ରୋଜଗାରିଆ ପୁଅ ଆଜି ଶଯ୍ୟାଶାୟୀ, କିଏ ବୁଝିବ ତାଙ୍କ ଦୁଃଖ?

ସୁନ୍ଦରଗଡ଼: ଭେଣ୍ଡିଆ ପୁଅ । ବାହା ସାହା ହୋଇ ପରିବାର ପ୍ରତିପୋଷଣ କରୁଥିଲେ । ସ୍ତ୍ରୀ, ସହିତ ବୃଦ୍ଧାବସ୍ଥାରେ ବାପା ମା’ଙ୍କୁ ନିଜ ପାଖରେ ରଖି ତାଙ୍କ ସେବା କରୁଥିଲେ । କିନ୍ତୁ ସବୁ ବାପା ମା’ଙ୍କ ଭାଗ୍ୟରେ ତାହା ନଥାଏ । ଯେଉଁ ଭେଣ୍ଡିଆ ପୁଅ ପରିବାର ପ୍ରତିପୋଷଣ ସହ ମା’ବାପାଙ୍କ ସେବା କରୁଥିଲେ, ସେହି ପୁଅ ଆଜି ଶଯ୍ୟାଶାୟୀ ।

ସୁନ୍ଦରଗଡ଼ ଜିଲ୍ଲା ବାଲି ସଙ୍କରା ବ୍ଲକ ବିଜାଗଡ ସା ପଡାରେ ରହନ୍ତି ହେମନ୍ତ କୁମାର ସା । ବାପା ମା’ଙ୍କ ତିନି ସନ୍ତାନ । ଦୁଇ ଭାଇ ଆଉ ଗୋଟିଏ ଭଉଣୀ । ବିବାହ ହେଲା ପରେ ବଡ ଭାଇ ଅନ୍ୟତ୍ର ରହୁଥିବା ବେଳେ, ଭଉଣୀ ମଧ୍ୟ ବାହା ହୋଇ ନିଜ ଶ୍ଵଶୁର ଘରେ । ବୃଦ୍ଧା ବାପା ମା’ ଙ୍କୁ ନେଇ ସାନ ଭାଇ ହେମନ୍ତ ଓ ସ୍ତ୍ରୀ ସସ୍ମିତା ରହୁଥିଲେ । ଅର୍ଥର ଅଭାବ ରହୁଥିଲେ ମଧ୍ୟ ହେମନ୍ତ ଛୋଟ ମୋଟ କାମ କରି ହସ ଖୁସିରେ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ହେଲେ କିଏ ଜାଣିଥିଲା ଏକମାତ୍ର ରୋଜଗାରିଆ ପୁଅ ହେମନ୍ତ ଉପରେ କାଳ ଏମିତି ଦାଉ ସାଧିବ ।

ହଁ ଆଜ୍ଞା ଏ ଘଟଣା ହେଉଛି ଗତ ଜୁନ୍ ମାସ ୩ ତାରିଖ ୨୦୨୦ ମସିହାର । ହେମନ୍ତ ବାହାରୁ କାମ ସାରି ଘରକୁ ଫେରିଥିଲେ । ସ୍ତ୍ରୀକୁ ରୋଷେଇ କରିବାକୁ କହି ଚାଲିଯାଇଥିଲେ ଘର ସାମ୍ନାରେ ଥିବା କୁଇଲେର ବା କାଞ୍ଚନ ଶାଗ ତୋଳିବା ପାଇଁ । ଗଛରେ ଚଢି ଓହ୍ଲାଇବା ବେଳେ ହଠାତ୍ ଗଛରୁ ତଳକୁ ପଡ଼ିଯାଇଥିଲେ । ତେବେ ହେମନ୍ତଙ୍କ ଚିତ୍କାର ଶୁଣି ସ୍ତ୍ରୀ ଓ ଜଣେ ପଡୋଶୀ ଦୌଡ଼ି ଆସି ଦେଖିଲା ବେଳକୁ ହେମନ୍ତ ତଳେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିଲେ । ତାଙ୍କୁ ସେଠାରୁ ଘରକୁ ଆଣି ଆମ୍ବୁଲାନ୍ସ ଯୋଗେ ତୁରନ୍ତ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ ସ୍ତ୍ରୀ । ସେଠାରେ ଡାକ୍ତର ପେନ୍ କ୍ଲିଅର ଇଞ୍ଜେକସନ ଟିଏ ଦେଇ ବୁର୍ଲା ପଠାଇଦେଲେ । ତେବେ ବୁର୍ଲାରେ ତିନି ଦିନ ରଖି ବିଭିନ୍ନ ପ୍ରକାର ପରୀକ୍ଷା କରିବା ପରେ କଟକ ଏସସିବିକୁ ତାଙ୍କୁ ସ୍ଥାନାନ୍ତର କରିଦେଲେ ଡାକ୍ତର । ସେଠାରେ ପ୍ରାୟ ୨୭ ଦିନ ଚିକିତ୍ସିତ ହେବାପରେ ସେ ଘରକୁ ଫେରିଥିଲେ କିନ୍ତୁ କିଛିବି ସୁଫଳ ମିଳିନଥିଲା ।

ଘରକୁ ଆସି ପୁଣି ରାଉରକେଲା ହସ୍ପିଟାଲକୁ ଗଲେ ତଥାପି ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଲା ନାହିଁ ।  ଯାହାପରେ ଘରେ କିଛି ଦିନ ରହି ପୁଣି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଡାକ୍ତର ଫିଜିଓଥେରାପି ଦେବା ଆରମ୍ଭ କଲେ ଏବଂ ଏହି ଥେରାପି ୩/୪ ମାସ ପର୍ଯ୍ୟନ୍ତ ଦେବାକୁ ପଡ଼ିବ ବୋଲି କହିଥିଲେ । ତେବେ ହେମନ୍ତଙ୍କ ଚିକିତ୍ସା ପାଇଁ  ପ୍ରାୟ ଦେଢ଼ ଏକର ଜମି ବନ୍ଧା ପକାଇ ଚିକିତ୍ସା କରାଇଥିଲେ ପତ୍ନୀ । ଘରେ ଥିବା ଛେଲି ବିକ୍ରି କରି ସେହି ଟଙ୍କାରେ ନିଜ ଘର ବିଜାଗଡରୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆଣି ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଥେରାପୀ କରିଥିଲେ । ତେବେ ବିଜାଗଡରୁ ସୁନ୍ଦରଗଡ଼ର ଦୂରତା ପାଖାପାଖି ୫୦ କିଲୋମିଟର ହୋଇଥିବାବେଳେ, ଅଟୋ ଭଡ଼ା ପ୍ରତ୍ୟେକ ଦିନ ଆଠ ଶହରୁ ହଜାରେ ଟଙ୍କା ଦେବାକୁ ପଡୁଥିଲା ।

ଅନ୍ୟପଟେ ହେମନ୍ତଙ୍କ ସ୍ତ୍ରୀ ଡାକ୍ତରଙ୍କୁ ଅନେକ କାକୁତି ମିନତି ହୋଇଥିଲେ ଯେ, ହସ୍ପିଟାଲରେ ଗୋଟିଏ ବେଡ୍ ଦିଆଯାଉ ବୋଲି କିନ୍ତୁ ବେଡ୍ ଦେବାକୁ ମନା କରିଦେଇଥିଲେ। ଗଛରୁ ପଡ଼ିଲା ପରେ ପେଟ ଠାରୁ ତଳ ଅଙ୍ଗ ସମୁଦାୟ ଅଚଳ ହୋଇଯାଇଥିଲା ଯାହାକି କିଛି ଦିନ ଥେରାପି ଦେବା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଥିବା ଜଣାପଡିଥିଲା । ତେବେ ଯେଉଁଠି ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି, ସେଇଠି ଏକ ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱ ଦିଆଯାଉ ନାହିଁ।ତେବେ ଏନେଇ ସିଡିଏମଓଙ୍କୁ ପଚାରିବାରୁ ସେ କହିଲେ ଫିଜିଓଥେରାପି ପାଇଁ ଅନେକ ବ୍ୟବସ୍ଥା ରହିଛି । ତାସହ ଯାହାବି ସମସ୍ୟା ଅଛି ନିଶ୍ଚୟ ଦୃଷ୍ଟି ଦିଆଯିବ ।

ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଯୋଗାଇବା ବ୍ୟବସ୍ଥା କରିଥିବା ବେଳେ, ଆଜି ବି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହୁଥିବା ଲୋକେ ସ୍ୱାସ୍ଥ୍ୟ ସେବା ଭଳି ଗୁରୁତ୍ୱପୂର୍ଣ୍ଣ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ହେମନ୍ତର ଦୁଃଖ ଦୂର କରିବାରେ ଜିଲ୍ଲା ପ୍ରଶାସନ କେତେ ସହାୟକ ହେଉଛି ।

 

You might also like