ଦାଦନ ଖଟିବାକୁ ଯାଇ ଘରକୁ ଫେରିଲାନି ପୁଅ, ଅର୍ଥ ଅଭାବରୁ ମା ଦେଖିପାରିଲାନି ପୁଅର ମଲା ମୁହଁ

ବାଙ୍ଗାଲୁରୁରେ ଯାଇ ଏକ ହୋଟେଲରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲା ପୁଅ। ହେଲେ ଟଙ୍କା ମାଗିବାରୁ ହୋଟେଲ ମାଲିକ ପୁଅକୁ ଏସିଡ୍ ପିଆଇ ମାରି ଦେଲା । ଏପରି କିଛି କହୁଛନ୍ତି ଏ ବାପା ଜଣକ।

ଭଦ୍ରକ : ପୁଅ ଘରକୁ ଫେରିଲେ ବାହାଘର ହେବ। ଜେଜେମା ନାତୁଣି ବୋହୁ ଦେଖିବ । ହେଲେ ସବୁ ଆଶା ଆଶାରେ ରହିଗଲା। ଦିନ ପରେ ଦିନ ବିତିଚାଲିଛି ହେଲେ ଘରେ ଅରନ୍ଧା ବଡ଼ା । କାହାରି ଆଖିରୁ ଶୁଖୁନି ଲୁହ । ପୁଅକୁ ଝୁରି ଝୁରି ମୁକ ପାଲଟି ଗଲାଣି ମା। ସେପଟେ ବ୍ୟାକୁଳ ଚିତ୍କାର କରୁଛି ବାପା। ବାପର ଦୁଃଖ ମୁଣ୍ଡକୁ ନେଇ ପୁଅ ବାହାର ରାଜ୍ୟକୁ ଯାଇଥିଲା ଦାଦନ ଖଟିବାକୁ। ଆଶା କରିଥିଲା ଦାଦନ ଖଟି ଗାଁରେ ଋଣ ସବୁ ସୁଝିବ ସେଥିପାଇଁ ସୁଦୁର ବାଙ୍ଗାଲୁରୁରେ ଯାଇ ଏକ ହୋଟେଲରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲା ପୁଅ। ହେଲେ ଟଙ୍କା ମାଗିବାରୁ ହୋଟେଲ ମାଲିକ ପୁଅକୁ ଏସିଡ୍ ପିଆଇ ମାରି ଦେଲା । ଏପରି କିଛି କହୁଛନ୍ତି ଏ ବାପା ଜଣକ। ଏପଟେ ଅର୍ଥ ଅଭାବରୁ ପୁଅର ମଲା ମୁହଁ ଟିକିଏ ଦେଖି ପାରିଲାନି ମା’ । ଖାଲି ଫଟୋକୁ ଧରି ଲୁହ ଗଡ଼ାଉଛି ।

ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରାଜଘର ପୋଖରୀ ପଂଚାୟତର ସାନମଛୁଆଘାଇ ଗ୍ରାମରେ। ଏହି ଗାଁର ଭଗବାନ ନାୟକଙ୍କ ସାନପୁଅ ଦୀପକ କୁମାର ନାୟକ ଗତ ୩ ମାସ ପୁର୍ବେ ବାଙ୍ଗାଲୁରୁରେ ରହୁଥିବା ବଡ ଭାଇ ପାଖକୁ ଦାଦନ ଖଟିବାକୁ ଯାଇଥିଲା । ଦେଢ ମାସ କେଉଁଠି ଏକ ସ୍ଥାନରେ କାର୍ଯ୍ୟ କରୁଥିବା ବେଳେ ସେଠାରେ ଦରମା ନପୁଷାଇବାରୁ ସେ ଏକ ହୋଟେଲରେ ମାସିକ ୧୮ ହଜାର ଟଙ୍କାର ରୋଷେୟା ଭାବେ କାର୍ଯ୍ୟ କରୁଥିଲେ । ଦେଢ ମାସ କାମ କରି ଦୀପକ ମାଲିକକୁ ଟଙ୍କା ମାଗିବାରୁ ମାଲିକ ଟଙ୍କା ଦେବା ପରିବର୍ତ୍ତେ ମାଡ ମାରୁଥିଲେ। ହେଲେ ଗତ ୧୦ତାରିଖ ଦୀପକ ଘରକୁ ଫେରିବା ପାଇଁ ମାଲିକ ନିକଟରେ କହିବାରୁ ମାଲିକ କିଛି ଗୁଣ୍ଡା ଲଗାଇବା ସହ ନିଜେ ଦୀପକକୁ ଏସିଡ୍ ପିଆଇ ଦେଇ ହୋଟେଲ ବନ୍ଦ କରି ହୋଟେଲ ମାଲିକ ଫେରାର ହୋଇଯାଇଥିଲେ । ଖବରପାଇ ବଡଭାଇ ହରିଶ୍ଚନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି ସାନଭାଇ ଦିପକକୁ ଧରି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୀର୍ଘ ୪ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଦୀପକ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇପଡିଥିଲା।

ପୁଅର ଏଭଳି ମୃତ୍ୟୁ ଖବର ଶୁଣି ବାପା ଭଗବାନ, ମା ଫୁଲମଣୀ ସମେତ ଜେଜେମା, ଭଉଣୀ ଧୈର୍ଯ୍ୟ ଧରି ପାରି ନଥିଲେ। ଭଗବାନଙ୍କ ପରିବାର ଗରିବ ଶ୍ରେଣିରେ ହୋଇଥିବାବେଳେ ଅର୍ଥ ଅଭାବରୁ ପୁଅର ମର ଶରୀର ଘରକୁ ଆଣିବା ସମ୍ଭବପର ହୋଇନଥିଲା । ସେଥିପାଇଁ ବଡ ଭାଇ ହରିଶ୍ଚନ୍ଦ୍ର ବାଙ୍ଗାଲୁରରେ ଶବ ବ୍ୟବଚ୍ଛେଦ ପରେ ସେହିଠାରେ ଶବ ସତ୍କାର କରିଦେଇଥିଲେ।

You might also like