ଯାହା ପାଇଁ ପୁଅରୁ ଝିଅ ହେଲି ସେଇ ଦେଲା ଧୋକା, ଏକ ଅଜବ ପ୍ରେମ କାହାଣୀ

ଅତି ଅଜବ ଏଇ ପ୍ରେମ କାହାଣୀ । ପ୍ରେମ ପାଇଁ ସେ ଲିଙ୍ଗ ପରିବର୍ତ୍ତନ କଲେ । ହେଲେ ଯାହା ପାଇଁ ନିଜକୁ ବଦଳାଇ ଦେଲେ ସେହିଁ ଶେଷକୁ ଧୋକା ଦେଲା । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବିହାରର ବେଗୁସରାଇରେ । ମାମଲା ଯାଇ ପହଞ୍ଚିଛି ପୋଲିସ୍ ପାଖରେ । କାହାଣୀ ହେଉଛି ସନ୍ନି ଓରଫ ମାରିୟା ଯାଦବଙ୍କର ।

ବିହାର ସାହେବପୁର କମାଲ ଥାନା ଅନ୍ତର୍ଗତ ବାବୁହାରି ଗାଁର ବାସିନ୍ଦା ହେଉଛନ୍ତି ସନ୍ନି ଯାଦବ। ତେବେ କଣ ହେଲା କେଜାଣି ୨୦୧୭ରେ ସନ୍ନିଙ୍କର ତାଙ୍କ ନିଜ ଗାଁର ବାସିନ୍ଦା ପୀୟୁଷ ଯାଦବ ସହ ବନ୍ଧୁତା ହେଲା । ଏହି ବନ୍ଧୁତା କିନ୍ତୁ ଧୀରେ ଧୀରେ ଅନ୍ୟ ମୋଡ଼ ନେଲା । ନିବିଡ଼ତା ବଢ଼ିବା ସହ ଦୁହିଙ୍କୁ ଲାଗିଲା କି ପରସ୍ପର ବିନା ବଞ୍ଚି ପାରିବେନି । ତେବେ ଦୁଇଜଣ ଯାକ ପୁରୁଷ ଥିଲେ । ଆଉ ସାମନାରେ ଥିଲା ସମାଜର ପ୍ରତିବନ୍ଧକ । ଏସବୁ ଚିନ୍ତା କରିବା ପରେ ଦୁହେଁ ସ୍ଥିର କଲେ ବିକଳ୍ପ ରାସ୍ତା ଖୋଜିବାକୁ । ଆଉ ସନ୍ନି ନିଷ୍ପତ୍ତି ନେଲେ ଲିଙ୍ଗ ପରିବର୍ତ୍ତନ କରିବେ । ସେହି ଅନୁସାରେ ସେ ୨୦୧୯ରେ ଅପରେସନ୍ ପାଇଁ ଯୋଜନା କଲେ । ଏକଥା ତାଙ୍କ ପରିବାର ଲୋକ ଶୁଣି ଭୀଷଣ ବିରକ୍ତ ହେଲେ । ଘରେ ତୁମୁଳ କାଣ୍ଡ ଘଟିଲା । ହେଲେ ସନ୍ନି ନିଜର ପ୍ରେମକୁ ପାଇବା ପାଇଁ ଘର ଲୋକଙ୍କର ବିରୁଦ୍ଧରେ ଯାଇ ବନିଗଲେ ମାରିୟା ।

୨୦୨୧ ମସିହାରେ ମାରିୟା ଓ ପୀୟୁଷ ଗୋରଖପୁର କୋର୍ଟରେ ବିବାହ କଲେ । ଏହାପରେ ମାରିୟା କାମ କରି ଘର ଚଳାଇଲେ । ଏହା ସହିତ ପୀୟୁଷର ମଧ୍ୟ ସବୁ ଦାୟିତ୍ବ ନେଲେ । ଦୁଇ ବର୍ଷ ଧରି ସବୁ ଠିକଠାକ୍ ଚାଲିଲା । ୨୦୨୪ରେ ମାରିୟା ଜୀବନରେ ଆସିଲା ଦୁଃଖ । ସେହି ବର୍ଷ ପୀୟୁଷ କାମ ପାଇଁ  କୋଲକାତା ଯିବାକୁ ଚାହିଁଲା । ମାରିୟା ମଧ୍ୟ ସହଯୋଗ କରି ତାକୁ କୋଲକାତା ପଠାଇଲା । ହେଲେ ଏଇଠି ଧୋକା ଦେଲା ପୀୟଷ । ସୁମନ ନାମକ ଜଣେ କିନ୍ନର ପ୍ରେମରେ ପଡ଼ି ମାରିୟାକୁ ଅବହେଳା କରିବାକୁ ଲାଗିଲା । ଏହାକୁ ନେଇ ଦୁହିଙ୍କ ଭିତରେ ଖୁବ୍ କଳି ଝଗଡ଼ା ଲାଗିଲା । ଏମିତିକି ପୀୟୁଷ ମାରପିଟ୍ କରି ମାରିୟାକୁ ଜୀବନରୁ ମାରି ଦେବାକୁ ଧମକ ଦେଲା ।

ନିଜର ପ୍ରେମ ଉଜୁଡ଼ି ଯାଉଥିବା ଦେଖି ମାରିୟା ଶେଷରେ ସାହେବପୁର କମାଲ ଥାନାରେ ପୀୟୁଷ ନାଁରେ ଅଭିଯୋଗ କଲା । ପ୍ରଥମେ ପୋଲିସ୍ ଟିକେ ଅବହେଳା କଲା ତେବେ ଘଟଣାଟି ଯେତେବେଳେ ଗଣମାଧ୍ୟମ ଜରିଆରରେ ସବୁଠି ଚର୍ଚ୍ଚା ହେଲା ପୋଲିସ୍ ବାଧ୍ୟ ହୋଇ ପଦକ୍ଷେପ ନେଲା । ଉଭୟ ପୀୟୁଷ ଓ ମାରିୟାଙ୍କୁ ଡାକି ବୁଝାଶୁଝା କରିବା ପରେ ଦୁହେଁ ପୁଣି ଏକାଠି ହୋଇଛନ୍ତି । ଡିସିପି ନେହା କୁମାରୀ ଷ୍ଟମ୍ପ ପେପରରେ ଉଭୟଙ୍କ ଠାରୁ ଲିଖିତ ଭାବେ ରଖିଛନ୍ତି କି ଆଉ କେବେ ଅଲଗା ହେବେ ନାହିଁ । ତେଣୁ ମାରିୟା ପୋଲିସ୍ ଏବଂ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି ।