ମା’ ବୁଢ଼ି ସାଆନ୍ତାଣୀଙ୍କ ଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ମାନସିକଧାରୀଙ୍କ ବାଘ ବେଶ

ବ୍ରହ୍ମପୁର: ଏଠି ସେଠି ସବୁଠି ମା’ ଉଦଭାସିତ । ତାକୁ ତାଳ ଦେଇ ସହରରେ ବୁଲୁଛନ୍ତି ମାଳ ମାଳ ବାଘ । ହଁ ଆଜ୍ଞା ବ୍ରହ୍ମପୁରରେ ଚାଲିଥିବା ମା’ ବୁଢ଼ି ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରାରେ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ମାନସିକଧାରୀଙ୍କ ବାଘ ବେଶ । ମା’ଙ୍କ ନଗର ପରିକ୍ରମା ସହ ସାହି ସାହିରେ ଶୋଭା ବଢ଼ାଉଥିବା ରଥ ଓ କଳାକୁଞ୍ଜ ସାଙ୍ଗକୁ ମାନସିକଧାରୀଙ୍କ ବିଭିନ୍ନ ବେଶ ଧାରଣ ଯାତ୍ରାର ପରିବେଶକୁ ମନ୍ତ୍ରମୁଗ୍ଧ କରି ଗଢ଼ି ତୋଳୁଛି । ଆଉ ଏସବୁ ଭିତରେ ବାଘ ବେଶଧାରୀ ମାନେ ଚାଙ୍ଗୁ ବାଜାର ତାଳେ ତାଳେ ନାଚି ନାଚି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି ।

ସବୁଠି ଏବେ ଲାଗିଛି ଗହଳି ଚହଳି । ଧୂପ ଦୀପର ମହକରେ ମହକି ଉଠୁଛି ସାରା ସହର । ସବୁଠି ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ । କାରଣ ବ୍ରହ୍ମପୁର ସହରରେ ଏବେ ଚାଲିଛି ମା’ ବୁଢ଼ି ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ଭିନ୍ନ ଭିନ୍ନ ପରମ୍ପରା, ଭିନ୍ନ ଭିନ୍ନ ନୀତିକାନ୍ତିକୁ ନେଇ ଯାତ୍ରାର ସୃଷ୍ଟି । ଯାତ୍ରାର ଆଉ ଏକ ଦିଗ ହେଲା ମାନସିକଧାରୀମାନେ ଭିନ୍ନ ଭିନ୍ନ ବେଶ ଧାରଣ କରି ମା’ଙ୍କ ଚରଣ ତଳେ ନିଜକୁ ସମର୍ପି ଦେଇଥାନ୍ତି । ଆଉ ଏସବୁ ଭିତରେ ବାଘ ବେଶଧାରୀଙ୍କ ବେଶ ଭାରି ନିଆରା ।

ମା’ଙ୍କ ବାହାନ ବାଘ ଏଣୁ ଅନେକ ଭକ୍ତ ବାଘ ବେଶ ଧାରଣ କରି ମା’ଙ୍କ ପୂଜାର୍ଚ୍ଚନା କରିବା ପାଇଁ ମାନସିକ ରଖିଥାନ୍ତି । ବାଘ ବେଶଧାରୀଙ୍କୁ ପ୍ରସ୍ତୁତ କରିବା ପାଇଁ ରହିଛନ୍ତି କିଛି ନିର୍ଦ୍ଧିଷ୍ଟ ଗୁରୁ ଓ କିଛି ନିର୍ଦ୍ଧିଷ୍ଟ ଚିତ୍ରକର । ଦୁଇ ମାସ ଆଗରୁ ଏଥି ପାଇଁ ବାଘ ବେଶଧାରୀଙ୍କୁ ତାଲିମ୍ ଦିଆଯାଇଥାଏ । ଚାଙ୍ଗୁ ବାଜାର ତାଳେ ତାଳେ ବାଘ ବେଶଧାରୀମାନେ ଗୁରୁଙ୍କ ନିର୍ଦ୍ଦେଶରେ ମନ୍ଦିର ପ୍ରାଙ୍ଗଣ କିମ୍ବା ଖୋଲା ପଡ଼ିଆର ନାଚର ତାଲିମ୍ ନେଇଥାନ୍ତି । ସେହିପରି ବେଶ ଧାରଣର ଦୁଇ ଦିନ ପୂର୍ବରୁ ଦେହକୁ ଚିତ୍ରିତ କରିବା ପାଇଁ ନିଜକୁ ପ୍ରସ୍ତୁତ କରି ନେଇଥାନ୍ତି ମାନସିକଧାରୀମାନେ ।

ହଳଦିଆ, ଧଳା, କଳା, ଲାଲ୍ ରଙ୍ଗରେ ଶରୀରକୁ ଚିତ୍ରିତ କରିବା ସହ ବାଘ ମୁଖା ଓ ଲାଞ୍ଜ ପିନ୍ଧାଇଥାନ୍ତି ଚିତ୍ରକରମାନେ । ଏଥି ପାଇଁ ସେମାନଙ୍କୁ ତାଲିମ୍ ନେବାକୁ ପଡ଼ିଥାଏ । ବ୍ରହ୍ମପୁର ସହରରେ ମା’ ବୁଢ଼ି ସାଆନ୍ତାଣୀଙ୍କ ଯାତ୍ରା ଯେତେ ପୁରାତନ ମାନସିକଧାରୀଙ୍କ ବାଘ ବେଶ ମଧ୍ୟ ସେତେ ପୁରାତନ । ମା’ଙ୍କ ବାହାନ ବାଘ ପ୍ରସନ୍ନ ହେଲେ ମା’ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଏହି ବିଶ୍ୱାସକୁ ଆଧାର କରି ଅନେକେ ପୁରୁଷ ପୁରୁଷ ଧରି ଯାତ୍ରା ସମୟରେ ବାଘ ବେଶ ଧାରଣ କରିଥାନ୍ତି ।

ମା’ଙ୍କ ପ୍ରିୟ ଚାଙ୍ଗୁ ବାଜାର ତାଳେ ତାଳେ ବାଘ ବେଶଧାରୀ ମାନେ ସାହି ସାହିରେ ନୃତ୍ୟ ପରିବେଷଣ କରି କରି ଶେଷରେ ଯାତ୍ରା ମଣ୍ଡପକୁ ଆସି ମା’ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥାନ୍ତି । ବାଘ ପରି ନିଜ ଶରୀରକୁ ଚିତ୍ରଣ କରିବା ସହ ବାଘର ଠାଣି ଦେଖାଇ ନୃତ୍ୟ କରିଥାନ୍ତି ବାଘ ବେଶ ଧାରଣ କରିଥିବା ଭକ୍ତମାନେ । ଏଣୁ ଯାତ୍ରା ଆସିଲେ ବିଭିନ୍ନ ସାହି କମିଟି ଏକାଠି ହୁଅନ୍ତି ସାହି ପକ୍ଷରୁ ବାଘ ବେଶ ବାହାର କରିବା ପାଇଁ । ସେପଟେ ବାଘ ବେଶ ଧାରଣ କରି ଭକ୍ତ ମାନେ ଆତ୍ମତୃପ୍ତି ଲଭୁଥିବା ବେଳେ ଭକ୍ତମାନେ ବାଘ ବେଶଧାରୀଙ୍କୁ ଦେଖି ଆନନ୍ଦ ପ୍ରକାଶ କରିଥାନ୍ତି ।

Also read: ସୁବର୍ଣ୍ଣପୁରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ‘ଓଡିଆ ପରମ୍ପରାରେ ପାରମ୍ପରିକ ସଭ୍ୟତା’ କାର୍ଯ୍ୟକ୍ରମ