ଜଗା ପ୍ରେମରେ ବନ୍ଧା ଶେଖ ମଖବୁଲ ଇସଲାମ୍, ୩୩ ବର୍ଷ ହେଲା ଜଗନ୍ନାଥଙ୍କୁ ନେଇ କରୁଛନ୍ତି ଗବେଷଣା

ଭୁବନେଶ୍ୱର : କୋଟି ଓଡ଼ିଆ ମଉଡମଣି ସମଗ୍ର ବ୍ରହ୍ମାଣ୍ଡର ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ । କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ I ସମଗ୍ର ଜାତି, ଧର୍ମ, ଓ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନ ସିଂହାସନ ଉପରେ ବିଜେ କରି ତାଙ୍କ ଭକ୍ତ ମାନଙ୍କର ସମସ୍ତ ଦୁଃଖ ଓ କଷ୍ଟ ହରଣ କରୁଛନ୍ତି ଆଉ ନିଜର ଆଶିଷ ପ୍ରଦାନ କରିଆସୁଅଛନ୍ତି I

ଯେମିତି ବଡ ତାଙ୍କ ହୃଦୟ ସେମିତି, ବଡ ତାଙ୍କ ଦେଉଳ, ବଡ ତାଙ୍କ ସଂସ୍କୃତି, ବଡ ତାଙ୍କ ଐତିହ୍ୟ ଓ ବଡ ତାଙ୍କର ପରମ୍ପରା I ସେଇ ବଡ ଠାକୁର, କାଳିଆ ଠାକୁର, ଚକାନୟନ, ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଅନୁଗ୍ରହରେ, ତାଙ୍କ ଅନନ୍ୟ ମହିମାରେ ସୁଗନ୍ଧ ସମଗ୍ର ବିଶ୍ୱ ଜଗତ । ତେବେ କୁହାଯାଏ ଭକତ ଭାବରେ ବନ୍ଧା ପ୍ରଭୁ ଜଗନ୍ନାଥ । ସବୁବେଳେ ଶ୍ରଦ୍ଧାଳୁଙ୍କ ଲାଗି ସେ ନିଜର ବାହା ମେଳାଇ ବସିଥାନ୍ତି । କେତେବେଳେ କେଉଁ ରୂପରେ ନିଜ ଭକ୍ତଙ୍କ ପାଖରେ ସେ ପହଞ୍ଚିଥାନ୍ତି ସେହି ମାୟା କେହି ଜାଣି ପାରି ନାହାନ୍ତି । ଜଗତ ଠାକୁରଙ୍କ ଭକ୍ତି ଅର୍ଘ୍ୟରେ ଯେ କେହିବି ମନ ଜିଣିପାରେ । ଜାତି, ଧର୍ମ, ବର୍ଣ୍ଣର କୌଣସି ମାନେ ନଥାଏ । ଯାହାର ପ୍ରମାଣ ହେଉଛନ୍ତି ଭକ୍ତ ସାଲବେଗ । ଭକ୍ତ ସାଲବେଗଙ୍କର ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଭକ୍ତିଭାବ, ଭଲପାଇବା ଯୋଗୁଁ. ସେ ଆଜି ବି ଜନମାନସରେ ଅଲିଭା ହୋଇ ରହିଛନ୍ତି ।

ତେବେ ଆଜି ପୁଣି ଏମିତି ଜଣେ ଜଗନ୍ନାଥଙ୍କ ଭକ୍ତଙ୍କ ବିଷୟରେ ଜାଣିବା ଯାହାଙ୍କ ପାଇଁ ଜଗନ୍ନାଥ ସବୁକିଛି ।  ଜଗା ଭକ୍ତିରେ ବନ୍ଧା ଶେଖ ମଖବୁଲ ଇସଲାମ । ଘର ତାଙ୍କର କୋଲକାତାରେ । ନା ଶେଖ ମଖବୁଲ ଇସଲାମ୍ । ଯାହାଙ୍କ ନାରୁ ହିଁ ଆପଣ ସବୁ କିଛି ଅନୁମାନ କରିସାରିବେଣି । ହେଲେ ମଥାରେ ଚନ୍ଦନ ଟିପା ସାଙ୍ଗକୁ ଧୋତି, ପାଇଜାମା । ତାଙ୍କ ସାଙ୍ଗକୁ କାନ୍ଧରେ ପଡିଛି ଓତରୀ । ବେଶ ତାଙ୍କର ଏହି ବେଶଭୂଷା ଦେଖି କେହି କହିବେନି ସେ ଜଣେ ମୁସଲମାନ ବୋଲି ।  ତେବେ ଦୀର୍ଘ ୩୩ ବର୍ଷ ହେଲା ସେ ପ୍ରଭୁ ଜଗନ୍ନାଥ ଉପରେ କରୁଛନ୍ତି ଗବେଷଣା ଓ ଜଗନ୍ନାଥଙ୍କୁ ନେଇ ଲେଖିଛନ୍ତି ଅନେକ ପୁସ୍ତକ ।

ତେବେ ଜଗନ୍ନାଥ ସଂସ୍କୃତିକୁ ସେ ଭଲ ପାଆନ୍ତି ଓ ସବୁ ଦିନ ସକାଳେ ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରନ୍ତି । ଜଣେ ମୁସଲିମ୍ ହେଲେ ମଧ୍ୟ ଜଗନ୍ନାଥଙ୍କ ପ୍ରତି ତାଙ୍କର ଏତେ ଭଲ ପାଇବା, ଭକ୍ତି ଦେଖି ଶଙ୍କରାଚାର୍ଯ୍ୟ ମଧ୍ୟ ତାଙ୍କୁ ପୁରସ୍କୃତ କରିଛନ୍ତି । ତେବେ ରଥଯାତ୍ରାରେ ଯେତେବେଳେ ଜଗନ୍ନାଥ ବଡ଼ ଦାଣ୍ଡକୁ ଆସିଥାନ୍ତି ସେତେବେଳେ ତାଙ୍କୁ ପୁରା ବିଶ୍ୱ ଦର୍ଶନ କରିଥାଏ । ତେଣୁ ମନ୍ଦିର ଭିତରକୁ ନ ଯିବାର ଦୁଃଖ ତାଙ୍କର ନାହିଁ ବୋଲି ସେ କହିଛନ୍ତି ।

ଭକ୍ତର ଡୋରିରେ ବନ୍ଧା ପରଂବ୍ରହ୍ମ ଶ୍ରୀଜଗନ୍ନାଥ । ଭକ୍ତଙ୍କ ପାଇଁ ଜଗତ ଠାକୁରଙ୍କ ଅନେକ ଲୀଳା । କେତେ ଯେ ଆଶା, ଅଭିମାନ ଓ ଅଭିଯୋଗ ଚକାଆଖିର ପାଦପଦ୍ମରେ ଆଜାଡି ଦିଏ ଭକ୍ତ । ମହାପ୍ରଭୁଙ୍କ ସେମିତି ଜଣେ ଭକ୍ତ ହେଉଛନ୍ତି ଶେଖ ମଖବୁଲ ଇସଲାମ୍ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like