ସ୍କୁଲ୍‌ରୁ ଭୋକିଲା ପେଟରେ ଘରକୁ ଫେରିଲେ ଛାତ୍ରଛାତ୍ରୀ, କୁକୁର ମୁହଁରେ ଢାଳିଦେଲେ ଖାଦ୍ୟ

ବାଲେଶ୍ୱର:ସ୍କୁଲ୍ ସାମ୍ନାରେ ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟ ଫିଙ୍ଗି ଦେଉଛନ୍ତି ? ପୁଣି କଟାଯାଇଥିବା ଆଳୁକୁ ଫିଙ୍ଗି ଦେଉଛନ୍ତି ମହିଳା ମାନେ । କୁଢ଼ କୁଢ଼ ଭାତ ସାଙ୍ଗକୁ ଅଣ୍ଡା, ଆଳୁ , ବିସ୍କୁଟ୍ ସବୁକୁ ଫିଙ୍ଗି ଦେଇଛନ୍ତି । ମଣିଷ ପାଇଁ ରନ୍ଧା ଯାଇଥିବା ଖାଦ୍ୟକୁ କୁକୁର ଖାଇବାରେ ବ୍ୟସ୍ତ । ଏ ଦୃଶ୍ୟକୁ ଦେଖିବା ପରେ କାହାର ବା ଦେହ ସହିବ ?

ସ୍କୁଲରେ ମଧ୍ୟାହ୍ନ ଭୋଜନକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଛି । ଅଭିଭାବକମାନେ ନିମ୍ନ ମାନର ଖାଦ୍ୟ ଅଭିଯୋଗ କରୁଥିବା ବେଳେ ଦାୟିତ୍ୱରେ ଥିବା ଏସଏଚଜି ମହିଳା କହିଛନ୍ତି ଖାଦ୍ୟ ସଠିକ୍ ପରିମାଣରେ ଦିଆ ଯାଉଛି । ହେଲେ ଏସଏମସି କମିଟି ଓ ଅଭିଭାବକ ମିଛରେ ଅଭିଯୋଗ କରୁଛନ୍ତି । ଏହି କଥାକୁ ନେଇ ଅଭିଭାବକ ଓ ଦାୟିତ୍ୱରେ ଥିବା ଏସଏଚଜି ମହିଳାଙ୍କ ମଧ୍ୟରେ ଯୁକ୍ତି ତର୍କ ବଢିଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ଫଳରେ ଛୁଆଙ୍କ ଖାଦ୍ୟକୁ ଗେଟ୍ ଆଗରେ ଫୋପାଡି ଥିଲେ ଅଭିଭାବକମାନେ ।

ଲୋକେ ଦିନରେ ଦୁଇ ଓଳି ଖାଇବା ପାଇଁ କେତେ ଯେ ସଂଘର୍ଷ କରୁଛନ୍ତି । ତଥାପି ପେଟପୂରା ଖାଦ୍ୟ ମିଳୁନି । ହେଲେ ଖାଦ୍ୟକୁ ଏପରି ବେଖାତିର୍ କରିବା କେତେଦୂର ଉଚିତ ? ଏସବୁ ଦେଖିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କାହିଁକି ଏଭଳି କରୁଛନ୍ତି ଏମାନେ ? ଆଳୁ ଦର ଆକାଶଛୁଆଁ ହୋଇଥିବା ବେଳେ ସେସବୁକୁ ଫିଙ୍ଗୁଛନ୍ତି କାହିଁକି ? ଏ ତ ଛାତ୍ରଛାତ୍ରୀମାନଙ୍କ ପାଇଁ ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟ । ଯାହାକୁ ଖାଇ ସ୍କୁଲ୍ରେ ପାଠ ପଢ଼ିଥାଆନ୍ତି ପିଲାମାନେ। କିନ୍ତୁ ଏଭଳି ଭାବେ ଖାଦ୍ୟକୁ ଫିଙ୍ଗିବା ପଛରେ ପ୍ରକୃତରେ କାରଣ କଣ ହୋଇ ଥାଇପାରେ ? କେଉଁଥି ପାଇଁ ଖାଦ୍ୟକୁ ଏତେ ଅବମାନନା… କାରଣ ଯାହା ହେଉନା କାହିଁକି ଏଭଳି ରାଗ କଣ ଖାଦ୍ୟ ଉପରେ ଶୁଝାଯାଏ ? ଖାଇବା ପାଇଁ ରହିଥିବା ଖାଦ୍ୟକୁ ଏଭଳି ଫିଙ୍ଗିବା କେତେଦୂର ଠିକ୍ ! ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖା ଦେଇଛି ଉତ୍ତେଜନା । ଆମେ ଆପଣଙ୍କୁ ଦେଖାଉଥିବା ଏ ଦୃଶ୍ୟ କୌଣସି ବାହାର ରାଜ୍ୟର ନୁହେଁ ଆଜ୍ଞା, ଇଏ ହେଉଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ ବାଞ୍ଚାନିଧି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରର । ଯେଉଁଠି ମଧ୍ୟାହ୍ନ ଭୋଜନ ଖାଦ୍ୟ କମ୍ ଦିଆଯାଉଥିବା ନେଇ ଅଭିଯୋଗ କରାଯାଇଛି ।

ସ୍କୁଲ ମଧ୍ୟାହ୍ନ ଭୋଜନରେ ଖାଦ୍ୟ ପରିମାଣ କମ୍ ଓ ଆଳୁ କମ୍ ପଡୁଥିବାରୁ ଖାଦ୍ୟ ନ ଖାଇ ଖାଲି ପେଟରେ ଘରକୁ ଫେରି ଆସିଥିଲେ ଛାତ୍ର ଛାତ୍ରୀ । ଅଭିଭାବକଙ୍କ କହିବା ଅନୁଯାୟୀ ଭାତ ଥିଲେ ଥରେ ତରକାରୀ ଦେଉଛନ୍ତି । ପଛରେ ମାଗିଲେ ନାହିଁ ବୋଲି କହୁଛନ୍ତି । ପିଲାମାନେ କଣ ଖାଲି ଭାତ ଖାଇବେ ? ପିଲା ଓ ଅଭିଭାବକ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣିବାକୁ ନାରାଜ । ତେଣୁ ତୋର ଦିନେକୁ ମୋର ଦିନେ କହି ସ୍କୁଲ ଆଗରେ ଖାଦ୍ୟକୁ ଫିଙ୍ଗି ଦିଆଗଲଶ । ଖାଲି ସେତିକି ନୁହେଁ ଅଭିଭାବକମାନେ ପିଲାଙ୍କୁ ବିସ୍କୁଟ ପ୍ୟାକେଟ ଦେଇ ସ୍କୁଲ୍ କୁ ଛୁଟି ମଧ୍ୟ କରି ଦେଇଥିଲେ । ତେବେ ପିଲା ଫେରିଯିବା ପରେ ତିଆରି ହୋଇଥିବା ଖାଦ୍ୟକୁ ଧରି ଗେଟ୍ ସାମନାରେ ବସି ରହିଲେ ଦାୟିତ୍ୱରେ ଥିବା ଏସଏଚଜିମହିଳାମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like