ସାପ ସହିତ ବରଯାତ୍ରୀଙ୍କ ନାଗିନ୍ ଡ୍ୟାନ୍ସ ଭିଡିଓ ଭାଇରାଲ୍, ଜଣେ ଅଟକ

ଚାନ୍ଦବାଲି: ନାଗିନ୍ ଗୀତ ବାଜିବା ମାତ୍ରକେ ନାଚିବାକୁ ଆପେ ଆପେ ପାଦ ଉଠିଯାଏ । ଏଣିକି ତାହା କେଉଁ ବିବାହ ସମାରୋହ ହେଉ ଅବା ଆଉ କେଉଁ ଫଙ୍କସନ୍ । ଏହି ଗୀତ ଶୁଣିଲା ମାନେ ଯିଏ କେହି ବି ନାଚିବାକୁ ମନ କରିଥାନ୍ତି । ତେବେ ଖାସ୍ କରି ବରଯାତ୍ରୀରେ ନାଗିନ୍ ଡ୍ୟାନ୍ସ ହେବାଟା ନିଶ୍ଚିତ । ହେଲେ ନାଗ ସାପକୁ ଧରି ବରଯାତ୍ରୀମାନେ ନାଗିନ୍ ଡ୍ୟାନ୍ସ କରିବା ଘଟଣା କଣ କେବେ ଶୁଣିଛନ୍ତି? ଏମିତି ଏକ ଘଟଣା ଏବେ ବେଶ୍ ଚର୍ଚ୍ଚା ସାଉଁଟୁଛି ।
ଖୋଲା ଖୋଲି ଭାବେ ବନ୍ୟପ୍ରାଣୀ ଆଇନକୁ ଉଲଙ୍ଘନ କରି ବରଯାତ୍ରୀମାନେ କଲେ ନାଗିନ୍ ଡ୍ୟାନ୍ସ । ହଁ ଆଅ ନାଗିନ୍ ଡ୍ୟାନ୍ସରେ ସତ ସତିକା ନାଗ ସାପକୁ ଧରି ନାଚିଲେ ବରଯାତ୍ରୀ । ଜୀବନ୍ତ ନାଗକୁ ମୁଣ୍ଡରେ ଧରି ନାଗିନ୍ ଗୀତର ତାଳେ ତାଳେ ଠୁମକା ମାରିଲେ ବରଯାତ୍ରୀ ।ଭାଇରାଲ୍ ଭିଡିଓରେ ଯାହା ଦେଖିବାକୁ ମିଳିଛି କି, ଜଣେ ଯୁବକ ସାପକୁ ଖେଳାଉ ଥିବା ବେଳେ, ଆଉ ଦୁଇ ଜଣ କିନ୍ନର ନାଗକୁ ଧରି ନାଚୁଛନ୍ତି । ଭଦ୍ରକ ଜିଲ୍ଲା ଧାମରା ବାଂଶଡ଼ା ପଞ୍ଚାୟତର ଛେଡାକ ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ଏକ ବରଯାତ୍ରୀ ଶୋଭାଯାତ୍ରା ଯାଉଥିବା ସମୟରେ ଏହି ନାଗ ସାପ ଖେଳ ଦେଖିବାକୁ ମିଳିଥିଲା । ଯାହା ସମ୍ପୂର୍ଣ୍ଣ ଭାବେ ବନ୍ୟପ୍ରାଣୀ ଆଇନର ଉଲ୍ଲଙ୍ଘନ । ଯଦି ନାଚ ବେଳେ ସାପଟି ଚୋଟ ମାରିଥାନ୍ତା ତେବେ କାହାର ଜୀବନ ମଧ୍ୟ ଯିବାର ଆଶଙ୍କା ରହିଥିଲା । ତଥାପି ନିଜ ଜୀବନକୁ ବାଜି ଲଗାଇ ଆଇନ୍ କୁ ହାତକୁ ନେଇ ଏଠାରେ ଚାଲିଥିଲା ସାପ ସହିତ ଖେଳ ।
ଏହି ଘଟଣା ନେଇ ଖବର ପାଇବା ପରେ ଧାମରା ବନ୍ୟ ପ୍ରାଣୀ ବନଖଣ୍ଡ କର୍ମଚାରୀ ବରଯାତ୍ରାଙ୍କ ପିଛା କରିଥିଲେ । ବରଯାତ୍ରୀମାନେ ଛେଡାକ ଗାଁରୁ ବାହାରି ଆସିବାପରେ, ସେମାନଙ୍କୁ ପିଛା କରି ଚାନ୍ଦବାଲି ଉଗ୍ରତରା ମୁନି ଛକରେ ଅଟକାଇ ଥିଲେ ବନଖଣ୍ଡ କର୍ମଚାରୀ । ଏହାପରେ ଉକ୍ତ ନାଜ ସାପଟିକୁ ଜବତ କରିଥିଲେ । ଯାହା ସୂଚନା ମିଳିଛି, ୩ଟି ପେଡିରେ ୩ଟି ନାଗ ସାପକୁ ଜବତ କରାଯାଇଥିବାବେଳେ, ସାପ ଧରି ନାଚୁଥିବା ଜଣେ ଯୁବକଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ଏହି ସମ୍ପର୍କରେ ବନ ବିଭାଗର କୋୖଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଆହୁରି ପଢନ୍ତୁ: ଖରାଦିନେ ଥକ୍କା ମେଣ୍ଟାଉଛି ତାଳ ସଜ, ଲୋକଙ୍କ ପାଇଁ ପାଲଟିଛି ରୋଜଗାରର ମାଧ୍ୟମ