ସତେଇଶ ବର୍ଷ ପରେ ଜନ୍ମମାଟିକୁ ଫେରିଲେ ମାମିନା, ବେଲଜିୟମ୍‌ରୁ ରାଇକିଆ,

ପ୍ରେମ ଭଲ ପାଇବାର ଡୋରି ଏମିତି ଯାହା ଏତେ ସହଜରେ ଛିଡେନି । କାରଣ ଏ ଡୋରି ସମ୍ପର୍କର, ଏ ସମ୍ପର୍କ ରକ୍ତର, ଏ ସମ୍ପର୍କ ମା ମା’ଟିର । ସେଇ ରକ୍ତର ସମ୍ପର୍କକୁ ଖୋଜି ଖୋଜି ସାତ ଦରିଆ ପାର ହେଇ ମାଇଲ ମାଇଲ ଦୂର ଅତିକ୍ରମ କରି ବିଦେଶରୁ ନିଜ ଜନ୍ମ ମାଟିରେ ପହଞ୍ଚି ଯାଇଛି ଝିଅଟିଏ । ଦୀର୍ଘ ୨୭ ବର୍ଷର ଦୃଢ଼ ସମ୍ପର୍କ ତାକୁ ବାନ୍ଧି ରଖି ପାରିଲାନି । ସେ ଦୌଡି ଆସିଲା ତାର ସେଇ ଦାଣ୍ଡଧୂଳିକୁ, ଭଙ୍ଗା ଦଦରା ଘରକୁ । ଯେଉଁଠି ଉଙ୍କି ମାରୁଛି ଦାରିଦ୍ର୍ୟ । ସୁଦୂର ବେଲଜିୟମରୁ ନିଜ ଜନ୍ମ ମାଟିକୁ ଫେରି ଆସିଛି ଓଡିଶାର ଝିଅ ମାମିନା । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କନ୍ଧମାଳ ରାଇକିଆର ଏଇ ଘଟଣା, ଯାହା ସମସ୍ତଙ୍କ ଆଖିକୁ ଓଦା କରି ଦେଇଛି । ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି ।

ସବୁବେଳେ ନିଜ ଅସ୍ତିତ୍ୱକୁ ନେଇ ପ୍ରଶ୍ନ କରୁଥିବା ଝିଅଟିଏ ଆଜି ତାର ପରିଚୟ ପାଇ ଆତ୍ମହରା । ନିଜର ବାପା ଭାଇ ଭଉଣୀ ସମସ୍ତଙ୍କୁ ଏତେ ପାଖରୁ ଦେଖି ନିଜକୁ ସମ୍ଭାଳି ପାରିନି ମାମିନା । ଏ କାହାଣୀ କୋଉ ଚଳଚ୍ଚିତ୍ରଠୁ ବି କମ ନୁହେଁ । ମାମିନାଙ୍କ ମୁହଁ ଦେଖିଲେ ଆପଣ ବି ବୁଝିଯିବେ ଏ ହେଉଛି ଆମରି ମାଟିର ଝିଅ, ଆମ ଓଡିଶାର ଝିଅ । ମାମିନା ଯେବେ ତା ଘରେ ପହଞ୍ଚିଲା ତା ଲୁହ ବୋଲ ମାନି ନଥିଲା, ତା କୋହକୁ ସେ ଅଟକାଇ ପାରିନଥିଲା । ଅଦେଖା ଜାଗା, ଅଚିହ୍ନା ମୁହଁକୁ ତା ହୃଦୟ କିନ୍ତୁ ଭଲ ଭାବେ ଚିହ୍ନି ପାରିଥିଲା ।

ଆସନ୍ତୁ ଏ କାହାଣୀର ଅତୀତକୁ ଯିବା । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ୍ ଗୁଜାପାଙ୍ଗା ଗାଁର କୃଷ୍ଣଚନ୍ଦ୍ର ନିଜ ତିନି ମାସର ଶିଶୁ କନ୍ଯା ମାମିନାକୁ ଜି. ଉଦୟଗିରି ସ୍ଥିତ ସୁଭଦ୍ରା ମହତାବ ଆଶ୍ରମରେ ଛାଡି ଦେଇଥିଲେ । କାରଣ ଥିଲା ସ୍ତ୍ରୀଙ୍କ ମୃତ୍ୟୁ ପରେ ଅଭାବ ଅନଟନ । ପୁଣି ପିଲାକୁ ସମ୍ଭାଳିବାର ଦାୟିତ୍ୱ । ଆଉ ସେହି ସମୟରେ ବେଲଜିୟମରୁ ଏକ ଦମ୍ପତି କନ୍ଧମାଳ ଜିଲ୍ଲାକୁ ବୁଲିବାକୁ ଆସି ସୁଭଦ୍ରା ମହତାବଠାରେ ପହଞ୍ଚିଥିଲେ । କୁନି ମାମିନାକୁ ଦେଖିବା ପରେ ଏହି ବିଦେଶୀ ଦମ୍ପତି ତା ପ୍ରତି ଟାଣି ହୋଇଗଲେ କେଉଁ ଏକ ଅଜଣା ଆକର୍ଷଣରେ । ତାକୁ ପୋଷ୍ଯ କନ୍ଯା କରିବାକୁ ଇଚ୍ଛା ପ୍ରକାଶ କଲେ । ପରେ ସରକାରୀ ନିୟମ ଅନୁସାରେ ମାମିନାକୁ ବେଲ୍ଜିଅମ୍ ନେଇ ଯାଇଥିଲେ ଦୁଇ ବର୍ଷ ବୟସର ମମିନାକୁ।

ଏହା ଭିତରେ ଦୀର୍ଘ ୨୭ ବର୍ଷ ବିତି ଗଲାଣି । ମାମିନା ବଡ଼ ହୋଇ ବିବାହ କରି ସାରିଛନ୍ତି । ସେହି ବେଲଜିୟମର ଜଣେ ଯୁବକ ହୋଇଛନ୍ତି ତାଙ୍କ ଜୀବନ ସାଥୀ । ନିଜ ସ୍ୱାମୀଙ୍କ ସହ କନୋଡିଆ ବୁଲିବାକୁ ଯାଇଥିବା ସମୟରେ ମାମିନାଙ୍କୁ ଦେଖି ଜଣେ କାନୋଡିଆ ବ୍ୟକ୍ତି ତାଙ୍କୁ ପ୍ରଶ୍ନ କରି ବସିଲେ, ଆପଣ କଣ ଆଙ୍ଗ୍ଲୋ ଇଣ୍ଡିଆନ୍ କି ? ଆଉ ସେହିଠାରୁ ଏକ ସନ୍ଦେହ ଘାରିଲା ତାଙ୍କୁ । କାରଣ ତାଙ୍କୁ ତାଙ୍କର ପାଳିତ ପିତା ମାତା କିଛଇ ଅନ୍ୟ କାହାଣୀ କହିଥିଲେ । ତେଣୁ ନିଜ ବିଷୟରେ ଜାରଇବା ପାଇଁ ଖୋଳତାଡ଼ ଆରମ୍ଭ କଲେ ମାମିନା । ଆଉ ଜାଣିଲେ ନିଜର ଅତୀତକୁ । ଏହାପରେ ସ୍ୱାମୀଙ୍କ ସହ ବାହାରି ପଡିଲେ ନିଜ ପରିବାର ଓ ଆତ୍ମୀୟ ସ୍ୱଜନଙ୍କୁ ଖୋଜିବାକୁ । ଏହାପରେ ସେ ପୁନେର ଜଣେ ଓକିଲ ଅଞ୍ଜଳି ପାୱାରଙ୍କ ସହ ଆଲୋଚନା କରି ପ୍ରାୟ ଚାରି ବର୍ଷର ଉଦ୍ୟମ ପରେ ନିଜ ଗାଁ ଠିକଣା ପାଇଲେ । ଏବେ ସ୍ୱାମୀଙ୍କ ସହ ଆସିଛନ୍ତି ନିଜ ଜନ୍ମ ସ୍ଥାନକୁ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ନିଜ ଘରକୁ ଆସି ବାପା, ଭାଇ ଭଉଣୀ ଓ ଗାଁ ଲୋକଙ୍କ ସହ ମିଶି ବହୁତ ଖୁସି ଅନୁଭବ କରିଥିଲେ । କିଛି ସମୟ ନିଜ ଆତ୍ମୀୟ ସ୍ୱଜନଙ୍କ ସହିତ ମିଶି ପୁଣି ସ୍ୱାମୀଙ୍କ ସହ ବେଲ୍ଜିଅମ୍ ଫେରି ଯାଇଥିଲେ ।

ଦର୍ଶକ ବନ୍ଧୁ ଏ ଘଟଣା ଆପଣଙ୍କୁ ନିଶ୍ଚୟ ମନେ ପକାଇଦେବ କି ରକ୍ତ ରକ୍ତକୁ ଟାଣେ । ଝିଅଟିଏ ଯେବେ ସବୁ କିଛି ଛାଡି, ନିଜର ଲୋକଙ୍କୁ ପର କରି ତା ଜୀବନ ରାସ୍ତାରେ ଚାଲିଯାଏ, ନିଜ ପାଇଁ ଆଉ ଗୋଟିଏ ଘର ଗଢ଼େ, ତଥାପି ରକ୍ତ ସମ୍ପର୍କର ଆକର୍ଷଣ ତା ହୃଦୟରେ ରହିଥାଏ । କିନ୍ତୁ ଏଠି ଏହି ଝିଅଟି ନିଜର ଅସଲ ପରିଚୟ ଖୋଜିବା ପାଇଁ ସାତ ଦରିଆ ପାରି କରି ଚାଲି ଆସିଲା ଓଡ଼ିଶା ମାଟିକୁ । ମାତ୍ର କେଇ ଦିନର କଥା ନୁହେଁ, କେତେ ବର୍ଷର ସଂଘର୍ଷ ପରେ ପହଞ୍ଚି ଥିଲେ ଲକ୍ଷ୍ୟସ୍ଥଳରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.