ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସ୍ୱାମୀ, ଅନାଥ କରିଦେଲା ୩ ଛୁଆଙ୍କୁ

ସୁନ୍ଦରଗଡ଼ : ପିଶାଚ ସ୍ୱାମୀର ବର୍ବର କାଣ୍ଡ । ଭୁଲିଗଲା ମଣିଷତ୍ଵ ସାଜିଲା ସଇତାନ୍ । ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସ୍ୱାମୀ । ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ଇଟାରେ ଛେଚି ସ୍ତ୍ରୀକୁ ହତ୍ୟାକଲା ରାକ୍ଷସ ସ୍ୱାମୀ । ସୁନ୍ଦରଗଡ଼ ଟାଉନ୍ ଥାନା ଭବାନିପୁର ରଜାମୁଣ୍ଡା ବସ୍ତିରେ ଘଟିଛି ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ଖବର ପାଇ ଏବେ ସ୍ୱାମୀକୁ ଅଟକ ରଖି ପଚାରା ଉଚରା ଚଳାଛି ପୋଲିସ୍ ।

ଖବର ଅନୁଯାୟୀ, ମଙ୍ଗଳ ଓ ତାର ପତ୍ନୀ ଏନେଲ୍ ଙ୍କ ମଧ୍ୟରେ ପାରିବାରିକ ବିବାଦ ନେଇ ଯୁକ୍ତିତର୍କ ଚାଲିଥିଲା । ଦେଖୁ ଦେଖୁ ଉଭୟଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଲା । ଯେଉଁଥିରେ ସ୍ୱାମୀ ମଙ୍ଗଳ ରାଗି ଯାଇ ଏକ ଇଟାରେ ସ୍ତ୍ରୀର ମୁଣ୍ଡକୁ ଛେଚି ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ସ୍ତ୍ରୀ ଏନେଲ୍ ଙ୍କର ଚାଲିଯାଇଥିଲା ଜୀବନ । ସେପଟେ ହତ୍ୟାକାଣ୍ଡ ସଂପର୍କରେ ସୁନ୍ଦରଗଡ଼ ଟାଉନ ଥାନା ପୋଲିସକୁ ତୁରନ୍ତ ଖବର ଦେଇଥିଲେ ଗାଁ ଲୋକ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆଉ ଅଭିଯୁକ୍ତକୁ ଧରିବା ପାଇଁ ଛାନ୍‌ଭିନ୍‌ ଜାରି ରଖିଥିଲା । ଶେଷରେ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି ପୋଲିସ୍ । ଏହାସହ ମହିଳାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

ଏପଟେ ଏନେଲ୍ ରାତିରେ ଶୌଚ ଯାଉଛି କହି ଆଉ ଫେରିନଥିଲେ, ଦୀର୍ଘ ସମୟ ଧରି ନ ଫେରିବାରୁ ଝିଅ ବହୁତ୍ ଖୋଜାଖୋଜି କରିଥିଲା କିନ୍ତୁ ପାଇନଥିଲା । ଭାବିଲା ଘର ପାଖରେ ହେଉଥିବା ବିବାହ ଘରକୁ ଯାଇଥିବେ । ଏପରିକି ସକାଳେ ମଧ୍ୟ ନ ଆସିବାରୁ ବାପାଙ୍କୁ ପଚାରିଥିଲା କିନ୍ତୁ କୌଣସି ଉତ୍ତର ପାଇନଥିଲା ଝିଅ । ପୁଣି ଖୋଜାଖୋଜି କରି ଘର ପାଖରେ ଥିବା ଇଟା ଭାଟି ପାଖରେ ମାଆର ମୃତଦେହ ପଡ଼ିଥିବାର ଦେଖି ଜୋରରେ ପାଟି କରିବାରୁ ପାଖ ପଡୋଶୀ ଦୌଡ଼ି ଆସିଥିଲେ । ସେତେବେଳକୁ ସ୍ୱାମୀ ମଙ୍ଗଳ ଟାଉନ ଥାନାରେ ଯାଇ ଆତ୍ମ ସମର୍ପଣ କରିଥିଲା ।

ଅନ୍ୟପଟେ ଯାହା ସୂଚନା ମିଳିଛି, ବିବାହ ପରଠୁ  ସ୍ୱାମୀ ମଙ୍ଗଳ କୌଣସି କାମଧନ୍ଦା ନ କରି ସର୍ବଦା ମଦ ନିଶାରେ ରହେ । ସ୍ତ୍ରୀ ଏନେଲ୍ କୁ ମାରପିଟ୍ କରିବା ସହ ଝଗଡା କରୁଥିଲା । ନିଜେ ଅପାଠୁଆ ହୋଇ ବି ଏନେଲ୍ ସ୍ୱାମୀ ସହ ତିନି ଗୋଟି ପିଲାଛୁଆଙ୍କର ଭରଣପୋଷଣ ଦାୟିତ୍ୱ ବୁଝୁଥିଲେ । ତିନି ସନ୍ତାନକୁ ଭଲ ନୀତି ଆଦର୍ଶର ଗଢି ତୋଳିଥିଲେ । ହେଲେ ବର୍ତ୍ତମାନ ଆର୍ଥିକ ଅନାଟନରେ ଜୀବନ ଅତିବାହିତ କରୁଥିବା ଏହି ପରିବାର ମୂରବୀ ଶୂନ୍ୟ ହୋଇପଡିଛି । ମାଆ ଆରପାରିକୁ ଚାଲିଗଲା, ଆଉ ବାପା ଜେଲ ଯିବା ସୁନିଶ୍ଚିତ ।

ବେଳେ ବେଳେ ଲାଗେ ଭଗବାନ ବହୁତ ନିଷ୍ଠୁର । ଗରିବକୁ ବେଶି ଦୁଃଖ ଦେଉଛନ୍ତି । ହେଲେ କିଏ କେଉଁ ଭାଗ୍ୟ ନେଇ ଆସିଥାଏ ତାହା କହିବା ମୁସ୍କିଲ । ଏମିତି ଏକ ଦୁର୍ଭାଗ୍ୟଜନକ ସ୍ଥିତିରେ ଏବେ ତିନି ଛୁଆ । ବଡ ଝିଅ ନମିତା ଓରାମ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିବାବେଳେ ମଝିଆ ପୁଅ ଗଣେଶ ଓରାମ ନବମ ଶ୍ରେଣୀରେ ପାଠ ପଢୁଛି ଏବଂ ସବୁଠୁ ସାନ ପୁଅ ବିଜୟ ଓରାମ ସପ୍ତମ ଶ୍ରେଣୀରେ ପାଠ ପଢୁଛି ।

ଯେଉଁ ମାଆଙ୍କ ଭରସାରେ ତିନି ଛୁଆର ଭବିଷ୍ୟତ ଗଢା ଯାଉଥିଲା, ଆଜି ସେ ମାଆ ଆରପାରିରେ । ବାପା ଜେଲ୍ ର ଚାରି କାନ୍ଥରେ । ପରିବାର କହିଲେ ଆଉ କେହି ନାହିଁ । ଏବେ ତିନି ଛୁଆଙ୍କ ଭବିଷ୍ୟତକୁ ନେଇ ଉଠୁଛି ବଡ ପ୍ରଶ୍ନ?  ଏ ତିନି ଛୁଆଙ୍କ ପାଠ ପଢାରେ କଣ ଡୋରି ବନ୍ଧା ହୋଇଯିବ? ତେବେ ସରକାରୀ ହେଉ କି ବେସରକାରୀ ସ୍ତରରେ ହେଉ ଉକ୍ତ ଅନାଥ ପିଲାମାନଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ ।

Also Read: ଯାତ୍ରା ଦେଖୁଥିବା ବେଳେ ୫ଟି ଘରୁ ସିରିଜ୍ ଚୋରି, ଘରେ କଳାକନା ବୁଲାଇ ଦେଲେ ଲୁଟେରା