ଘରେ କେହି ନଥିବାର ସୁଯୋଗ ନେଇ ଲୁଟିନେଲେ ସବୁକିଛି, କାନ୍ଦି କାନ୍ଦି ବେହାଲ ବୃଦ୍ଧା

ଛାତି ଫଟାଇ କାନ୍ଦୁଛନ୍ତି ବୃଦ୍ଧା ଜଣକ । ଧୈର୍ଯ୍ୟ ରହୁ ନଥାଏ । ମଝିରେ ମଝିରେ ଚେତା ବୁଡ଼ିଯାଉଛି । କାନ୍ଦି କାନ୍ଦି କହୁଥାନ୍ତି ମୋର ସବୁକିଛି ନେଇଗଲେ । କେତେ କଷ୍ଟ କରି ଗୋଟେ ଗୋଟେ ଟଙ୍କା ସଞ୍ଚୟ କରି ମୋ ପିଲା ଛୁଆଙ୍କ ପାଇଁ ସୁନା ଗହଣା କିଣିଥିଲି । ହେଲେ ଆଉ କିଛି ନାହିଁ ମୋର ସବୁକିଛି ଲୁଟିନେଲେ । ଏମିତି କହି କହି କୋହ ଫଟାଇ କାନ୍ଦୁଥାନ୍ତି । ଅନ୍ୟପଟେ ଝିଅ ଆଖିରୁ ବି ଧାର ଧାର ଲୁହ ବହିଯାଉଛି । କେମିତି ବା ଜଣେ ଧୈର୍ଯ୍ୟ ଧରିବ ହଜାର ଲକ୍ଷ ନୁହେଁ ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଯାଇଛି ।
ହଁ ଆଜ୍ଞା, ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି କଳାକନା ବୁଲାଇଲେ ଦୁର୍ବୃତ୍ତ । ଜୀବନ ଯାକର ସଞ୍ଚିତ ଅର୍ଥ ସମେତ ସୁନା ଗହଣା ସବୁକିଛି ଲୁଟିନେଇଛନ୍ତି ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବପୂଞ୍ଜା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ନଗଦ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଆମ୍ବପୂଞ୍ଜା ଗାଁର ପୂର୍ଣ୍ଣଚନ୍ଦ୍ର ପରିଡା ଦୀର୍ଘ ୩୦ ବର୍ଷ ଧରି ନାମ୍ପୋ ବଜାରରେ ଜଳଖିଆ ଦୋକାନ ବ୍ୟବସାୟ କରୁଛନ୍ତି ।
ଜଳଖିଆ ଦୋକାନରୁ ଯାହା ରୋଜଗାର ହୁଏ ସଞ୍ଚୟ କରି କରି ପୁଅ ବୋହୁଙ୍କୁ ପାଇଁ ସୁନା ଗହଣା କରିଥିଲେ । କିନ୍ତୁ ଆଜି ଜୀବନ ସାରାର ସଞ୍ଚିତ ଅର୍ଥ ଲୁଟିନେଇଛନ୍ତି ଦୁର୍ବୃତ୍ତ । ପୂର୍ଣ୍ଣଚନ୍ଦ୍ରଙ୍କର ତିନି ପୁଅ ବୋହୂ । ସମସ୍ତେ ବାହାର ରାଜ୍ୟରେ ଚାକିରୀ କରିଛନ୍ତି । ସବୁଦିନ ଭଳି ପୂର୍ଣ୍ଣଚନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ଘରର ତାଲା ବନ୍ଦ କରି ଅପରାହ୍ନରେ ଦୋକାନକୁ ଯାଇଥିଲେ । କିନ୍ତୁ ରାତି ପ୍ରାୟ ୮ଟା ସମୟରେ ଘରକୁ ଫେରିବା ବେଳେ ତାଲା ଭାଙ୍ଗି ତଳେ ପଡିଥିବା ସହ ଘର ଖୋଲା ଥିବା ଦେଖିଥିଲେ । ଯାହାପରେ ତାଙ୍କ ମୁଣ୍ଡ କାମ ଦେଇନଥିଲା ।
ଘର ଭିତରକୁ ଯାଇ ଦେଖନ୍ତି ତ ଘରର ସମସ୍ତ ଟଙ୍କା, ସୁନା ଗହଣା ଲୁଟ ହୋଇଛି । ଯାହା ଦେଖି ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ ପୂର୍ଣ୍ଣଚନ୍ଦ୍ର । ତେବେ ସନ୍ଧ୍ୟା ସମୟରେ କେହି ନଥିବାର ସୁଯୋଗ ନେଇ ଘରର ତାଲା ଭାଙ୍ଗି ତିନି ବୋହୂ ଏବଂ ଶାଶୁଙ୍କ ସମସ୍ତ ସୁନା ଗହଣା ଓ ନଗଦ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ କରି ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି । ଖବର ପାଇ ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେହିଭଳି ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ସୋରରେ ବୃଦ୍ଧବୃଦ୍ଧାଙ୍କ ହାତଗୋଡ଼ ବାନ୍ଧି ଘରେ କଳାକନା ବୁଲାଇଦେଇଛନ୍ତି । ଦୁର୍ବୃତ୍ତମାନେ ହିନ୍ଦୀ ଭାଷାରେ କଥା ହେଉଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗାମୁଛାରେ ବାନ୍ଧି ମରଣାସ୍ତ୍ରରେ ଭୟଭୀତ କରିଥିଲେ । ପୁଅ ବୋହୁ ଘରେ ନଥିବା ବେଳେ ସୋର ଥାନା ଅନ୍ତର୍ଗତ ତେଣ୍ଟେଇ ଗ୍ରାମ ରାମଚନ୍ଦ୍ର କର ଓ ସରସ୍ବତୀ କର ସ୍ୱାମୀ ସ୍ତ୍ରୀ ଘରେ ଥିଲେ । ଯାହାର ସୁଯୋଗ ନେଇ ଏକ କାରରେ ୫ ଜଣ ଦୃବୁର୍ତ୍ତ ଆସି ଲୁଟ କରି ଫେରାର ହୋଇଯାଇଛନ୍ତି ।
ପ୍ରାୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନା ରୁପା ଅଳଙ୍କାର ସମେତ ନଗଦ ୩୦ ହଜାର ଟଙ୍କା ଲୁଟ ହୋଇଛି । ଆଜି ସକାଳ ଗ୍ରାମବାସୀ ଉଭୟଙ୍କୁ ଏଭଳି ଅବସ୍ଥାରେ ଦେଖି ଦୁଇ ଜଣଙ୍କୁ ଉଦ୍ଧାର କରି ସୋର ପୋଲିସକୁ ଖବର ଦେଇଥିଲେ । ଯାହାକୁ ନେଇ ପୋଲିସ ଛାନଭିନ ଆରମ୍ଭ କରିଛି । ଗୋଟିଏ ରାତିରେ ବାଲେଶ୍ୱରର ଏଭଳି ବିଭିନ୍ନ ସ୍ଥାନରୁ ହୋଇଥିବା ଲୁଟକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ତୁରନ୍ତ ଏହି ଅଭିଯୁକ୍ତଙ୍କୁ ଧରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।