ଚର୍ଚ୍ଚାରେ ଶ୍ରୀଲଙ୍କାର ଟୋଲ୍ କଲେକ୍ଟର ହାତୀ ‘ରାଜା’
ସାଧାରଣତଃ ରାସ୍ତାକଡ଼ରେ କ୍ୟାବିନ ପକାଇ ଟୋଲ୍ କଲେକ୍ଟ କରିବାକୁ ଟୋଲ୍ କଲେକ୍ଟର ରହିଥାନ୍ତି । କିନ୍ତୁ ଶ୍ରୀଲଙ୍କାରେ ଏହା ଟିକିଏ ଅଲଗା । ବଟ୍ଟାଲା-କଟାରଗାମା ରାସ୍ତାରେ ୪୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଏକ ଜଙ୍ଗଲି ହାତୀ, ଯିଏକି ଟୋଲ କଲେକ୍ଟର ଭାବରେ କାମ କରୁଥିବା ଜଣାପଡ଼ିଛି । ଏହି ହାତୀ ‘ରାଜା’ ନାମରେ ପରିଚିତ । ସେ ରାସ୍ତାକଡ଼ରେ ଠିଆ ହୋଇ ଉଭୟ ଦିଗରୁ ଆସୁଥିବା ଗାଡ଼ିକୁ ଅଟକାଇ ଖାଦ୍ୟ ସଂଗ୍ରହ କରିଥାଏ । ରାଜା ଟୋଲ୍ ସଂଗ୍ରହ କରିବା ଭଳି ଖାଦ୍ୟ ସଂଗ୍ରହ କରିଥାଏ, ଯାହା ଯାତ୍ରୀମାନେ ବେଶ୍ ଉଦାର ମନୋଭାବରେ ତାକୁ ଦେଇଥାନ୍ତି ।
ରାଜା ‘ଟୋଲ୍’ ମାଗିବା ବେଳେ ଧୈର୍ଯ୍ୟର ସହିତ ଛିଡ଼ା ହୋଇଥାଏ । କାରଣ ସେ ଜାଣେ ଯେ କ୍ରୋଧିତ ହେଲେ, ଲୋକ ତା’ଠାରୁ ଭୟ କରି ଦୂରେଇ ଯିବେ । ତେଣୁ ସେ ଗାଡ଼ିଗୁଡ଼ିକୁ ଅଟକାଇବା ପରେ, ଶାନ୍ତ ଭାବରେ ନିଜର ବିଶାଳ ଶୁଣ୍ଢ ବ୍ୟବହାର କରି ଡ୍ରାଇଭରମାନଙ୍କୁ ଖାଦ୍ୟ ମାଗିଥାଏ । ତେବେ ରାଜାର ଖାଦ୍ୟ ମାଗିବାର ଏହି ଉପାୟ ଯେପରି ପରମ୍ପରା ପାଲଟିଯାଇଛି । ରିପୋର୍ଟ ଅନୁଯାୟୀ, ଅନେକ ଗାଡ଼ି ଚାଳକ ଲୁନୁଗାମବେହେରା ଠାରୁ ସେଲା କଟାରଗାମା ପର୍ଯ୍ୟନ୍ତ ରାସ୍ତାରେ ଥିବା ଛୋଟ ଛୋଟ ଦୋକାନରୁ ପରିବା ତଥା କଦଳୀ କାନ୍ଦି ହାତୀମାନଙ୍କ ପାଇଁ କିଣିଥାନ୍ତି । ବିଶେଷ ଭାବେ ସେହି ଜଙ୍ଗଲ ରାସ୍ତା ଦେଇ ଯିବା ବେଳେ ରାଜା ସହିତ ଭେଟ ହୋଇପାରେ ବୋଲି ଆଶା ରଖନ୍ତି ।
ଉଲ୍ଲେଖନୀୟ କଥା ହେଉଛି, ବଟ୍ଟଲା-କଟାରଗାମା ରାସ୍ତା ଶ୍ରୀଲଙ୍କାର ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଉପକୂଳ ମଧ୍ୟରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ସଂଯୋଗ ଭାବରେ କାର୍ଯ୍ୟ କରେ । ରାସ୍ତାର ଉଭୟ ପାର୍ଶ୍ଵରେ ଜଙ୍ଗଲି ଜନ୍ତୁ ଏବଂ ଘଞ୍ଚ ଜଙ୍ଗଲରେ ଘେରି ରହିଛି, ଯାହାକି ବହୁ ସଂଖ୍ୟାରେ ସ୍ଥାନୀୟ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ତେବେ ରାଜାର ଏପରି ଖାଦ୍ୟ ସଂଗ୍ରହ ପ୍ରକ୍ରିୟା ପର୍ଯ୍ୟଟକଙ୍କୁ କୌଣସି ସମସ୍ୟା ସୃଷ୍ଟି କରାଏ ନାହିଁ । ସମସ୍ତ ପର୍ଯ୍ୟଟକ ସ୍ୱଇଚ୍ଛାରେ ରାଜାକୁ ଖାଦ୍ୟ ଦାନ କରିବାକୁ ଭଲ ପାଆନ୍ତି । ରାଜାର ଖାଦ୍ୟ ସଂଗ୍ରହ କରୁଥିବାର ଏହି ନିଆରା ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ପ୍ରକାଶ ଯେ, ଶ୍ରୀଲଙ୍କାରେ ହାତୀମାନଙ୍କୁ ବହୁ ସମ୍ମାନ କରାଯାଏ । ଏଠାକାର ଜନସଂଖ୍ୟାର ୭୦ ପ୍ରତିଶତ ବୌଦ୍ଧଧର୍ମାବଲମ୍ବୀ । ବୁଦ୍ଧ ଜନ୍ମ ହେବା ପୂର୍ବରୁ ତାଙ୍କ ମା’ ଏକ ବିରାଟ ଧଳା ହାତୀର ସ୍ୱପ୍ନ ଦେଖିଥିଲେ ଏବଂ କୁହାଯାଏ ଯେ ବୁଦ୍ଧ ନିଜେ ହୁଏତ ପୂର୍ବ ଜନ୍ମରେ ଗୋଟିଏ ହାତୀ ଥିଲେ । ଶ୍ରୀଲଙ୍କାରେ ହିନ୍ଦୁମାନେ ହାତୀକୁ ଦେବତା ଭାବେ ପୂଜା କରିଥାନ୍ତି ।