ଚା’ ଦୋକାନ ବନ୍ଦ କରି ଘରକୁ ଫେରିଲେନି ମୁରଲୀ, ହାଇୱା ନେଇଗଲା ଜୀବନ

ଜାତୀୟ ରାଜପଥ କଡ଼ରେ ଚା’ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ ମୁରଲୀ ନାୟକ । ଗତ କାଲି ରାତି ଗୋଟାଏ ପାଖାପାଖିରେ ଦୋକାନ ବନ୍ଦ କରି ମୁରଲୀ ଘରକୁ ଫେରୁଥିଲେ । କିନ୍ତୁ ହଠାତ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା । ଯେଉଁଥିରେ ଘଟଣାସ୍ଥଳରେ ହିଁ ମୁରଲୀଙ୍କ ଜୀବନ ଯାଇଛି । ହାଇୱା ଡ୍ରାଇଭର ଦୁର୍ଘଟଣା ଘଟାଇ ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ତାକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ ସ୍ଥାନୀୟ ଲୋକେ ।

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ମହିଷା ପାଟ ନିକଟ ୫୫ନଂ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ହାଇୱା ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଛି । ମୃତକ ହେଉଛନ୍ତି ମହିଷା ପାଟ ଅଞ୍ଚଳର ମୁରଲୀ ନାୟକ । ମୁରଲୀ ଚା’ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା  ଘଟଇ ହାଇୱା ଗାଡ଼ି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଯୁବକମାନେ ନିଶାସକ୍ତ ଡ୍ରାଇଭରକୁ ଧରି ପୋଲିସର ଜିମା ଦେଇଛନ୍ତି । ଘଟଣା ସ୍ଥଳରେ ପରିବାର ଲୋକେ ମୃତଦେହକୁ ରଖି ୫୫ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ୫୫ନଂ ଜାତୀୟ ରାଜପଥ ପ୍ରାୟ ୬ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଅବରୋଧ ହେବା ଯୋଗୁ ରାସ୍ତାର ଦୁଇ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଛି । ଗାଡ଼ି ଚଳାଚଳ ଠପ୍ ହୋଇପଡ଼ିଛି । ମୃତ ପରିବାର ଓ ସମ୍ପର୍କୀୟମାନେ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛି । ବହୁ ସମୟ ଧରି ରାସ୍ତା ବନ୍ଦଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ମୁରଲୀ ଚା’ ଦୋକାନ କରି ପରିବାର ଲୋକଙ୍କ ପେଟ ପୋଷୁଥିଲେ । କିନ୍ତୁ ତାଙ୍କ ଜୀବନ ଏମିତି ଅବେଳରେ ଚାଲିଯିବ କେହି କେବେ ଭାବି ବି ନଥିଲେ । ମୁରଲୀଙ୍କ ଅଚାନକ ମୃତ୍ୟକୁ ନେଇ ଭାଙ୍ଗି ପଡ଼ିଛି ପୁରା ପରିବାର । ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ପାଇଁ ମୁରଲୀଙ୍କ ଜୀବନ ଗଲା ତେଣୁ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ପରିବାର ଲୋକେ ।

Also Read: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଏକା ସହ ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ