ଯୁବକ ଖାଇଲେ କଞ୍ଚା ପିଆଜ, ରସୁଣ ପେଷ୍ଟ ଓ ଗ୍ଲାସେ ଲେମ୍ବୁ ରସ, TikTok ଭିଡିଓ କରି କହିଲେ, କୋଭିଡ-୧୯ କିପରି ପ୍ରଭାବିତ କରିପାରେ ସ୍ୱାଦ, ଗନ୍ଧ
ନ୍ୟୁ ଜର୍ସିର ଜଣେ ୩୦ ବର୍ଷୀୟ ଯୁବକଙ୍କ ଟିକଟକ ଭିଡିଓ ଏବେ ଖୁବ ଭାଇରଲ ହେବାରେ ଲାଗିଛି। ଏହି ଭିଡିଓରେ ଯୁବକ ଜଣକ ବିଭିନ୍ନ କଟୁ ସ୍ୱାଦଯୁକ୍ତ ଖାଦ୍ୟପଦାର୍ଥ ସେବନ କରୁଥିବା ଦେଖିବାକୁ ମିଳୁଛି। ସେ ନିଜକୁ ପ୍ରଦର୍ଶିତ କରାଇ କୋଭିଡ-୧୯ କିପରି ବ୍ୟକ୍ତିଙ୍କ ସ୍ୱାଦ ଏବଂ ଗନ୍ଧକୁ ପ୍ରଭାବିତ କରିପାରେ, ତାହା ଭିଡିଓ ମାଧ୍ୟମରେ ଜଣାଇବାକୁ ଚାହିଁଛନ୍ତି।
ଯୁବକଙ୍କ ନାଁ ରସେଲ ଡୋନଲୀ। ସେ କଞ୍ଚା ପିଆଜ, ଏକ ଚାମଚ ରସୁଣ ପେଷ୍ଟ ଏବଂ ଗୋଟିଏ ଗ୍ଲାସ ଲେମ୍ବୁ ରସ ସେବନ କରୁଛନ୍ତି। ହେଲେ ଏ ସବୁକୁ ଖାଇଲା ବେଳେ ରସେଲ କୌଣସି ବି ପ୍ରତିକ୍ରିୟା ଦେଉନାହାନ୍ତି। ଅର୍ଥାତ ତାଙ୍କୁ କିଛି ବି ଅନୁଭବ ହେଉନାହିଁ। ସେ ଘରେ ବସି ଏହି ପରୀକ୍ଷା କରିଥିଲେ।
ପ୍ରଥମେ ପିଆଜରୁ କିଛି ସ୍ୱାଦ କି ଗନ୍ଧ ନ ବାରିପାରିବା ପରେ ଲେମ୍ବୁ ରସ ପିଇଥିଲେ। ଶେଷରେ ରସେଲ କୋଭିଡ-୧୯କୁ ଏକ ପାଗଳ ଭାଇରସ ବୋଲି କହୁଛନ୍ତି। ତାଙ୍କର ସାଙ୍ଗମାନେ ତାଙ୍କ ଉପରେ ବିଶ୍ୱାସ କରିବାକୁ ମନା କରିଦେବା ପରେ ରସେଲ ଏହି କୋଭିଡ ସ୍ୱାଦ ପରୀକ୍ଷଣ କରି ଟିକଟକ ଭିଡ଼ିଓ କରିଥିଲେ।