ସନ୍ଦେହ ପାଇଁ ସୈତାନ୍ ପ୍ରେମିକ ମାରିଦେଲା ପ୍ରେମିକାକୁ

ଭୁବନେଶ୍ୱର: ଭଲ ପାଇବାର କରୁଣ ପରିଣତି । ପ୍ରେମିକ ସାଜିଲା ପିଶାଚ । ନିଜ ପ୍ରେମିକାକୁ ମାରି ଦେଲା ନିଜ ହାତରେ । ମୃତଦେହକୁ ଫିଙ୍ଗିଲା ଦୟା ନଦୀ କୂଳରେ  । ଦୁଇ ମାସ ଧରି ତନାଘନା ପରେ ଧରା ହେଲା ଜହ୍ଲାଦ । ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ କଲା ଖଣ୍ଡଗିରି ଥାନା ପୋଲିସ୍ ।

ପ୍ରେମ ଆଉ ପ୍ରେମ ହୋଇ ରହି ନାହିଁ । ନିଜ ସ୍ବାର୍ଥରେ ଆଞ୍ଚ ଆସିଲେ ପ୍ରେମିକ ଅବା ପ୍ରେମିକା ପରସ୍ପରକୁ ଜୀବନରୁ ମାରି ଦେବାକୁ ବି ବଛାଉ ନାହାନ୍ତି । ଜାଣନ୍ତୁ ଜଣେ ପ୍ରେମିକ ସିକ୍ୟୁରିଟି ଗାର୍ଡର ସାଙ୍ଘାତିକ କାରନାମା । ପ୍ରେମିକାର ପ୍ରେମ ମିଳିଲାନି ବୋଲି ଜୀବନରୁ ମାରି ଦେଲା ପ୍ରେମିକ । ଯେଉଁ ଘଟଣାର ପର୍ଦ୍ଦାଫାସ କରିଛି ଖଣ୍ଡଗିରି ପୋଲିସ୍ । କାହାଣୀଟି ଯେତିକି ରହସ୍ୟମୟ ଥିଲା, ପୋଲିସ୍ ପାଇଁ ମଧ୍ୟ ଥିଲା ସେତିକି ଚ୍ୟାଲେଞ୍ଜିଙ୍ଗ । ପ୍ରଥମେ ଅପମୃତ୍ୟୁ ମାମଲା, ଆଉ ତଦନ୍ତ ପରେ ଜଣାପଡ଼ିଲା ଯୋଜନାବଦ୍ଧ ହତ୍ୟାକାଣ୍ଡ ।

ଜାନୁଆରୀ ୨୮ ତାରିଖ ୨୦୨୫ । ଧଉଳି ଥାନା ଲିଙ୍ଗିପୁର ମେଳନ ପଡିଆ । ପଡ଼ିଆ ନିକଟରୁ ମିଳିଲା ଏକ ମୃତଦେହ । ସାଇଣ୍ଟିଫିକ ଟିମ୍ ଯାଇ ଘଟଣାସ୍ଥଳରେ ତଦନ୍ତ କଲେ । ମୃତଦେହର ପରିଚୟ ଜାଣିବା ପାଇଁ ହେଲା ତନାଘନା । ସବୁ ଥାନାକୁ ପରିଚୟ ଖୋଜିବାକୁ କୁହାଗଲା । ଜାନୁଆରୀ ୧୦ ତାରଖ ୨୦୨୫ରେ । ଖଣ୍ଡଗିରି ଥାନାରୁ ମିଳିଲା ଏକ ନିଖୋଜ ରିପୋର୍ଟ । ପରିବାର ଲୋକଙ୍କୁ ଯୋଗାଯୋଗ ପରେ ବି ଚିହ୍ନଟ କରିବା ମୁସ୍କିଲ ଥିଲା ମରଶରୀରର । ନିଖୋଜ ରିପୋର୍ଟ ଥିଲା ସ୍ନେହା ବେହେରା ନାମକ ଜଣେ ଯୁବତୀଙ୍କର । ଥାନାରେ ନିଖୋଜ ରିପୋର୍ଟ କରିଥିଲେ ତାଙ୍କ ଭଉଣୀ ।

ସ୍ନେହାଙ୍କ ଘର କନ୍ଧମାଳ । ସେ ବରମୁଣ୍ଡା ରୁଚିକା ମାର୍କେଟ ନିକଟରେ ରହୁଥିଲେ । ଏକ ଘରୋଇ ସଂସ୍ଥାରେ ସେଲ୍ସମ୍ୟାନ ଭାବରେ କାମ କରୁଥିଲେ । ମୋବାଇଲ ନମ୍ବରରୁ ଖୋଳତାଡ଼ ପରେ ଜଣାପଡିଲା ଯେ, ସେ ଜଣେ ସିକ୍ୟୁରିଟି ଗାର୍ଡ ସହ ପ୍ରେମ ସମ୍ପର୍କରେ ଥିଲେ । ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଚନ୍ଦନ ପରିଡା ଓରଫ ମଙ୍ଗୁ ସହ ସେହିଦିନ ଧଉଳି ବୁଲିବାକୁ ଯାଇଥିଲେ ସ୍ନେହା । ତାପରେ ଆଉ ତାଙ୍କର ପତ୍ତା ମିଳି ନଥିଲା । କିନ୍ତୁ ପରେ ସ୍ପଷ୍ଟ ହୋଇଛି କି ଅଭିଯୁକ୍ତ ଜଣକ ତାଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ, ସେହି ସ୍ଥାନ ଛାଡି ପଳାଇ ଥିଲା । ଆହୁରି ମଧ୍ୟ ଚାକିରି ଛାଡ଼ି ଫେରାର ମାରିଥିଲା ।

ଏପଟେ ପୋଲିସ୍ ତଥ୍ୟ ପ୍ରମାଣ ଏକାଠି କରିବା ପରେ ଭିତିରି ଘଟଣା ସାମ୍ନାକୁ ଆସିଥିଲା । ତେବେ ଏ କଥା ମଧ୍ୟ ସ୍ପଷ୍ଟ ହୋଇଥିଲା କି, ତଦନ୍ତକୁ ବାଟବଣା କରିବା ପାଇଁ ଉଦ୍ୟମ କରିଥିଲା ଅଭିଯୁକ୍ତ । ସ୍ନେହାର ମୃତଦେହ ପାଖରେ ରମେଶ ବେହେରା ନାମକ ଜଣେ ବ୍ୟକ୍ତିର ଆଧାର କାର୍ଡ଼ ପକାଇ ଦେଇଥିଲା । ତା ସହିତ ଏକ ବୟାନ୍ ଲେଖା ଥିବା ନୋଟ୍ ମଧ୍ୟ ପକାଇ ଦେଇଥିଲା । ପୋଲିସ ସ୍ନେହାଙ୍କ ପରିବାରକୁ ଖବର ଦେଇଥିଲେ ବି ମୃତଦେହ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଥିଲା । ତଦନ୍ତ ପରେ କିନ୍ତୁ ପୂରା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ ।

ଏପଟେ ଯୁବତୀଙ୍କ ମୋବାଇଲରୁ ପୋଲିସକୁ ମିଳିଥିଲା ସୁରାକ୍ । ତାରି ସହାୟତା ନେଇ ଅଭିଯୁକ୍ତ ମିଟୁ ଓରଫ ଚନ୍ଦନ ପରିଡ଼ାକୁ ଗିରଫ କରିଥିଲା ପୋଲିସ୍ । ଲିଙ୍ଗିପୁର ନଦୀପଠାର ସେହି ପରିତ୍ୟକ୍ତ ସ୍ଥାନ ପାଖକୁ ଅଭିଯୁକ୍ତ ଚନ୍ଦନ ପରିଡା ଓରଫ ମଙ୍ଗୁକୁ ନେଇ ସିନ୍ ରିକ୍ରିଏସନ କରାଯାଇଛି । ଅଭିଯୁକ୍ତକୁ ଜେଲ ପଠାଇବା ପୂର୍ବରୁ ଜଗତସିଂହପୁର କୁଜଙ୍ଗ ଥାନାରେ ତା ନାଁରେ ଆହୁରି ୨ଟି ସଙ୍ଗୀନ ମାମଲା ଥିବା ଜାଣିବାକୁ ପାଇଛି ପୋଲିସ୍ । ତେବେ ସୂଚନା ଅନୁସାରେ ପ୍ରେମରେ ପ୍ରତାରଣ ଯୋଗୁଁ ସ୍ନେହାଙ୍କୁ ମାରି ଦେଇଛି ଚନ୍ଦନ ।

ଆହୁରି ପଢନ୍ତୁ: ସତରେ କଣ ଲିଜାଙ୍କ ଜୀବନ ନେଇଗଲେ ଶାଶୁ ଘର ଲୋକେ?