ମୃତ୍ୟୁ ପରେ ଚକ୍ଷୁଦାନ କରି ମହାନ୍ ହୋଇଗଲେ ରିଙ୍କୁ

ସୁନ୍ଦରଗଡ଼(କେନ୍ୟୁଜ): ଜୀବନ ଯୁଦ୍ଧରେ ବହୁ ଦୁଃଖ କଷ୍ଟ ଆସେ କିନ୍ତୁ ସେସବୁକୁ ମନରୁ ପାଶୋରି ନୂଆ ଆଶାର ଆଲୋକ ନେଇ ବଞ୍ଚିବାକୁ ପଡ଼େ । ଯିଏ ସବୁ କଷ୍ଟକୁ ଭୁଲି ସଂଘର୍ଷ କରିପାରେ ସେ ହିଁ ପ୍ରକୃତରେ ଜୀବନର ମୂଲ୍ୟ ବୁଝିପାରେ । ଠିକ୍ ଏମିତି ଥିଲେ ରିଙ୍କୁ । ବାପା ମା’ ବହୁ କଷ୍ଟ କରି ବଡ କରିଥିଲେ । ଅଧାବାଟରେ ହାତ ଛାଡି ଚାଲି ଯାଇଥିଲେ ବାପା, ହେଲେ ଆଜି ବୁଢୀ ମା’କୁ ସବୁଦିନ ପାଇଁ ପର କରିକରିଦେଇ ବାପାଙ୍କ ପାଖକୁ ଆରପାରିକୁ ଚାଲିଯାଇଛି ପୁଅ ।

ଗାଁରେ ଯେତେବେଳେ ଆମ୍ଭୁଲାନ୍ସ ଆସି ପହଁଞ୍ଚିଥିଲା ରିଙ୍କୁଙ୍କ ମରଶରୀର ନେଇ ସମସ୍ତଙ୍କ ଆଖି ଛଳ ଛଳ ହୋଇଉଠିଥିଲା । .ରୋଜଗାରିଆ ଭେଣ୍ଡିଆ ପୁଅଟା ଏମିତି ଅକାଳରେ ଝଡିପଡିବ ବୋଲି କେହି କେବେ କଳ୍ପନାରେ ସୁଦ୍ଧା ଭାବିନଥିଲେ । ଆସନ୍ତୁ ଜାଣିବା ପ୍ରକୃତ ଘଟଣା କଣ?

ସୁନ୍ଦରଗଡ଼ ହେମଗିରି ବ୍ଲକ୍ ଅନ୍ତର୍ଗତ କେନ୍ଦୁଡିହି ଗ୍ରାମର ଗରିବ ପରିବାରର ରିଙ୍କୁ ଭୋଇ । ଯାହାଙ୍କର ଗତ ବୁଧବାର ଆକସ୍ମିକ ଭାବେ ମୃତ୍ୟୁ ଘଟିଛି । ସକାଳୁ ସକାଳୁ ଦେହରେ ଜ୍ଵର ଥିଲା। ଯାହାଫଳରେ ହଠାତ୍ ତାଙ୍କର ମୁଣ୍ଡ ଏବଂ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ପ୍ରଥମେ ତାଙ୍କୁ ହେମଗିରି ଡାକ୍ତରଖାନା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଇଥିଲେ ପରିବାର ଲୋକେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ବାପା ସ୍ଵର୍ଗତ ପ୍ୟାରିଲାଲ୍ ଭୋଇଙ୍କର ମୋଟ୍ ଆଠ ଜଣ ସନ୍ତାନଙ୍କ ମଧ୍ୟରୁ ପଞ୍ଚମ ସନ୍ତାନ ଥିଲେ ରିଙ୍କୁ । ୬୨ବର୍ଷର ରୋଗୀଣା ମାଆ, ଚାରିଜଣ ବଡ଼ ଭାଇଭଉଣୀ ଥିବାବେଳେ ଛୋଟ ତିନି ଭଉଣି ଅଛନ୍ତି ତାଙ୍କର । ଆଠ ବର୍ଷ ପୂର୍ବରୁ ବାପାଙ୍କ ମୃତ୍ୟୁ ପରେ ବାଇକ୍ ମେକାନିକ ଭାବେ କାମ କରି ପରିବାରର ମୁଖ୍ୟ ପୋଷଣର ସୂତ୍ର ପାଲଟିଥିଲେ ।

ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ତଥା କଠିନ ପରିଶ୍ରମରେ ଅଂଶୁଘାତ ତାଙ୍କ ମୃତ୍ୟୁର କାରଣ ପାଲଟିଛି ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି । ଗରିବ ପରିବାରର ହୋଇଥିଲେ ସୁଦ୍ଧା ହୃଦୟରୁ ରିଙ୍କୁ ଖୁବ୍ ଧନୀ ଥିଲେ ବୋଲି କହିଛନ୍ତି ଗ୍ରାମବାସୀ । ତେବେ ମୃତ୍ୟୁ ପରେ ଚକ୍ଷୁଦାନ କରି ମହାନତାର ପରିଚୟ ଦେଇଛନ୍ତି ରିଙ୍କୁ । ପରିବାର ସମେତ ଗ୍ରାମବାସୀ ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏପଟେ ଭୟଙ୍କର ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛି ସାରା ରାଜ୍ୟ । ଯାହାଫଳରେ ଗ୍ରୀଷ୍ମ ପ୍ରବାହ ସମୟରେ ଟାଣ ଖରାରେ କାମ ନକରିବାକୁ ଜନସାଧାରଣଙ୍କୁ ନିବେଦନ । ଅପରପକ୍ଷେ ପ୍ରଶାସନକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଏସଆରସି । ସହଯୋଗ ନକଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି । ସେହିପରି ଲୋକଙ୍କୁ ସଚେତନ କରିବେ ସବୁ ଜିଲ୍ଲାର ପ୍ରଶାସନ ।

Leave A Reply

Your email address will not be published.