ସାମ୍ନାକୁ ଆସିଲା ଛଦ୍ମ ବେଶୀ କିନ୍ନରର କଳା କାରନାମା, ପିଲା ଚୋରି କରି ଧରା ପଡ଼ିଲା

ଗତ ୩ ଦିନ ତଳର ଘଟଣା । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରେ ଉଡ଼ା ଯାତ୍ରା ଚାଲିଥିଲା । ଏହାରି ଭିତରେ  ୪ ବର୍ଷର ଶିଶୁକନ୍ୟା ଅପହରଣ ହୋଇଥିଲା । ଶିଶୁକନ୍ୟାକୁ ଜଣେ କିନ୍ନର ଚମ୍ପଟ ମାରିବା ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ପଡ଼ିଛି । ତେବେ ସେହି କିନ୍ନର ଓ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ କିନ୍ନର ସଂଘର କର୍ମକର୍ତ୍ତା । ପରେ ଯାଜପୁର ରୋଡ଼ ଥାନାରେ ପୋଲିସ ଜିମା ଦେଇଥିଲେ ।

ସୂଚନା ଥାଉ କି ଶିଶୁକନ୍ୟାକୁ ଅପହରଣ କରି ଆଣିଥିବା କିନ୍ନର ଜଣେ କିନ୍ନର ନୁହେଁ ବରଂ ଜଣେ ଛଦ୍ମବେଶୀ । ଖବର ପାଇ ଠାକୁରମୁଣ୍ଡା ପୋଲିସ ଯାଜପୁର ରୋଡ଼ ଅଭିମୁଖେ ବାହାରିଥିବା ମଧ୍ୟ ସୂଚନା ମିଳିଛି । ସୂଚନା ମୁତାବକ ଗତ ଶୁକ୍ରବାର ଦିନ ଠାକୁରମୁଣ୍ଡା ଅଞ୍ଚଳରେ ଚାଲିଥିବା ଉଡ଼ା ଯାତ୍ରା ମେଳାରୁ ୪ ବର୍ଷର ଶିଶୁକନ୍ୟା ଆଦେଶା ପାତ୍ରକୁ ନେଇ ଜଣେ ଛଦ୍ମ ବେଶୀ କିନ୍ନର ଚମ୍ପଟ ମାରିଥିଲା । ଶିଶୁକୁ ତାର ମା’ ସେହି କିନ୍ନର ନିକଟରେ ଛାଡି ଶୌଚ ହେବାକୁ ଯାଇଥିଲେ । ଆଉ ଫେରିବା ପରେ ଝିଅକୁ ନପାଇ ଏଣେତେଣେ ଖୋଜିବାକୁ ଲାଗିଲେ । ତେବେ ପରେ ପୋଲିସର ଦ୍ବାରସ୍ଥ ହେବା ପରେ କିନ୍ନର ହିଁ ତାଙ୍କ ପୁଅକୁ ଚୋରି କରିଥିବା ନେଇ ସିସିଟିଭିରୁ ଜାଣିବାକୁ ପାଇଥିଲେ ।  ତେବେ କିନ୍ନର ଜଣଙ୍କ ଶିଶୁକୁ ଧରି ଏକ ବସରେ ଚାଲିଯାଇଥିଲା । ଏନେଇ ଶିଶୁକନ୍ୟାର ମା’ ଠାକୁରମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । ପରେ କିନ୍ନର ଜଣଙ୍କ ଶିଶୁକୁ ଧରି ଯାଜପୁର ରୋଡ଼ ଅଞ୍ଚଳକୁ ଆସିଥିବା ଜଣାପଡିଥିଲା।

ସ୍ଥାନୀୟ କିନ୍ନର ସଂଘର କର୍ମକର୍ତ୍ତାମାନେ ଏସମ୍ପର୍କରେ ଜାଣି ଖୋଜାଖୋଜି କରିବା ପରେ ଆଜି ସ୍ଥାନୀୟ କାଚହୁଡି ସାହିରୁ ୨ ଜଣ ଛଦ୍ମବେଶୀ କିନ୍ନରଙ୍କ ନିକଟରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ । ପରେ ଯାଜପୁର ରୋଡ଼ ଥାନାରେ ଛୁଆକୁ ପୋଲିସର ଜିମା ଦେଇଥିଲେ । ଶିଶୁକୁ ଅପହରଣ କରି ଆଣିଥିବା ଅଭିଯୁକ୍ତ ଜଣେ ପୁରୁଷ ବୋଲି ସ୍ବୀକାର କରିବା ସହ ପେଟପାଟଣା ପାଇଁ ଏଭଳି କରୁଥିବା ସେମାନେ କହିଛନ୍ତି । ଏମାନେ ଏଭଳି କାମ କରି କିନ୍ନର ସମାଜକୁ ବଦନାମ କରୁଥିବାରୁ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି କିନ୍ନର ସଂଘର କର୍ମକର୍ତ୍ତା । ପିଲା ଚୋରି ଘଟଣା ଦିନକୁ ଦିନ ବଢ଼ି ଚାଲିଛି । ଛୁଆଙ୍କୁ ଏମିତି ଅଜଣା ଲୋକଙ୍କ ପାଖରେ ଛାଡ଼ି ଯାଆନ୍ତୁ ନାହିଁ କି ? ଏମିତି ବିଦପକୁ ଡାକି ଆଣନ୍ତୁ ନାହିଁ ।

Also Read:କିନ୍ନରଙ୍କ ମୁହଁରେ ହସ ଫୁଟାଇଲେ ଅତିରିକ୍ତ ଜିଲ୍ଲାପାଳ, ସମସ୍ତଙ୍କୁ ମିଳିବ ଆର୍ଥିକ ସାହାଯ୍ୟ