ଅର୍ବାବ ସୋ ରୁମରେ ବଡ଼ ଧରଣର ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ

କଟକ ସହରର ଦୋଳମୁଣ୍ଡେଇରେ ଥିବା ଅର୍ବାବ ସୋ ରୁମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ହୁତୁ ହୁତୁ ହୋଇ ଜଳୁଛି ସୋ ରୁମ୍ । ନିଆଁ ଧୂଆଁରେ ଛାୟୀ ଯାଇଛି ପୂରା କଟକ ସହର । ନିଆଁର ପ୍ରଭାବ ଏତେ ଥିଲା ଯେ ନିଆଁର ଆଁରେ ଏତେ ବଡ଼ ସୋରୁମ୍ କୁ ଗିଳିଦେଲା । ଜଳି ପୋଡ଼ି ସବୁକିଛି ଧ୍ବଂସ ହୋଇଯାଇଛି । ଏନେଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଏକ ଘଣ୍ଟା ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲା। ବିଭିନ୍ନ ଦାମୀ ବ୍ରାଣ୍ଡର ଟ୍ରଲି ବ୍ୟାଗ, ଆଟାଚି, ସୁଟକେସ, ବ୍ୟାଗ ରଖୁଥିବା ଏହି ସୋ ରୁମରେ ଦିନ ୧୦ ଟା ୪୦ ସମୟରେ ଲାଗି ଯାଇଥିଲା ନିଆଁ ।
ତେବେ ଗତକାଲି ଇଦ ପାଇଁ ସୋ ରୁମ ବନ୍ଦ ଥିବାବେଳେ ଆଜି ସାଢ଼େ ୧୦ ଟା ବେଳେ ସୋ ରୁମ ଖୋଲିଥିଲା। ଏସି ଅନ କରିବା କ୍ଷଣି ନିଆଁ ଲାଗି ହଠାତ ବ୍ୟାପି ଯାଇଥିଲା । ଅର୍ବାବ ସୋ ରୁମର ତଳେ ଥିବା ଅର୍ବାବର ଭିଆଇପି ୱାଲର୍ଡ ଓ କ୍ରିମସନ କ୍ଲବ ଅଳ୍ପକେ ବର୍ତ୍ତି ଯାଇଥିଲା । ଦାମୀ ଟ୍ରଲି ବ୍ୟାଗ ଆଟାଚି ଗୁଡିକ ପୋଡି ପାଉଁଶ ହୋଇ ଯାଇଥିଲା। ଏହି ଅଗ୍ନିକାଣ୍ଡ ବ୍ୟାପକ ରୂପ ନେଇଥିଲା ସ୍ଥାନୀୟ ଅଞ୍ଚଳ ହୋଇଯାଇଥିଲା ଧୂଆଁମୟ ।
ଏହି ଅଗ୍ନିକାଣ୍ଡରେ ଅର୍ବାବ ସୋ ରୁମର ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି । ଅଗ୍ନିଶମବାହିନୀ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିଶମ ବିଭାଗର ୬ ଟି ଗାଡି ୩୦ ରୁ ଉର୍ଦ୍ଧ୍ବ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତେବେ ନିଆଁ ଲାଗିବା ସମୟରେ କୌଣସି କର୍ମଚାରୀ ସୋ ରୁମରେ ନଥିବା କହିଛନ୍ତି ସୋରୁମ୍ ମାଲିକ । ନିଆଁ ଲାଗିବାର କାରଣ ଏବଂ ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ ବୋଲି ସହକାରୀ ଅଗ୍ନିଶମ ଅଧିକାରୀ ପ୍ରତାପ କୁମାର ସିଂ କହିଛନ୍ତି। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ଦୋକାନକୁ ବନ୍ଦ କରଯାଇଛି ।
ତେବେ କୁହାଯାଉଛି ସୋରୁମ୍ ରେ ସଟସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ କିନ୍ତୁ ଏଯାଏଁ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନି । ଏନେଇ ଅଗ୍ନିଶମ ବାହିନୀ କ୍ଷୟକ୍ଷତିର ଆକଳନ କରିବା ସହିତ କାରଣ ଖୋଜୁଛି ।
Also Read:ପୁଣି ଭୁଶୁଡିଲା ଲାଲ୍ ଗଡ଼: ସର୍ଚ୍ଚ ଅପରେସନ ବେଳେ ୧୩ ମାଓବାଦୀ ଗିରଫ