ଓଡିଶାର ମଡର୍ଣ୍ଣ ଚାଟଶାଳୀ, ସିଲଟ ନୁହଁ ଟାବଲେଟ୍ ଧରି ହେଉଛି ପାଠପଢ଼ା
ଆଖପାଖର ଶହଶହ ଛାତ୍ରଛାତ୍ରୀ ପଢ଼ୁଛନ୍ତି

ସମୟ ଥିଲା ଯେବେ ପିଲା ଚାଟଶାଳୀରେ ପାଠ ପଢୁଥିଲେ । ଏବେ ଭଳି ସେତେବେଳେ ବଡ଼ ବଡ଼ କୋଠା ନଥିଲା । କେଉଁଠି ଗଛ ମୂଳେ ତ ଆଉ କେଉଁଠି ଚାଳିଆ ତଳେ ପିଲା ପାଠ ପଢୁଥିଲେ । ଓଡିଶାର ଗାଁ ଗହଳିରେ ଏବେ ବି ଅନେକ ଜାଗା ଅଛି, ଯେଉଁଠି ପୁରୁଣା ଚାଟଶାଳୀ ଭଳି ପାଠ ପଢା ହେଉଛି । କିନ୍ତୁ ଅଲଗା ଅନ୍ଦାଜରେ । ଯଦି ବିଶ୍ୱାସ ହେଉ ନାହିଁ, ଚାଲନ୍ତୁ ଯିବା ଯାଜପୁର ଜିଲ୍ଲାର କଣ୍ଟାବଣିଆର ସେହି ମଡର୍ଣ୍ଣ ଚାଟଶାଳୀକୁ । ଯେଉଁଠି ପିଲା ସିଲଟ ଖଡ଼ି ନୁହେଁ ହାତରେ ଟାବଲେଟ୍ ଧରି ପାଠ ପଢୁଛନ୍ତି ।
ପ୍ରକୃତିର ଛାତ ତଳେ ଆଧୁନିକତାର ଛୁଙ୍କ ଦିଆ ପାଠଶାଳା । କୌଣସି ଛାତ ତଳେ ନୁହେଁ ଗଛ ମୂଳେ ଚାଲୁଥିବା ପାଠଶାଳା । ଇଏ ହେଉଛି ଯାଜପୁର ଜିଲ୍ଲା ଦଶରଥ ପୁର କଣ୍ଟାବଣିଆ ଗାଁରେ ଥିବା ଏକ ଶିକ୍ଷାନୁଷ୍ଠାନ । ଯାହାର ନାଁ ହେଉଛି ଆଇ ବ୍ରେନ । ଶିକ୍ଷାନୁଷ୍ଠାନର ନାଁ ଭଳି ଏଠାକାର ପାଠପଢା ବି ସାଧାରଣ ଆଧୁୁନିକ । ଆଇବ୍ରେନର ପାଠ ପଢା ଦୃଶ୍ୟ ଦେଖି ଆପଣଙ୍କୁ ଯେତିକି ତାଜୁବ ଲାଗିବ, ଏଠି ଛାତ୍ରଛାତ୍ରୀଙ୍କ ପାଠ ପଢା ଶୈଳୀ ଆପଣଙ୍କୁ ତାଠୁ ଅଧିକ ଆଶ୍ଚର୍ୟ୍ୟ କରିବ । ଏଠି ଗଛ ତଳେ ରହି ପିଲାଙ୍କୁ ପାଠ ପଢୁଥିବା ଦେଖି ଆପଣ ଏହାକୁ ଏମିତି ସେମିତି ଶିକ୍ଷାନୁଷ୍ଠାନ ଭାବନ୍ତୁ ନି । ଗାଁର ଚାଟଶାଳୀର ଭ୍ରମ ସୃଷ୍ଟି କରୁଥିବା ଏହି ଶିକ୍ଷାନୁଷ୍ଠାରେ ପିଲା ଖାତା କଲମଠୁ ବେଶୀ, ହାତରେ ଟାବଲେଟ୍ ଧରି ପାଠ ପଢନ୍ତି ।
ଗାଁ ଭିତରେ ଶିକ୍ଷାନୁଷ୍ଠାନଟି ରହିଛି ସିନା ହେଲେ ଏଠାକାର ପାଠ ପଢାଶୈଳୀ ସମ୍ପର୍ଣ୍ଣ ସହର ଭଳି । କେବଳ ଏଠି ହାତରେ ଟାବଲେଟ ଧରି ଛାତ୍ରଛାତ୍ରୀଙ୍କୁ ପଢାଯାଏନି । ପିଲାଙ୍କ ବୌଦ୍ଧିକ ବକାଶ ପାଇଁ କମ୍ପ୍ୟୁଟର ଶିକ୍ଷା ମଧ୍ୟ ଦିଆଯାଏ । ଯେମିତି ସେମାନେ ଅନ୍ୟ ପିଲାଙ୍କ ଅପେକ୍ଷା ଅଧିକ ଆଡଭାନ୍ସ ହୋଇପାରିବେ । ପ୍ରତିଦିନ ଆଖପାଖର ଶହଶହ ଛାତ୍ରଛାତ୍ରୀ ଏମିତି ପରିବେଶରେ ହିଁ ଏଠି ପାଠ ପଢନ୍ତି । ଶିକ୍ଷାନୁଷ୍ଠାନର ଦେଖାଶୁଣା କରନ୍ତି ପ୍ରତାପ ଜୟ ଦାସ । ପ୍ରତାପ ଭୁବନେଶ୍ୱରର ଏକ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରୁଥିଲେ । ଏକ ଦୁର୍ଘଟଣା ପରୁଠୁ ସେ ଏହି ଶିକ୍ଷାନୁଷ୍ଠାନ ଖୋଲି ଆଖପାଖ ଅଞ୍ଚଳର ପିଲାଙ୍କୁ ଏଠି ପାଠ ପଢାଇ ଆସୁଛନ୍ତି ।
ଆଇ-ବ୍ରେନ ଏଭଳି ଏକ ଶିକ୍ଷାନୁଷ୍ଠାନ ଯେଉଁଠି ଗରିବ ଓ ମେଧାବୀ ପିଲାଙ୍କୁ ମାଗଣାରେ ପାଠ ପଢାଇଥାଏ । ବିଭିନ୍ନ ବିଷୟକୁ ନୂତନ ଜ୍ଞାନକୌଶଳ ମାଧ୍ୟମରେ ଏଠାରେ ପିଲାଙ୍କ ଆଗରେ ଉପସ୍ଥାପନ କରଯାଏ । ଯାହା ପିଲାଙ୍କ ଆଗରେ ପାଠ ପଢିବା ନେଇ ଆଗ୍ରହ ସୃଷ୍ଟି କରେ ।
ସ୍ୱତନ୍ତ୍ର ତାଲିମ ଯୋଗୁଁ ଏଠାକାର ଛାତ୍ରଛାତ୍ରୀ ନବୋଦୟ, ବିଭିନ୍ନ ଛାତ୍ରବୃତ୍ତି, କେନ୍ଦ୍ରୀୟ ବିଦ୍ୟାଳୟ ଭଳି ପ୍ରବେଶିକା ପରୀକ୍ଷାରେ କୃତକାର୍ୟ୍ୟ ହୋଇପାରୁଛନ୍ତି । ଯେଉଁଥିପାଇଁ ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରୁ ପିଲା ଏଠାକୁ ଚାଲି ଆସିଥାନ୍ତି ପାଠ ପଢିବାକୁ ।
ନୂତନ ଜ୍ଞାନକୌଶଳ ମାଧ୍ୟମରେ ପାଠ ପଢିବା ଗୋଟିଏ ସମୟରେ ଅଞ୍ଚଳ ପାଇଁ ସ୍ୱପ୍ନ ଥିଲା । ହେଲେ ପ୍ରତାପଙ୍କ ଏହି ମର୍ଡନ ଚାଟଶାଳୀ ସେହି ସମସ୍ତ ସ୍ୱପ୍ନକୁ ବାସ୍ତବ ରୂପ ଦେଇଛି । ପ୍ରତାପଙ୍କ ଏକ ମହତ୍ ଉଦ୍ଦେଶ୍ୟ ଯୋଗୁଁ ଆଜି ଅଞ୍ଚଳର ଶହଶହ ପିଲା ନିଜ ଭବିଷ୍ୟତ ଗଢିବାର ରାହା ପାଇଛନ୍ତି ।