ପାରା ପ୍ରେମରେ ଯୁବକ, ନିଜ ପକେଟରୁ ଖର୍ଚ୍ଚ କରି ସେମାନଙ୍କୁ କରୁଛନ୍ତି ଲାଳନ ପାଳନ

ଆସିକା : ପାରା ପ୍ରେମରେ ପଡିଯାଇଛନ୍ତି ଏଇ ଯୁବକ । ଭୁଲିଯାଇଛନ୍ତି ନିଜ କଥା । ପାରାଙ୍କ ପାଇଁ ସ୍ୱତନ୍ତ୍ର ଘର ନିର୍ମାଣ କରିବା ସହ ନିଜ ପରିବାର ସଦସ୍ୟ ଭଳି ସେମାନଙ୍କୁ କରୁଛନ୍ତି ଲାଳନ ପାଳନ । ପାଳିଛନ୍ତି ବିଭିନ୍ନ ପ୍ରଜାତିର ଧଳା ପାରା । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ହରିଡ଼ାପଦର ପଞ୍ଚାୟତ ନୂଆପଲ୍ଲି ଗ୍ରାମରେ ।

ଗ୍ରାମର ଉଚ୍ଚ ଶିକ୍ଷିତ ଯୁବକ ବୁଦ୍ଧିରାମ ପ୍ରଧାନ । ଯିଏ ନିଜ ଘର ଛାତ ଉପରେ ପାରାଙ୍କ ଲାଗି ତିନି ରୁ ଚାରି ବଖରା ଘର ନିର୍ମାଣକରି ସେଥିରେ ପାରାମାନଙ୍କୁ ରଖି କରୁଛନ୍ତି ସେମାନଙ୍କ ଲାଳନ ପାଳନ । ସକାଳୁ ଉଠି ପ୍ରଥମେ ପାରା ମାନଙ୍କୁ ଖାଦ୍ୟ ଦିଅନ୍ତି ବୁଦ୍ଧିରାମ । ଆଉ ପାରା ମାନେ ମଧ୍ୟ ଘୂମୁରି ଘୂମୁରି ଆସି ଯୁବକଙ୍କ ଚାରି ପାଖରେ ଉଡ଼ିବା ସହ ଯୁବକଙ୍କ ହାତରୁ ଖାଦ୍ୟ ଖାଇଥାନ୍ତି ଏବଂ ପାରା ମାନେ ପେଟ ପୁରାଇ ଖାଇବା ପରେ ଆକାଶ ମାର୍ଗରେ ମନ ଖୋଲି ଉଡ଼ିବା ପାଇଁ ଚାଲି ଯାଇଥାନ୍ତି । ଆଉ ମନ ଭରିଗଲା ପୁଣି ଘରକୁ ଫେରି ଆସନ୍ତି ।

ପାରା ମାନଙ୍କର ଯତ୍ନ ନେବା କାର୍ଯ୍ୟରୁ ହିଁ ଆରମ୍ଭ ହୋଇଥାଏ ବୁଦ୍ଧିରାମଙ୍କ ସକାଳ । ବୁଦ୍ଧିରାମଙ୍କ ପିଲାଟି ଦିନରୁ ରହି ଆସିଥିବା ପଶୁ ପକ୍ଷୀ ଙ୍କ ପ୍ରତି ଦୁର୍ବଳତା ପାଇଁ ଆଜିକୁ ୮ବର୍ଷ ପୂର୍ବେ ବଜାରରୁ ଆଣିଥିବା ୨ଟି ପାରାରୁ ବଂଶ ବୃଦ୍ଧି ହୋଇ ଆଜି ତାଙ୍କ ପାରାଙ୍କ ସଂଖ୍ୟା ଆସି ୨୦୦ ରେ ପହଞ୍ଚି ପାରିଛି । ବିଭିନ୍ନ ପ୍ରଜାତିର ୨୦୦ ପାରାକୁ ପାଳିଛନ୍ତି ବୁଦ୍ଧିରାମ ।

para

ବୁଦ୍ଧିରାମ ଜଣେ ଉଚ୍ଚ ଶିକ୍ଷିତ ହୋଇ ଥିବାରୁ ସେ ସରକାରୀ ଚାକିରୀ ପାଇଁ ବାରମ୍ବାର ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଶେଷରେ ବାପାଙ୍କ ଚା ଦୋକାନରେ ବାପାଙ୍କୁ ସାହାଯ୍ୟ କରିବା ସାଙ୍ଗକୁ ବଳକା ସମୟରେ ସେ ପାରା ମାନଙ୍କ ସେବା କରିବାରେ ଲଗେଇ ଦେଲେ । ତେବେ ନିଜ ପକେଟ ଖର୍ଚ୍ଚ ଟଙ୍କାକୁ ସେ ପାରାଙ୍କ ପାଇଁ ଦାନା ଓ ଔଷଧ ପାଇଁ ଖର୍ଚ୍ଚ କରିଥାନ୍ତି । ଏମାନଙ୍କ ଲାଳନ ପାଳନରେ ହିଁ ଯୁବକ ଜଣଙ୍କୁ ମିଳିଥାଏ ଆତ୍ମ ସନ୍ତୁଷ୍ଟି । ଦିନ ସାରା ଉଡ଼ିବା ପରେ ସନ୍ଧ୍ୟାରେ ଶବ୍ଦରେ ଇଶରା କରି ପାରା ଙ୍କୁ ଡ଼ାକିଥାନ୍ତି ବୁଦ୍ଧିରାମ ।

ଏପଟେ ପାରା ମାନଙ୍କ ସ୍ବାସ୍ଥ୍ୟ ଖରାପ ହେଲେ ୟୁଟୁବ୍ ଦେଖି ସେମାନଙ୍କ ରୋଗ ଚିହ୍ନି ମେଡ଼ିସିନ୍ ଦେଇଥାନ୍ତି। ପୁଅର ଏଭଳି ପାଗଳାମି ଦେଖି ପ୍ରଥମେ ବିରକ୍ତ ହେଉଥିଲେ ଘରଲୋକେ । ଏବେ କିନ୍ତୁ ସମୟ ବଦଳି ଯାଇଛି । ବୁଦ୍ଧିରାମଙ୍କ ବାପା ମାଆ ମଧ୍ୟ ପାରା ପ୍ରେମରେ ପଡି ଯାଇଛନ୍ତି । ଘରେ ପୁଅ ନଥିବା ସମୟରେ ମାଆ ମଧ୍ୟ ପାରାଙ୍କ ଯତ୍ନ ନେଇଥାନ୍ତି ।

ପାରା ପ୍ରେମରେ ମଣିଷ । ମଣିଷ ଓ ପକ୍ଷୀଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ । କୁହାଯାଇଥାଏ କି ପାରା ପୂର୍ବେ ଡାକବାଲା ର କାର୍ଯ୍ୟ କରୁଥିଲା ଏବଂ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ୍ ଦିଆଯାଉଥିଲା । ସତରେ କଣ ମଣିଷର ପରିଭାଷାକୁ ବୁଝିପାରେ ପାରା । ହଁ ବୁଝିପାରନ୍ତି ଆଉ ଆ ଆ କହିଲେ ପାଖକୁ ଆସି ହାତରୁ ଖାଦ୍ୟ ମଧ୍ୟ ଖାଆନ୍ତି । ତେବେ ଏତେ ବାଧାବିଘ୍ନ ସତେ ବୁଦ୍ଧିରାମଙ୍କର ଏହି ନିରୀହ ପକ୍ଷୀଙ୍କ ପ୍ରତି ଭଲପାଇବା ଦେଖି ସାଧାରଣରେ ତାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.