ଚନ୍ଦ୍ରକୁ ନେଇ ଦୁଇ ଶକ୍ତିଶାଳୀ ଦେଶ ମଧ୍ୟରେ ଘମାଘୋଟ ହେବ ଯୁଦ୍ଧ, ଜାଣନ୍ତୁ ରହସ୍ୟ କଣ

କେନ୍ୟୁଜ (ବ୍ୟୁରୋ) : ଏମିତିରେ ତ ବିଶ୍ୱ ବଜାରକୁ ନିଜ ଅକ୍ତିଆରରେ ରଖିବା ପାଇଁ ଦୁଇ ଶକ୍ତିଶାଳୀ ଦେଶ ଆମେରିକା ଓ ଚୀନ୍ ମଧ୍ୟରେ ଭୀଷଣ ପ୍ରତିଯୋଗିତା ଚାଲିଛି । ସିଧାସଳଖ କହିବାକୁ ଗଲେ ବିଭିନ୍ନ କାରଣରୁ ଏବେ ଦୁହେଁ ଦୁହିଙ୍କ ଶତ୍ରୁ ପାଲଟି ଯାଇଛନ୍ତି । ତାର ଭିତରେ ଆଉ ଏକ ଖବର ଆସିଛି ଯେ ସେମାନଙ୍କ ଭିତରେ ଏବେ ଗୋଟିଏ ବଡ଼ ଜିନିଷକୁ ନେଇ ପରୋକ୍ଷ ଲଢ଼େଇ ଆରମ୍ଭ ହୋଇଗଲାଣି । କଣ ପାଇଁ ଜାଣନ୍ତି ? ମହାକାଶକୁ ନେଇ ଆରମ୍ଭ ହେଲାଣି ଶୀତଳ ଯୁଦ୍ଧ । ଏଥିରେ ସବୁଠୁ ବଡ କାରଣ ହେଉଛି ଚନ୍ଦ୍ର । ଆମେରିକାର ନିଲ ଆର୍ମଷ୍ଟ୍ରଙ୍ଗ ଆପୋଲୋ୧୧ ମିଶନ ଅଧୀନରେ ୨୦ ଜୁଲାଇ ୧୯୬୯ରେ ପ୍ରଥମେ ଚନ୍ଦ୍ର ଉପରେ ପାଦ ଦେଇଥିଲେ । ଏହାପରେ ଆମେରିକା ଆଗାମୀ ୩ ବର୍ଷ ପାଇଁ ମହାକାଶଚାରୀମାନଙ୍କ ସହ ଆପୋଲୋ ଯାନ ଚନ୍ଦ୍ରକୁ ପଠାଇଲେ । କିନ୍ତୁ ଆମେରିକା ଅନୁଭବ କଲା ଯେ ଏହି ମିଶନ ମହଙ୍ଗା ପଡିଛି ଏବଂ ଚନ୍ଦ୍ରରୁ କିଛି ଲାଭ ମିଳିବ ନାହିଁ । ତେଣୁ ଏହା ଚନ୍ଦ୍ର ଅଭିଯାନକୁ ବନ୍ଦ କରିଦେଲା ।

୧୯୭୨ ମସିହାରେ ଶେଷ ଆପୋଲୋ ମହାକାଶଯାନ ଚନ୍ଦ୍ରକୁ ଯାଇଥିଲା । ଏବେ ପୁଣିଥରେ ଆମେରିକାର ସ୍ପେସ ଏଜେନ୍ସି ନାସା ଚନ୍ଦ୍ର ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବର୍ତ୍ତମାନ ଆର୍ଟେମିସ ଏହି କାର୍ଯ୍ୟକ୍ରମ ଅଧୀନରେ ଚନ୍ଦ୍ରକୁ ଏକ ମାନବ ବିହୀନ ମହାକାଶଯାନ ପଠାଇବ ଯାହାକୁ ପରେ ପୃଥିବୀକୁ ଫେରାଇ ଆଣିବାକୁ ଯୋଜନା କରାଯାଇଛି । ଆମେରିକା ବର୍ତ୍ତମାନ ଚନ୍ଦ୍ର ଉପରେ ସ୍ଥାୟୀ ଭାବେ କ୍ୟାମ୍ପ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ମିଶନରେ ତା ସହିତ ଦୁନିଆର ତିନିଟି ବଡ ସ୍ପେସ ଏଜେନ୍ସି ସାଙ୍ଗରେ ଅଛନ୍ତି । ୟୁରୋପ, କାନାଡା ଓ ଜାପାନ ସହ ଲିଙ୍କ ରଖିଛି ଆମେରିକା । ଆର୍ଟେମିସ ମିଶନ ପାଇଁ ନାସା ଏହି ସ୍ପେସ ଏଜେନ୍ସି ଗୁଡିକ ସହିତ ଚୁକ୍ତି କରିଛି ।

ଏହି ତିନି ସ୍ପେସ ଏଜେନ୍ସି ବ୍ୟତୀତ ନାସା ମେକ୍ସିକୋ, ଅଷ୍ଟ୍ରେଲିଆ, ବ୍ରାଜିଲ, ନ୍ୟୁଜିଲାଣ୍ଡ, ଦକ୍ଷିଣ କୋରିଆ, ଇଟାଲୀ, ୟୁକ୍ରେନ, ପୋଲାଣ୍ଡ ଏବଂ ଲକ୍ସେମବର୍ଗର ସ୍ପେସ ଏଜେନ୍ସି ସମେତ ଅନ୍ୟାନ୍ୟ ଦେଶ ସହ ଆର୍ଟେମିସ ଚୁକ୍ତିନାମା ସ୍ୱାକ୍ଷର କରିଛି । ଏହି ଚୁକ୍ତିନାମା ଅନୁଯାୟୀ ସେମାନେ ବୈଜ୍ଞାନିକ ପରୀକ୍ଷଣ ଏବଂ ଚନ୍ଦ୍ର ଉତ୍ସ ଗୁଡିକର ଲାଭ ଉଠାଇ ପାରିବେ । ତେବେ ଋଷିଆ ଏହି ଚୁକ୍ତି ଠାରୁ ନିଜକୁ ଦୂରେଇ ରଖିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଅଭିଯାନରେ ଆମେରିକା ପ୍ରମୁଖ ଭୂମିକା ନେବାରୁ ରୁଷିଆ ଏଥିରୁ ନିଜକୁ ପ୍ରତ୍ୟାହାର କରି ନେଇଛି । ରୁଷିଆ ଅନୁଭବ କରୁଛି କି ଚୀନ ସହ ଏହି ସମାନ୍ତରାଳ ଚନ୍ଦ୍ର ମିଶନରେ ଯୋଗଦେବା ଅଧିକ ଭଲ ହେବ ।

କାରଣ ଚନ୍ଦ୍ର ସହ ଜଡିତ ପରୀକ୍ଷଣରେ ଚୀନ ବିଶ୍ୱର ଅନ୍ୟ ଦେଶଠାରୁ ବହୁ ଆଗରେ ରହିଛି । ଏହି ଶତାବ୍ଦୀରେ ଚୀନ ସଫଳତାର ସହିତ ନିଜ ରୋଭରକୁ ଚନ୍ଦ୍ରରେ ଅବତରଣ କରିଛି । ଯାହା ଦ୍ୱାରା ସେଠାକାର ସ୍ଥଳ ପର୍ଯ୍ୟବେକ୍ଷଣ ମଧ୍ୟ କରିଛି । ଚନ୍ଦ୍ରରୁ ଏକ କିଲୋ ୭୩୧ ଗ୍ରାମ ନମୂନା ଆଣିଛି ଚୀନ । ଏହାଛଡା ଚୀନର ୨ରୋଭର ଝୁରୋଙ୍ଗ ଓ ୟୁଟୁ-୨ ଚନ୍ଦ୍ରରେ ରହିଛନ୍ତି । ୨୦୩୫ ମସିହାରେ ଆମେରିକା ଚନ୍ଦ୍ର ଉପରେ ନିଜ ଠିକଣା ପ୍ରତିଷ୍ଠା କରିବାର ଲକ୍ଷ୍ୟ ହାସଲ କରିବ ବୋଲି ଆଶା କରାଯାଉଛି । ଉଭୟ ମିଶନର ପ୍ରସ୍ତାବ ଅନୁଯାୟୀ ଆମେରିକା ଚନ୍ଦ୍ର ପୃଷ୍ଠ ପରିବର୍ତ୍ତେ ଏହାର କକ୍ଷପଥରେ ଭିତ୍ତିଭୂମି ନିର୍ମାଣ କରିବାକୁ ଚାହୁଁଥିବା ଜଣାଯାଇଛି, ଯେତେବେଳେ କି ଚୀନ ନିଜେ ଏହାର ମୂଳ ଶିବିରକୁ ପ୍ରସ୍ତୁତ କରିବାକୁ ଚାହୁଁଛି ।

ବର୍ତ୍ତମାନ ଦେଖାଯାଉଛି କି ଚନ୍ଦ୍ର ପ୍ରତି ଚୀନର ଆଗ୍ରହ ବଢିବାରେ ଲାଗିଛି । ତେଣଉ ତାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଆମେରିକା ତା ଉପରେ ନଜର ରଖୁଛି । ଚନ୍ଦ୍ରରେ ମିଳୁଥିବା ଏକ ରାସାୟନିକ ପଦାର୍ଥ ହିଲିୟମ ପାଇଁ ଅର୍ଥନୈତିକ ଦୃଷ୍ଟିରୁ ଆମେରିକା ଚନ୍ଦ୍ର ମିଶନ ପ୍ରତି ଆକର୍ଷିତ ହେଉଛି । ହେଲେ ଚନ୍ଦ୍ରରୁ ହିଲିୟମ ପାଇବା ଏତେ ସହଜ ନୁହେଁ । ଏଭଳି ଅନେକ କିଛି ତଥ୍ୟ ଅନୁସାରେ ଏବେ ଉଭୟ ଆମେରିକା ଓ ଚୀନ୍ ନିଜ ସ୍ୱାର୍ଥ ପାଇଁ ଚନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । ଆଉ ଦୁହିଙ୍କ ଭିତରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଲାଗିଛି ଛନ୍ଦ୍ରକୁ ପୂରା କବଜା କରିବା ପାଇଁ । ଯାହା ଆଗାମୀ ଦିନରେ ଆହୁରି ତୀବ୍ର ହୋଇପାରେ ।

Leave A Reply

Your email address will not be published.