ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣାର ଉତ୍ସ ମାନସୀ

ଢେଙ୍କାନାଳ: ଗ୍ରାମାଞ୍ଚଳରେ ଆତ୍ମନିର୍ଭରଶୀଳ ହେବେ ମହିଳା । ସେଥିପାଇଁ ଆରମ୍ଭ ହୋଇଛି ପ୍ରୟାସ । ଯାହାର ସୂତ୍ରଧର ସାଜିଛନ୍ତି ଜଣେ ଉଚ୍ଚ ଶିକ୍ଷିତା ମହିଳା । ଏହି ମହିଳା ସିଲେଇ ଟ୍ରେନର ଜଣଙ୍କ ହେଉଛନ୍ତି ମାନସୀ ଦାସ । ଟେକ୍ସଟାଇଲ ଡିପ୍ଲୋମା ଇଞ୍ଜିନିୟରିଂ କରି ଚାକିରି ବି କରିଥିଲେ । ହେଲେ ଇଚ୍ଛା ତାଙ୍କର ଥିଲା କିଛି ଭିନ୍ନ କରିବା ପାଇଁ ।

ଶେଷରେ ଚିକିରି ଛାଡି ଏବେ ବେଲ୍ଟିକିରି ପଞ୍ଚାୟତ ସମେତ ଆଖପାଖ ତିନିଖଣ୍ଡ ପଞ୍ଚାୟତର ସମସ୍ତ ମହିଳା କିଭଳି ନିଜେ ଦୁଇ ପଇସା ରୋଜଗାର କରି ସ୍ଵାବଲମ୍ବୀ ହୋଇପାରିବେ ସେଥିପାଇଁ ସେ ଆରମ୍ଭ କରିଛନ୍ତି ଏକ ଟେଲରିଂ ୟୁନିଟ୍ । ଯେଉଁଠି ଶତାଧିକ ମହିଳା ମାଗଣାରେ ସିଲେଇ ଶିଖି ନିଜେ ସ୍ଵାବଲମ୍ବୀ ହୋଇପାରିଛନ୍ତି । ନିଜେ ପରିଶ୍ରମ କରି କିଛି ଅର୍ଥ ରୋଜଗାର କରିପାରୁଛନ୍ତି । ଢେଙ୍କାନାଳ ସଦର ବ୍ଲକ ବେଲ୍ଟିକିରି ଗ୍ରାମ ପଞ୍ଚାୟତରେ ସେ ଆରମ୍ଭ କରିଥିଲେ ଏହି ଶକ୍ତି ସଖି ତାଲିମ ଓ ଉତ୍ପାଦନ କେନ୍ଦ୍ର । ଯେଉଁଠି ପ୍ରତ୍ୟେକ ଦିନ ବିଭିନ୍ନ ବ୍ୟାଚରେ ପ୍ରାୟ କୋଡିଏ ଜଣ ଲେଖାଏଁ ଯୁବତୀ ଓ ମହିଳା ମାନଙ୍କୁ ସିଲେଇ ବାବଦରେ ଟ୍ରେନିଂ ଦେଇଥାନ୍ତି ନିଜେ ମାନସୀ ।

ମାତ୍ର ଅଳ୍ପ କିଛି ମାସ ଭିତରେ ବେଲ୍ଟିକିରି ପଞ୍ଚାୟତ ସମେତ ଆଖପାଖ ଗାଁର ପ୍ରାୟ ଦୁଇ ଶହ ଯୁବତୀ ଓ ମହିଳା ଏଠାରେ ଟ୍ରେନିଂ ନେଇ ସାରିଥିବାବେଳେ ଏବେ ବି ଅନେକ ମହିଳା ସିଲେଇ ଶିଖି ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ଏଠାକୁ ଛୁଟି ଆସୁଛନ୍ତି । ଆଉ ଏଠାରେ କାମ ଶିଖିବା ପରେ ବେଶ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବା ସହ ଖୁସି ବ୍ୟକ୍ତ କରିଛନ୍ତି ।

ଏହି ଟେଲରିଂ ୟୁନିଟରେ ଗୋଟିଏ ଗୋଟିଏ ବ୍ୟାଚରେ କୋଡିଏ ଜଣ ଲେଖାଏଁ ମହିଳା ଓ ଯୁବତୀ ଟ୍ରେନିଂ ନେଉଛନ୍ତି । ଯେଉଁଠି ମାନସୀ ସେମାନଙ୍କୁ କଟିଙ୍ଗ,ଷ୍ଟିଚିଙ୍ଗ ସହ ସିଲେଇ ବାବଦରେ ସମସ୍ତ ଶିକ୍ଷା ମାଗଣାରେ ଯୋଗାଇ ଦେଉଛନ୍ତି । ଏସବୁ କରିବା ପଛରେ ମାନସୀଙ୍କର ଗୋଟିଏ ଲକ୍ଷ୍ୟ ଆଖପାଖ ଅଞ୍ଚଳରେ କେହିବି ଯୁବତୀ କିମ୍ବା ମହିଳା ବେରୋଜଗାର ରହିବେ ନାହିଁ । ଖାସ୍ ସେଇଥି ପାଇଁ ମାନସୀ ଚାକିରି ଛାଡି ଗାଁକୁ ଆସି ଏହି ଶକ୍ତି ସଖି ତାଲିମ ଓ ଉତ୍ପାଦନ କେନ୍ଦ୍ର ନାମରେ ଟେଲରିଂ ୟୁନିଟ ଆରମ୍ଭ କରିଥିଲେ । ଯେଉଁଠି ଟ୍ରେନିଂ ନେବା ପରେ ସେଥିରୁ ପ୍ରାୟ ତିରିଶ ଜଣ ଯୁବତୀ ଓ ମହିଳା ପ୍ରତ୍ୟେକ ଦିନ ଏଠାରେ କାମ ବି କରୁଛନ୍ତି । ସ୍କୁଲ ଓ ଅଙ୍ଗନବାଡି ପିଲାଙ୍କ ପାଇଁ ଡ୍ରେସ୍ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଜିନିଷ ତିଆରି କରୁଛନ୍ତି ଏହି ମହିଳା ମାନେ ।

ଆଉ ସେହି ପ୍ରଡକ୍ଟ ସବୁ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଲକ ସମେତ କଟକ, ଆଠଗଡ, କେନ୍ଦୁଝରର, ତେଲକୋଇ ଆଦି ସ୍ଥାନକୁ ସପ୍ଲାଏ କରାଯାଇଥାଏ । ଆଗକୁ କିଭଳି ଏହି ତାଲିମ କେନ୍ଦ୍ରର ସମସ୍ତ ଲେଡିଜ ଗାର୍ମେଣ୍ଟ ସବୁ ଜିଲ୍ଲାକୁ ଯିବ ସେଇ ଲକ୍ଷ୍ୟ ନେଇ କାମ କରାଯାଉଛି । ସବୁଠାରୁ ବଡକଥା ହେଲା ଏହି ତାଲିମ କେନ୍ଦ୍ର ପାଇଁ ଏଯାଏଁ କୈାଣସି ସରକାରୀ ସହାୟତା ମିଳିନାହିଁ । ଯଦି ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଆନ୍ତା ତେବେ ମହିଳା ମାନେ ଆହୁରି ଅଧିକରୁ ଅଧିକ ଉତ୍ପାଦନ କରି ଦୁଇ ପଇସା ରୋଜଗାର କରିପାରନ୍ତେ ।