ବାହାଘର ଦୁଇ ମାସରେ ଉଜୁଡ଼ି ଗଲା ସଂସାର, ମାତ୍ର ୨୬ ବର୍ଷ ବୟସରେ ଦୁନିଆ ଛାଡ଼ି ଦେଲେ ବଶିଷ୍ଠ

ଭଗବାନ କଣ ଭାଗ୍ୟରେ ଏଇଆ ଲେଖିଥିଲେ ? ଇଏ କଣ ବିଧାତାର ବିଚାର? ଏସବୁ କଣ ଘଟିଗଲା ? ସମସ୍ତେ ସ୍ଥାଣୁ ପାଲଟି ଯାଇଛନ୍ତି । କାହାରି ଆଖିରୁ ଲୁହ ଶୁଖୁନି । ଏସବୁଭିତରେ ନବ ବିବାହିତା ସ୍ତ୍ରୀର ବୁକୁଫଟା ଚିତ୍କାର ଗାଁ ଲୋକଙ୍କୁ ଆହୁରି ମର୍ମାହତ କରୁଥାଏ ।

ହଁ ଆଜ୍ଞା, ବାହାଘରକୁ ମାତ୍ର ୨ ମାସ ହୋଇଥିଲା । କାନ୍ଥରୁ ଲିଭିନି ବାହାଚିତା । ଲେଖା ହୋଇଥିବା ବଶିଷ୍ଠ ସହିତ ବିଳାସିନୀ ଦାଉ ଦାଉ ହୋଇ ଜଳୁଛି । ହାତରୁ ମେହେନ୍ଦି ପାଦରୁ ଅଳତା ଲିଭି ନଥିବା ବେଳେ ବିଳାସିନୀଙ୍କ ମଥାରୁ ଲିଭିଯାଇଛି ସିନ୍ଦୂର । ସବୁ ଆଶା ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି । ସାଂସାରିକ ଜୀବନ ଆରମ୍ଭ ନ ହେଉଣୁ ଉଜୁଡି ଯାଇଛି ହସଖୁସିର ସଂସାର । କାନ୍ଦ ବୋବାଳିରେ ଫାଟି ପଡୁଛି ଘର ଠୁ ଗାଁ ଦାଣ୍ଡ । ଘରର ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ମାଆର ଛାତିଫଟା କାନ୍ଦ ଦେଖିଲେ କେହି ବି ଧୈର୍ଯ୍ୟ ଧରି ରହି ପାରିବେନି । ପୂରା ଗାଁ କାନ୍ଦୁଛି । ଝୁରୁଛନ୍ତି ଆତ୍ମୀୟ ସ୍ଵଜନ ।

ଏଇ କିଛି ଦିନ ତଳେ ସାଙ୍ଗ ସାଥୀ ବନ୍ଧୁ ପରିଜନଙ୍କ ସହ ବରଯାତ୍ରୀ ଯାଇ ନିଜ ସ୍ଵପ୍ନର ନାୟିକାଙ୍କୁ ସାତ ଜନ୍ମର ସାଥୀ କରି ହାତଧରି ଘରକୁ ଆଣିଥିଲେ । ଜନ୍ମ ଜନ୍ମର ସାଥୀ ହୋଇ ରହିବେ ବୋଲି ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ ଦାମ୍ପତ୍ୟ ଜୀବନ ଆରମ୍ଭ ହେବା ଆଗରୁ ଲିଭିଗଲା ଜୀବନ ଦୀପ। ଏବେ ସ୍ଵପ୍ନର ମଣିଷକୁ ହରାଇ ବାହୁନି ବାହୁନି କାନ୍ଦୁଛି ନବ ବିବାହିତା ସ୍ତ୍ରୀ। ନୂଆ ସଂସାର ଗଢ଼ୁ ଗଢ଼ୁ ଭୁଶୁଡ଼ି ପଡ଼ିଛି । ଏମିତି କିଛି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗାଁରେ ।

ସଡକ ଦୁର୍ଘଟଣାରେ ପୁଅର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଲୁତୁରପଙ୍କ ଗାଁର ଯୁବ କ୍ରିକେଟର ବଶିଷ୍ଠ ମଲ୍ଲିକ । ବୟସ ମାତ୍ର ୨୬ବର୍ଷ । ସେ ୨୦୨୫ ଜାନୁୟାରୀ ୨୦ ତାରିଖରେ ବୈଦିକ ରୀତି ନୀତିରେ ବିବାହ କରିଥିଲେ । ଝାରସୁଗୁଡା ବେଦାନ୍ତ କମ୍ପାନୀରେ ଅଗ୍ନିଶମ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ସେ ଘରୁ ନିଜର କର୍ମସ୍ଥଳକୁ ଯାଉଥିବା ବେଳେ ଝାରସୁଗୁଡାର ବଡମାଲ ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ପରେ ବରଗଡର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ବଞ୍ଚାଇ ରଖି ପାରିଲେନି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଗଲା ।

ଶବ ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର ପାଇଁ ନିଜ ଗାଁ ଲୁତୁରପଙ୍କକୁ ଅଣା ଯାଇଥିଲା ମରଶରୀର। ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ବଶିଷ୍ଠଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ବଡଭାଇ ବିମଳ ମୁଖାଗ୍ନି ଦେଇଥିଲେ । ଆଖପାଖ ଗାଁର ଶତାଧିକ ଲୋକ ରୁଣ୍ଡ ହୋଇଥିଲେ ବଶିଷ୍ଠଙ୍କୁ ଅନ୍ତିମ ବିଦାୟ ଜଣାଇବା ଲାଗି। ବଶିଷ୍ଠ ଜଣେ ଶାନ୍ତ, ସରଳ ମେଳାପି ପିଲା ଥିଲେ । ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣା ଶୁଣା କ୍ରିକେଟ ଖେଳାଳି ଭାବେ ତାଙ୍କର ନାଁ ଥିଲା । ତାଙ୍କର ଏଭଳି ଅକାଳ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।

Also Read:ସ୍ତ୍ରୀକୁ ହାଣିଲା ସ୍ବାମୀ, ଶାଳୀ ଓ ପୁଅକୁ ବି ଛାଡ଼ିଲାନି ସୈତାନ