ନିଜ ଛୁଆକୁ ବଞ୍ଚାଇବା ପାଇଁ ବିଦ୍ୟୁତ ତାରକୁ ଡେଇଁଲା ମାଆ

ଦୁନିଆରେ ସବୁ କିଛି ମିଳେ କିନ୍ତୁ ମାଆର ସ୍ନେହ ଆଉ ସ୍ଥାନ ଦ୍ୱିତୀୟ ଥର କେବେବି ମିଳେନାହିଁ। ଯିଏ ନିଜ ପିଲାର ମନ କଥାକୁ ବିନା କିଛି କହି ବି ବୁଝିପାରେ। ପିଲାଙ୍କ ସବୁ ଅଳି ଅର୍ଦ୍ଦଳୀକୁ ସହଜରେ ବୁଝିପାରି ସ୍ନେହ ଶ୍ରଦ୍ଧା ଅଜାଡି ଦିଏ ସେ ହେଉଛି ମାଆ। ତେଣିକି ସେ ମଣିଷ ହୁଅନ୍ତୁ ଅବା ପଶୁ। ମାଆ ପ୍ରେମର ଅର୍ଥ ଗୋଟିଏ ହିଁ ହୋଇଥାଏ। ମାଆ କେବେବି ନିଜ ପିଲାକୁ ଅସୁବିଧାରେ ଦେଖିପାରେନା। ଦୁନିଆରେ ସେହି ମାଆ ହିଁ ଏକମାତ୍ର ଜଣେ, ଯେ ନିଜ ଜୀବନକୁ ବାଜି ଲଗାଇଦିଏ ନିଜ ପିଲାର ଜୀବନ ବଞ୍ଚାଇବା ପାଇଁ କେତେ କଣ ଯେ କରିପାରେ ତାହା ଆପଣ ଏ ଭିଡିଓ ଦେଖିଲେ ଜାଣିପାରିବେ।

ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଆଉ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ ବି କରୁଛନ୍ତି। ଆପଣ ଦେଖିପାରୁଥିବେ ଯେ ଗୋଟେ ମାଙ୍କଡ ଛୁଆଟି ବିଦ୍ୟୁତ୍‌ ତାର ଉପରେ ଚଢ଼ିଯାଇଛି। ଆଉ ସେଠୁ ସେ ଆସିବାକୁ ବହୁତ ଚେଷ୍ଟା କରୁଛି କିନ୍ତୁ ବାଟ ପାଉନି। କିଛି ଦୂରରେ ଥିବା ଏକ ବିଲ୍ଡିଙ୍ଗ ଉପରେ ସେଠାରେ କିଛି ସାଥି ମାଙ୍କଡ ବି ଏ ଦୃଶ୍ୟକୁ ଦେଖୁଛନ୍ତି କିନ୍ତୁ ସେମାନେ କେମିତି ରକ୍ଷା କରିବେ ବୁଝି ପାରୁନାହାଁନ୍ତି। ଏପଟେ ତାରରୁ ଝୁଲି ରହିଥିବା ମାଙ୍କଡଟି ସାହାଯ୍ୟ ପାଇଁ ଛଟପଟ ହେଉଛି।

କିନ୍ତୁ ଠିକ ଏହି ସମୟରେ ମାଆ ମାଙ୍କଡ ଧାଇଁ ଆସିଲା ଆଉ ନିଜ ପିଲାକୁ ଏପରି ଅବସ୍ଥାରେ ଦେଖି ବ୍ୟସ୍ତ ହୋଇପଡିଲା। ପ୍ରଥମେ ସେ ଚାରିଆଡକୁ ଚାହିଁଲା ଏବଂ କାହାର ସାହାଯ୍ୟକୁ ଅପେକ୍ଷା ନକରି ନିଜେ ଚିନ୍ତା କଲା କେମିତି ନିଜ ଛୁଆର ଜୀବନ ବଞ୍ଚାଇବ। କାଳ ବିଳମ୍ବ ନକରି ନିଜେ ଡେଇଁପଡିଲା ଛୁଆ ଝୁଲୁଥିବା ସେହି ତାର ଉପରକୁ। ଛୁଆକୁ ଟାଣି ଆଣିବାକୁ ଚେଷ୍ଟା କଲା କିନ୍ତୁ ପାରିଲାନି। ପୁର୍ନବାର ସେହି ତାର ଉପରକୁ ଡେଇଁ ଛୁଆକୁ ଟାଣି ଆଣି ଛାତିରେ ଆଉଜି ଆଖିପିଛୁଳାକେ ବିଲ୍ଡିଙ୍ଗ୍‌ ଉପରକୁ ଡେଇଁ ଚାଲିଆସିଲା।

ଏହି ଭିଡିଓକୁ ଆଇଏଫଏସ ଅଫିସର ରୂପିନ୍‌ ଶର୍ମା ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ତେବେ ଏହି ପୂରା ଦୃଶ୍ୟ ଦେଖିଲା ପରେ ଏହା ପୁଣି ଥରେ ପ୍ରମାଣିତ ହୋଇଗଲା ଯେ ମାଆ ତାର ଜୀବନକୁ କେମିତି ବାଜି ଲଗାଇ ନିଜ ଛୁଆର ଜୀବନକୁ ବଞ୍ଚାଏ। ଭାଇରାଲ ହେଉଥିବା ଏହି ଭିଡିଓ ହିଁ ବଖାଣୁଛି ଯେ ଜଣେ ମାଆ ନା କେବଳ ସ୍ନେହ, ପ୍ରେମ, ମମତା ଦିଏ ବରଂ ପରିସ୍ଥିତିର ମୁକାବିଲା କରି ବାହାଦୁରୀର ସହ ସାହସ ବି ଦେଖାଏ। ନିଜ ପିଲା ପାଇଁ କିଛି ବି କରିବାକୁ ଅଣ୍ଟା ଭିଡି ଠିଆ ହୋଇଯାଏ ମାଆ। ସେଥିପାଇଁ ହିଁ କୁହାଯାଏ ମାଆ ସର୍ବଂସହା, ମାଆ ଯାହାର ନାହିଁ ସାହା ତାହାର ନାହିଁ। ଯେଉଁମାନେ ନିଜ ବାପା ମାଆଙ୍କୁ ପରିଣତ ବୟସରେ ସେବା କରିବା ବଦଳରେ ହତାଦର ଅନାଦର କରୁଛନ୍ତି ସେମାନେ ମାଆ ବାପାଙ୍କ ତ୍ୟାଗ ଆଉ ମୂଲ୍ୟ ଥରେ ନିଶ୍ଚୟ ବୁଝିଯାଓ। ଆଉ ନିଜ ବାପା ମାଆଙ୍କ ସେବା କର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.