ଆସିଛି ବଣଭୋଜି ଋତୁ, ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ମଣ୍ଡାସରୁ କୁଟି
କୁଳୁକୁଳୁ ଶବ୍ଦରେ ବୋହି ଯାଉଛି ଝରଣା । ସାଙ୍ଗରେ ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦରେ କମ୍ପି ଉଠୁଛି ସମଗ୍ର ପରିବେଶ । ଡିଜିଟାଲ ଦୁନିଆରୁ ଟିକେ ବାହରିଗଲେ ଆମ ଏଇ ଓଡ଼ିଶାରେ ଏତେ ସୁନ୍ଦର ସ୍ଥାନ ରହିଛି ତାହା ଆପଣମାନେ ଜାଣି ପାରିବେ । କାରଣ ବର୍ତ୍ତମାନ ଆସିଛି ବଣଭୋଜି ଋତୁ । ଏନେଇ ଲୋକମାନେ ଛୁଟି ନେଇ ବିଭିନ୍ନ ସ୍ଥାନ ବୁଲିବାକୁ ଯାଉଛନ୍ତି । ଏହାରି ମଧ୍ୟରେ ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣିଲେ ଆପଣ ବି ବଣଭୋଜି କରିବା ପାଇଁ ଏଠାକୁ ବାହାରି ପଡ଼ିବେ ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକର ମଣ୍ଡାସରୁ କୁଟି ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଫୁଲବାଣୀ ସଦର ମହକୁମା ଠାରୁ ମାତ୍ର ୭୦ କିଲୋମିଟର ଦୂରରେ ପଡେ ଏବଂ ରାଇକିଆ ଠାରୁ ମାତ୍ର ୧୦ କିମି ଗଲେ ପଡିବ ମଣ୍ଡାସରୁ କୁଟି । କୁଟି ମାନେ ଆଦିବାସୀ ଭାଷାରେ ଖାଲ, ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକ ଭିଡ଼ ଲାଗେ । ଏଠାରେ ଶୀତର ଲହରୀ ଖେଳୁଥିବା ବେଳେ ଏବେ ଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଛି । ଦୁଇ ପାହାଡ ମଧ୍ୟରେ ଝରଣାର କୁଳୁକୁଳୁ ଶବ୍ଦ ମନ ମୋହି ନେଉଛି । ଆଉ ଏହାକୁ ଦେଖିବାକୁ ପ୍ରାୟ ୩୦ ଫୁଟ ଉଚ୍ଚର ଟାୱାର ଉପରେ ଚଢ଼ିବାକୁ ପଡ଼େ । ଚତୁଃପାର୍ଶ୍ବରେ ଥିବା ପର୍ବତ ମାଳାକୁ ଆଖି ପାଉନଥିବା ସେହି ପାହାଡ଼ର ପାଦଦେଶକୁ ଉପଭୋଗ କରିବା ପାଇଁ ଛୁଟି ଆସୁଛନ୍ତି ପର୍ଯ୍ୟଟକ ।
ଏଠାକାର ପାର୍କରେ ଛୋଟଛୋଟ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଦୋଳିର ସୁବିଧା ରହିଛି । ଏଠାରେ ୪୦ ଫୁଟ ଉଚ୍ଚର ୱାଟର ପୁଲ ମଧ୍ୟ ରହିଛି । ପାହାଡ଼ରୁ ପ୍ରାୟ ୪୦ ଫୁଟ ଉପରୁ ପାଣି ତଳକୁ ପଡେ । ଏହାକୁ ଦେଖିବାକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ପାର୍କ ମଧ୍ୟରେ ଥିବା ପ୍ରାକୃତିକ ଜଙ୍ଗଲ ଓ ଫୁଲ ବଗିଚା ସହିତ ବଣ ଭୋଜିର ସୁବିଧା ମଧ୍ୟ ରହିଛି । ବଣ ଭୋଜି ପାଇଁ ହଣ୍ଡା ହାଣ୍ଡି ମଧ୍ୟ ଏସଏଚଜି ଗ୍ରୁପ ପକ୍ଷରୁ ଯୋଗାଇ ଦିଆଯାଏ । ଏଠାରେ ଆଠ ଗୋଟି କାଠ ବଙ୍ଗଳା ରହିଛି ଯେଉଁଥିରେ ପର୍ଯ୍ୟଟକମାନେ ରାତ୍ରିଯାପନ କରନ୍ତି । ଏହା ମଧ୍ୟରେ ପଞ୍ଚ ତାରକା ହୋଟେଲର ସୁବିଧା ରହିଛି । ଏହି ବଙ୍ଗଳାରେ ରହିବା ପାଇଁ ହେଲେ ଅନଲାଇନରେ ବୁକିଂ କରିବାକୁ ପଡ଼ିଥାଏ । ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଏଠାକୁ ଛୁଟି ଆସନ୍ତି । ଫଳରେ ସେଠାକାର ଏସଏଚଜି ମହିଳାମାନେ ପର୍ଯ୍ୟଟକଙ୍କ ପାଇଁ ଖାଦ୍ୟ ଯୋଗାଇ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ।
ଓଡ଼ିଶାରେ ପ୍ରଥମ ଏବଂ ଦେଶରେ ୧୩ତମ ଜୈବ ବିବିଧତା ଐତିହାସିକ ସ୍ଥଳୀର ମାନ୍ୟତା ହାସଲ କରିଛି ଏହି ପର୍ଯ୍ୟଟନସ୍ଥଳୀ । ଗାଇଡ ଲାଇନ୍ ଅନୁଯାୟୀ ମଣ୍ଡାସରୁକୁ ରାଜ୍ୟର ପ୍ରଥମ ଜୈବ ବିବିଧତା ଐତିହାସିକ ସ୍ଥଳୀର ମାନ୍ୟତା ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି ।