ବୟସର ଅପରାହ୍ନରେ ଅଲୋଡ଼ା ହେଲେ ବୃଦ୍ଧ: ସରକାରଙ୍କୁ ଦେଇଦେଲେ ଦେଢ଼ କୋଟିର ସମ୍ପତ୍ତି

ବୟସର ଅପରାହ୍ନରେ ଅଲୋଡ଼ା ହେଲେ ବୃଦ୍ଧ। ପଚାରିଲେନି ପୁଅ, ବୋହୂ, ଝିଅ, ନାତି, ନାତୁଣୀ। ତେଣୁ ନିଜର ୧.୫ କୋଟିର ସମ୍ପତ୍ତି ସରକାରଙ୍କୁ ଦେଇଦେଲେ ବୃଦ୍ଧ। ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି ମୁଜାଫରନଗରରେ ।

ବୟସର ଅପରାହ୍ନରେ ଅଲୋଡ଼ା ହେଲେ ବୃଦ୍ଧ। ପଚାରିଲେନି ପୁଅ, ବୋହୂ, ଝିଅ, ନାତି, ନାତୁଣୀ। ତେଣୁ ନିଜର ୧.୫ କୋଟିର ସମ୍ପତ୍ତି ସରକାରଙ୍କୁ ଦେଇଦେଲେ ବୃଦ୍ଧ। ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି ମୁଜାଫରନଗରରେ । ମୁଜାଫରନଗରର ୮୫ ବର୍ଷ ବୟସ୍କ ବୃଦ୍ଧ କୃଷକ ନାଥୁ ସିଂ । ତାଙ୍କ ନାମରେ ଥିବା ଜମି ଓ ଘରର ମୂଲ୍ୟ ପ୍ରାୟ ଦେଢ଼ କୋଟି । ଗୋଟିଏ ବୋଲି ପୁଅ ଓ ଚାରି ଝିଅ ।

ପୁଅ ସାହାରରନପୁରରେ ଶିକ୍ଷକ ଭାବରେ କାମ କରନ୍ତି । ସମସ୍ତ ପାଞ୍ଚ ସନ୍ତାନ ବିବାହିତ । ସ୍ତ୍ରୀଙ୍କ ମୃତ୍ୟୁ ପରେ ବୃଦ୍ଧ ଜଣକ ଏକୁଟିଆ ରହୁଥିଲେ । କେହି ଘରେ ରହୁନଥିବାରୁ ତାଙ୍କୁ ଏକା ଲାଗୁଥିଲା । ଫଳରେ ପ୍ରାୟ ସାତ ମାସ ପୂର୍ବରୁ ସେ ନିଜ ଗାଁରେ ଥିବା ଏକ ବୃଦ୍ଧାଶ୍ରମକୁ ଚାଲି ଯାଇଥିଲେ ।

ହେଲେ ଦୁଃଖର କଥା ବୃଦ୍ଧାଶ୍ରମରେ ଏତେ ମାସ ବିତି ଯାଇଥିଲେ ସୁଦ୍ଧା ପୁଅ କି ଝିଅ କେହି ତାଙ୍କୁ ଦେଖିବା ପାଇଁ ଆସିନଥିଲେ । ସବୁ ଦିନ ସେ ପୁଅ, ଝିଅ ଆସିବେ ବୋଲି ଚାହିଁ ରହୁଥିଲେ । ହେଲେ ଦୁଃଖର କଥା ବୁଢ଼ା ବାପାଟା ପାଇଁ କାହା ପାଖରେ ସମୟ ନଥିଲେ । ଏକଥାରେ ତାଙ୍କ ହୃଦୟ ଭାଙ୍ଗି ଯାଇଥିଲା । ତେଣୁ ସେ ନିଷ୍ପତ୍ତି ନେଲେ ନିଜର ସମସ୍ତ ସମ୍ପତ୍ତି ସରକାରଙ୍କ ନାମରେ କରିଦେବେ ବୋଲି।

ଏହା ପରେ ସେ କହିଥିଲେ, ସେ ଚାହୁଁନାହାନ୍ତି ତାଙ୍କ ପିଲାମାନେ କିଏ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହୁଅନ୍ତୁ । ବୟସର ଅପରାହ୍ନରେ ପୁଅବୋହୂ, ନାତିନାତୁଣୀଙ୍କ ସହ ରହିବା କଥା । ହେଲେ ତାଙ୍କୁ ଘଡ଼ିଏ କେହି ଦେଖିବାକୁ ଆସିବା ପାଇଁ ମଧ୍ୟ କାହା ପାଖରେ ସମୟ ନାହିଁ । ଶେଷରେ ବିରକ୍ତ ହୋଇ ନାଥୁ ସିଂ ନିଜର ୧.୫ କୋଟିରେ ସମ୍ପତ୍ତି ଉତ୍ତରପ୍ରଦେଶ ରାଜ୍ୟ ସରକାରଙ୍କ ନାମରେ ଲେଖି ଦେଇଛନ୍ତି । କେବଳ ଏତିକି ନୁହେଁ ମୃତ୍ୟୁ ପରେ ପରୀକ୍ଷାନୀରିକ୍ଷା ପାଇଁ ଡାକ୍ତରଖାନାକୁ ତାଙ୍କ ଶରୀରକୁ ଦାନ କରିଦେଇଛନ୍ତି ।

ଏହାସହ ତାଙ୍କର ଅନ୍ତିମ ସଂସ୍କାର ସମୟରେ ପୁଅ କି ଝିଅ କେହି ଉପସ୍ଥିତ ରହିବେ ନାହିଁ ବୋଲି ୱିଲରେ ସ୍ପଷ୍ଟ ଭାବରେ ଲେଖି ଦେଇଛନ୍ତି । ସେ ସବୁ ସମ୍ପତ୍ତି ଉତ୍ତରପ୍ରଦେଶ ରାଜ୍ୟପାଳଙ୍କୁ ହସ୍ତାନ୍ତର କରିବାକୁ ଏକ ଆବେଦନପତ୍ର ଦାଖଲ କରିଛନ୍ତି । ତାଙ୍କ ମୃତ୍ୟୁ ପରେ ସରକାର ଟଙ୍କା ଓ ତାଙ୍କ ଜମିରେ ବିଦ୍ୟାଳୟ କିମ୍ବା ଡାକ୍ତରଖାନା ଖୋଲିବା ପାଇଁ ସେ ନିବେଦନ କରିଛନ୍ତି ।