାର କୌଣସି ସୁବିଧା ନାହିଁ। ଚିତ୍ରକୋଣ୍ଡା ଜଳ ଭଣ୍ଡାରର ଦୀର୍ଘ ୪୦ କିଲୋମିଟର ପାଣି ଭିତର ଦେଇ ପାର ହେଉଛୁ । ନିଜ ଗୁଜୁରାଣ ମେଣ୍ଟାଇବାକୁ ବହୁତ କଷ୍ଟ କରିବାକୁ ପଡୁଛି । ଲଞ୍ଚ ହିଁ ଏହି ଅଞ୍ଚଳର ଏକ ମାତ୍ର ସାହା ଭରସା। ଘରୁ ପାଦ କାଢ଼ିଲେ ୩ ଦିନ ଲାଗେ ଫେରିବା ପାଇଁ। ଲଞ୍ଚ କେବେ ଆସିବ କେବେ ଆସିବ ନାହିଁ ତାର କିଛି ଠିକଣା ନଥାଏ । ଏଠି ନା ଅଛି ମେଡିକାଲ, ନା ସ୍କୁଲ ଘର ନା ପଞ୍ଚାୟତ ଘର । ଏହି ଭଙ୍ଗା ଘରେ ରହିଛି ପଞ୍ଚାୟତ ଅଫିସ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା କାମର ବୋର୍ଡ ଲାଗିଛି କିନ୍ତୁ ଏହି ନା ରାସ୍ତା ନା ସମ୍ପୂର୍ଣ୍ଣ ହୋଇଛି ପୋଲ। ଆମ ଅଞ୍ଚଳର ବିକାଶ ଆବଶ୍ୟକ ସେଥିପାଇଁ ଆମେ ସରପଞ୍ଚ ଠିଆ କରିଛୁ । ମାଓବାଦୀଙ୍କୁ ବି ଆମେ କହି ଦେଇଛୁ, କେତେ ଦିନ ଆମେ ଏମିତି ଅନ୍ଧାରୀ ଜୀବନ କଟିବୁ ? ଆମ କଥାରେ ମାଓବାଦୀ ମଧ୍ୟ ରାଜି ହୋଇଛନ୍ତି। ତଥାପି ଭୟ ଲାଗୁଛି। ତେଣୁ ପୋଲିସ୍‌ର ସୁରକ୍ଷା ବ୍ୟବସ୍ଥା କରାଗଲେ ଆମେ ଭୋଟ୍‌ ଦେଇ ପାରିବୁ’’। … ଇଏ ହେଉଛି ଆମ ରାଜ୍ୟର ଏମିତି ଏକ ଅଞ୍ଚଳର ଲୋକଙ୍କ କଥା ତାହା ହୁଏତ ସହରୀ ଲୋକେ ଜାଣିନଥିବେ ।

ଅତି ଦୁର୍ଗମ ସେ ରାସ୍ତା । ପୁଣି ପାହାଡ଼ିଆ ଇଲାକାରେ ମାଓବାଦୀଙ୍କ ପ୍ରବଳ ଭୟ ରହିଛି । ଏକଦମ୍‌ ଆନ୍ଧ୍ର ସୀମାନ୍ତରେ । ତେଣୁ କିଏ ବା କାହିଁକି ଏଠାକୁ ଆସିବ ? ସେଥିଲାଗି ଏହି ଇଲାକା ରହି ଯାଇଛି ବିକାଶଠାରୁ ଦୂରରେ । ତେବେ ସେଇ ଭୟ ଭିତରେ ବି ସ୍ୱର ଶୁଭିଲାଣି । ‘ଆମକୁ ସୁରକ୍ଷା ଦିଅ ଆମେ ବି ଭୋଟ ଦେବୁ’। ଏଭଳି ରୁଦ୍ଧ ସ୍ୱର ଶୁଭୁଛି ଏହି ମାଓ ପ୍ରବଣ ଅଞ୍ଚଳରେ। ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ଦୀର୍ଘ ୧୫୦ କିଲୋମିଟର ଦୂରରେ ରହିଛି ଯନ୍ତ୍ରୀ ପଞ୍ଚାୟତ । ସ୍ୱାଭିମାନ ଅଞ୍ଚଳର ଇଏ ହେଉଛି ବିଚ୍ଛିନ୍ନାଞ୍ଚଳ । ପାଦ ପାଦକୁ ମାଓବାଦୀଙ୍କ ଭୟ। ରାସ୍ତା ବି ଅତି ଦୁର୍ଗମ ।

malkanagiri2

ଅତି କଷ୍ଟକର ଏହି ରାସ୍ତା । ଯନ୍ତ୍ରୀ ପଞ୍ଚାୟତକୁ ଯିବା ପାଇଁ ବାଟରେ ପଡ଼େ ଅନେକ ଛୋଟ ବଡ଼ ନଦୀ। ତାକୁ ପାର କରିବା ମଧ୍ୟ ବିପଜ୍ଜନକ ଥିଲା। ତଥାପି ଆମେ ସ୍ଥିର କରି ନେଇଥିଲୁ କି ଯେମିତି ହେଉ ପହଞ୍ଚିବୁ ଲକ୍ଷ୍ୟସ୍ଥଳରେ। ଆନ୍ଧ୍ରର ଏହି ବଙ୍ଗାଯୋଡ଼ି ପାର ହେବା ପରେ ଆମେ ପହଞ୍ଚିଥିଲୁ ବଙ୍ଗାପୁଟ ଗାଁରେ। ତେବେ ଆମକୁ ପ୍ରଥମେ ଆନ୍ଧ୍ର ଇଲାକାରେ ପଶି ପୁଣି ଓଡିଶା ମୁହାଁ ହେବାକୁ ପଡ଼ିଥିଲା । ଘଞ୍ଚ ଜଙ୍ଗଲ ଓ ପାହାଡିଆ ରାସ୍ତା ଅତିକ୍ରମ କରି ଯନ୍ତ୍ରୀ ପଞ୍ଚାୟତ ପହଞ୍ଚିଲା ବେଳକୁ ବାଟରେ ପଡ଼ିଲା ତଣ୍ଟାଗୁଡ଼ା । ଯେଉଁଠି ରହିଥିଲା ମାଓବାଦୀଙ୍କ ୱାର୍‌ ରୁମ। ଏହି ଆନ୍ଧ୍ର ଓଡିଶା ବୋର୍ଡର ଜର୍ଣ୍ଣାଲ କମିଟି ମାଓ ସଙ୍ଗଠନର ଟପ୍‌ ମାଓ ନେତା ଏକାଠି ହୁଅନ୍ତି ଏଠି । ଆଉ ରଣନୀତିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥାନ୍ତି। ଭିତରେ ରହିଛି ଟପ୍‌ ମାଓ ନେତାଙ୍କ ଫଟୋ । ଏହି ଘର ଓ ଫଟୋକୁ ଦେଖି ଜାଣିଲୁ କି ସବୁ କିଛି ସ୍ୱଚ୍ଛ ଓ ସଫା ରହିଛି । ତେଣୁ ଅନୁମାନ କରି ହେଉଥିଲା ଯେ ଏଠାରେ ମାଓବାଦୀଙ୍କର ବେଶ ଚଳପ୍ରଚଳ ରହିଛି। ତେବେ ଆଶ୍ଚର୍ଯ୍ୟ ଲାଗିଲା ଯେ ଏଠି ଲାଗିଥିଲା ବିଭିନ୍ନ ରାଜନୈତିକ ଦଳର ପତାକା ଏବଂ ପ୍ରଚାର ପୋଷ୍ଟର । ଯେଉଁଠି ଦିନେ ମାଓବାଦୀଙ୍କ ଭୟରେ ମୁଣ୍ଡ ଟେକିବାକୁ ସାହସ ଜୁଟାଇ ପାରୁ ନଥିଲେ ସ୍ଥାନୀୟ ଲୋକେ। ଆଜି କିନ୍ତୁ ମାଓବାଦୀଙ୍କ ନାଲି ଆଖିକୁ ନ ଡରି ସେମାନଙ୍କ ୱାର ରୁମର ଚାରିପଟେ ଲାଗିଛି ପଞ୍ଚାୟତ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀଙ୍କ ପୋଷ୍ଟର ଏବଂ ପତାକା।
ସ୍ୱାଭିମାନ ଅଞ୍ଚଳରେ ଥିବା ପାଖ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟ ଚାଲିଛି । ପୋଲିସର କଡା ସୁରକ୍ଷା ଯୋଗୁଁ ସ୍ଥାନୀୟ ଲୋକଙ୍କ ମନରେ ଆସିଛି ଭରସା । ମନରୁ ଭୟ ଦୂର ହୋଇ ପାରିଛି । ତେଣୁ ନିର୍ବାଚନରେ ଭାଗ ନେଲେ ଏହି ଅଞ୍ଚଳ ବି ସ୍ୱାଭିମାନ ଅଞ୍ଚଳରେ ସାମିଲ ହୋଇ ପାରିବ ଏ ଆଶା ଭରସା ନେଇ ସାହସ ଜୁଟାଇଛନ୍ତି ଯନ୍ତ୍ରୀ ପଞ୍ଚାୟତର ଲୋକେ। ମନରେ ରହିଛି ମାଓବାଦୀଙ୍କ ଭୟ ତଥାପି ସାହସ ଜୁଟାଇ ଆମ ଆଗରେ ନିଜ ଦୁଃଖ ବଖାଣି ଥିଲେ ସ୍ଥାନୀୟ ଲୋକେ ।

ତେବେ ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବ ଥାନା ଅଧିକାରୀ କହିଛନ୍ତି ନିର୍ବାଚନ ନିଶ୍ଚିତ ହେବ। ମାଓବାଦୀଙ୍କୁ ଭୟ କରିବାର କିଛି ନାହିଁ। ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେଣୁ ଯନ୍ତ୍ରୀ ପଞ୍ଚାୟତରେ ଲୋକେ ଶାନ୍ତିଶୃଙ୍ଖଳାର ସହ ନିଜ ନିଜ ମତ ସାବ୍ୟସ୍ତ କରିପାରିବେ।

malkanagiri3
ଏସବୁ ଭିତରେ ଗତକାଲି ଏହି ଇଲାକାରେ ପହଞ୍ଚିଥିଲେ ପୋଲିସ୍‌ ଡିଜି ସୁନୀଲ କୁମାର ବଂଶଲ । କିଭଳି ପୂରା ମାଲକାନଗିରିରେ ଶାନ୍ତି ଶୃଙ୍ଖଳା ଏବଂ କଡ଼ା ସୁରକ୍ଷା ଭିତରେ ପଞ୍ଚାୟତ ନିର୍ବାଚନ ହୋଇ ପାରିବ ତାର ଟିକିନିଖି ତଦାରଖ କରିଛନ୍ତି । ଏହା ସହିତ ପୁଣି ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ଵାନ ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ବିକାଶ ଧାରାରେ ଯୋଡ଼ି ହୋଇ ସାରିଛି ସ୍ୱାଭିମାନ ଅଞ୍ଚଳ । ଯନ୍ତ୍ରୀ ପଞ୍ଚାୟତ ଭଳି ବାକି ସୀମାନ୍ତ ଇଲାକାରେ ବି ସେହି ଦୃଶ୍ୟ ଦେଖିବାକୁ ମିଳିବ । ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ପୋଲିସ୍‌ ପ୍ରଶାସନ ଭରସା ଓ ବିଶ୍ୱାସ ଦେଲେ ସେମାନେ ବି ବାଛି ପାରିବେ ନିଜ ପସନ୍ଦର ପ୍ରାର୍ଥୀ । ଆଉ ବଦଳିଯିବ ଏହସବୁ ଅଞ୍ଚଳର ସମସ୍ୟା ଓ ଦୃଶ୍ୟ ।

-ଗ୍ରାଉଣ୍ଡ ଜିରୋ ଯନ୍ତ୍ରୀ ଗାଁରୁ ପ୍ରସାଦ ନାୟକ 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.