ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଏ ବେସାହାରା ପିଲା ଏବେ ରିୟଲିଟି ସୋ’ ମଞ୍ଚରେ, ରାଜ୍ୟକୁ କରୁଛନ୍ତି ଗୌରବାନ୍ୱିତ

କାହା ପାଖରେ ପ୍ରତିଭା ନାହିଁ କିନ୍ତୁ ସୁଯୋଗ ଅଛି ତ ଆଉ କାହା ପାଖରେ ପ୍ରତିଭା ଅଛି ହେଲେ ସୁଯୋଗ ନାହିଁ। ତେବେ ଯେଉଁଠି ଦକ୍ଷ ଓ ପ୍ରତିଭାବାନ୍ଙ୍କୁ ସୁଯୋଗ ମିଳିଯାଏ ସେଠି ସେ ନିଜ ଅଞ୍ଚଳ ଓ ରାଜ୍ୟ ପାଇଁ ଗୌରବ ଆଣିଦିଏ । ସେମିତି ଘଟିଛି ରାଜ୍ୟର ଉପାନ୍ତ ଜିଲ୍ଲା ମାଲକାନଗିରିର କିଛି ବଣମଲ୍ଲୀଙ୍କ କ୍ଷେତ୍ରରେ । କେତେବେଳେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ତ କେବେ ପରମ୍ପରା ପାଇଁ ଦେଶ ବିଦେଶରେ ପରିଚିତ ଏଇ ଜିଲ୍ଲା। ଆଉ କେତେବେଳେ ମାଓବାଦୀଙ୍କ ହିଂସାକାଣ୍ଡ ପାଇଁ ଚର୍ଚ୍ଚାକୁ ଆସିଛି। ଏସବୁ ଭିତରେ ଏହି ଅଞ୍ଚଳକୁ ଭିନ୍ନ ଏକ ପରିଚୟ ଦେଇଛନ୍ତି ବାପା ମା ଛେଉଣ୍ଡ ଆଦିବାସୀ କଳାକାରମାନେ।
ମାଲକାନଗିରି ମାଟିର ପୁଅମାନେ ନିଜର ସାହାସିକତା ଦେଖାଇଛନ୍ତି ଜାତୀୟ ମଞ୍ଚରେ। ବଣ ପଲ୍ଲୀରୁ ସୁଦୂର ମୁମ୍ବାଇ ମହାନଗରୀରେ ପହଞ୍ଚିଛନ୍ତି ୧୩ ଜଣ ପିଲା । ବାପା ମା ହରାଇଥିବା ଏହି ପିଲାମାନେ ଏକ ରିୟଲିଟି ସୋ’ରେ ନିଜର ଦୁଃସାହସିକ କଳା ପରିବେଷଣ କରିଛନ୍ତି। ଚୟନକର୍ତ୍ତାଙ୍କ ଠୁ ଆରମ୍ଭ କରି ଦର୍ଶକଙ୍କୁ ତାଜୁବ କରି ଦେଇଛନ୍ତି ନିଜର ପ୍ରତିଭାରେ। ଏହି କଳାକାରମାନେ ସମସ୍ତେ ହେଉଛନ୍ତି ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ମୂଳବାସିନ୍ଦା। ସ୍ୱାଭିମାନ ଅଞ୍ଚଳରେ ରାଜ୍ୟ ସରକାରଙ୍କ ତରଫରୁ ବିକାଶର ଧାରା ଆଗେଇ ଚାଲିଥିବା ବେଳେ ଏହି ଲୁକ୍କାୟିତ ପ୍ରତିଭା ସାମ୍ନାକୁ ଆସିଛନ୍ତି। ଉଦୀୟମାନ ଯୁବକ ବିନାଶ ମିଶ୍ର ଏହି ପ୍ରତିଭାମାନଙ୍କୁ ଖୋଜି ବାହାର କରିଥିଲେ। ନିଜସ୍ଵ ଉଦ୍ୟମରେ ପିଲାଙ୍କର ପାଠ ପଢ଼ା ଓ ଖାଇବା ବ୍ୟବସ୍ଥା କରୁଛନ୍ତି। ଏହା ସହ ଅଲ ଓଡିଶା ମାର୍ଶାଲ ଆର୍ଟସ ଜରିଆରେ ଦୁଃସାହସିକ କୁମ୍ଫୁ ଏବଂ କରାଟେ, ଜୁଡୋ ପ୍ରଶିକ୍ଷଣ ଦେଇଥିଲେ। ବେସାହାରାଙ୍କ ସାହାରା ବନି ପିଲାଙ୍କ ଭବିଷ୍ୟତ ଗଢିବାର ସ୍ୱପ୍ନ ଦେଖିଛନ୍ତି ବିନାଶ।
ଆତ୍ମରକ୍ଷାର କଳାରେ ତାଲିମ ନେଇ ଅନ୍ୟ କିଛି କୌଶଳର ଫିଉଜନର ମିଶ୍ରଣ କରି ଟିଭି ପରଦାରେ ପରଶିଛନ୍ତି ଭିନ୍ନ ଏକ କଳା। ଏହି ଅନାଥ ପିଲାଙ୍କ ପ୍ରତିଭା ଜିଲ୍ଲା ଏବଂ ରାଜ୍ୟର ଦର୍ଶକ ଆଗରୁ ଦେଖି ସାରିଛନ୍ତି। ହେଲେ ଆର୍ଥିକ ଅନଟନ ଯୋଗୁଁ ରାଜ୍ୟ ବାହାରକୁ ପାଦ ବଢ଼ାଇ ପାରୁନଥିଲେ ସେମାନେ। ଏବେ କିଛି ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସହାୟତାରେ ମାୟା ନଗରୀ ମୁମ୍ବାଇକୁ ବାହାରିଛନ୍ତି। ସୋନି ଟିଭିର ରିୟଲିଟି ସୋ ‘ଇଣ୍ଡିଆ ଗଟ୍ ଟାଲେଣ୍ଟ’ର ପ୍ରଥମ ରାଉଣ୍ଡରେ ଦୁଃସାହସିକ କ୍ରୀଡା କୌଶଳ ପ୍ରଦର୍ଶନ କରି ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ତେବେ ଆଗକୁ ସେମାନଙ୍କୁ ଦର୍ଶକଙ୍କ ସମର୍ଥନ, ରାଜ୍ୟବାସୀଙ୍କ ପ୍ରୋତ୍ସାହନ ଓ ସହାୟତା ଦରକାର। କାରଣ ଏହି ସୋ’ରେ ନୂଆ ନୂଆକଳା କୌଶଳ ପରିବେଷଣ କରିବା ପାଇଁ ଆଧୁନିକ ଯନ୍ତ୍ରପାତି ଏବଂ ସରଞ୍ଜାମ ଦରକାର ହେଉଛି। ହେଲେ ଏଥିରେ ବାଧକ ସାଜିଛି ଅର୍ଥ।