ଗରିବୀ ଆଗରେ ହାର ମାନିଗଲା ମା’ର ମମତା, ଟଙ୍କା ଅଭାବରୁ ମା’ ନିଜ ମାତୃତ୍ଵକୁ ବିକ୍ରି କରିବାକୁ ବି ପଛାଇଲାନି

ବଲାଙ୍ଗିର: ଅଭିଯୋଗ ସତ କିନ୍ତୁ ସାଂଘାତିକ । ଯାହା ବିଷୟରେ ଶୁଣିଲେ ଆପଣ ବି ଚକିତ ହୋଇଯିବେ । ସତରେ କ’ଣ ନିଜ ନବଜାତ ଶିଶୁ ପୁତ୍ରକୁ ବିକ୍ରି କରିପାରେ ଜନ୍ମଦାତ୍ରୀ ମା । ସେ ବି ପୁଣି ସାମାନ୍ୟ କେଇଟା ଟଙ୍କା ପାଇଁ । ଏ କେମିତିକା ମା’ ଯିଏ ନିଜ ଛୁଆକୁ ଟଙ୍କା ଅଭାବ ଯୋଗୁଁ ପର ହାତକୁ ଟେକିଦେଲା । ୧୦ ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା । କେତେ ଯେ କଷ୍ଟ ଯନ୍ତ୍ରଣା ସହିଥିଲା । ହେଲେ ଶେଷରେ ଗରିବୀ ରାକ୍ଷସ ଆଗରେ ହାର ମାନି ଯାଇଥିଲା ମା’ର ମମତା । ଟଙ୍କା ଅଭାବରୁ ଗୋଟିଏ ମା’ ତାର ମାତୃତ୍ଵକୁ ବିକ୍ରି କରିବାକୁ ବି ପଛାଇଲାନି । ଏଇ ଟଙ୍କା ଆଗରେ ସତେ ଯେମିତି ସବୁ ତୁଚ୍ଛ ।
ବଲାଙ୍ଗିର ସହରର ମାଲପଡାରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଜଣେ ମହିଳା ଗତ ୬ ତାରିଖ ରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପରେ ବଲାଙ୍ଗିର ଭିମଭୋଇ ମେଡିକାଲ କଲେଜ ଡାକ୍ତର ଖାନାକୁ ଗଲେ । ଶିଶୁପୁତ୍ରକୁ ହସ୍ପିଟାଲରେ ତିନିଦିନ ରଖିବା ପରେ ୮ ତାରିଖ ଦିନ ଡିସଚାର୍ଜ କରାଗଲା । ହେଲେ ନିଜ ନବଜାତ ଛୁଆକୁ ଘରକୁ ନଆଣି ଟିଟିଲାଗଡର ଜଣେ ମହିଳାଙ୍କୁ ଦେଇଦେଲେ ଖୋଦ ଜନ୍ମଦାତ୍ରୀ ମା । ଏହି ଘଟଣା ଜଣାପଡିବା ପରେ ଶିଶୁ ବିକ୍ରି ପାଇଁ ୨୦ ହଜାର ଟଙ୍କା ଡିଲ ହୋଇଥିବା ଜାଣିବାକୁ ପାଇଥିଲା ଜିଲ୍ଲା ଶିଶୁ ମଙ୍ଗଳ ସମିତି ।
ହେଲେ ଜନ୍ମଦାତ୍ରୀ ମା କହିଛି ଗରିବି ପାଇଁ ସେ ନିଜ ନବଜାତ ଶିଶୁକୁ ଅନ୍ୟ ହାତରେ ଟେକି ଦେଇଛି । ଘଟଣାର ତଦନ୍ତ ପରେ ଏବେ ଟିଟିଲାଗଡରୁ ହେଲା ଉଦ୍ଧାର ଶିଶୁ ପୁତ୍ର । ଗତକାଲି ନବଜାତ ଶିଶୁ ପୁତ୍ର ବିକ୍ରି ନେଇ ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଶିଶୁ ମଙ୍ଗଳ ସମିତି । ତଦନ୍ତ କରୁଥିବା ସ୍ଵତନ୍ତ୍ର ଟିମ ଟିଟିଲାଗଡରୁ ଶିଶୁକୁ ଉଦ୍ଧାର କରିଥିବା ବେଳେ ବଲାଙ୍ଗିର ଜିଲ୍ଲା ଶିଶୁ ମଙ୍ଗଳ ସମିତି ହାତରେ ଲାଗିଛି ସାଂଘାତିକ ତଥ୍ୟ । ସମିତିର ଅଧ୍ୟକ୍ଷ କହିଛନ୍ତି ବଲାଙ୍ଗିର ଜିଲ୍ଲାରୁ ଅନେକ ଶିଶୁ ବିକ୍ରି ହୋଇଛନ୍ତି । ଶିଶୁ ବିକ୍ରି ପାଇଁ ଏକ ରାକେଟ କାମ କରୁଛି ।
ବଲାଙ୍ଗିରରେ କାମ କରୁଛି ଶିଶୁ ବିକ୍ରି ରାକେଟ । ଯଦି ଏହା ସତ୍ୟ ତେବେ ଖୁବ ସାଂଘାତିକ । ଆଉ ଟିଟିଲାଗଡ ଓ ପାଟଣାଗଡ ସାଜିଛି ନବଜାତ ଶିଶୁ ବିକ୍ରି ହବ୍ । ଏହା ସହିତ ଅଭିଯୋଗ କରିଛନ୍ତି ବିଭାଗର ବଡ ବାବୁ ମାନେ ଏହି ସମ୍ୱେଦନଶୀଳ ଘଟଣାରେ ସଠିକ ତଦନ୍ତ କରୁନାହାନ୍ତି । ଏବେ ବଲାଙ୍ଗିର ଜିଲ୍ଲାରୁ ଅନେକ ଶିଶୁ ବିକ୍ରି ହୋଇଥିବା କହିବା ପରେ ଏହି ଘଟଣା ଏବେ ସଂଘାତିକ ମୋଡ଼ ନେଇଛି । ଅପରପକ୍ଷେ ତଦନ୍ତ ପରେ ଘଟଣାର କାର୍ଯ୍ୟାନୁଷ୍ଠାନ ହେବ ବୋଲି ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ସେ ଘଟଣା ଯାହାବି ହେଉ । ଜଣେ ଜନ୍ମଦାତ୍ରୀ ମା କିଭଳି ନିଜ ନବଜାତ ଶିଶୁ ପୁତ୍ରକୁ ଅନ୍ୟ ହାତରେ ଟେକି ଦେଇଛି ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ତେବେ ବଲାଙ୍ଗିର ଜିଲ୍ଲାରେ ଏଭଳି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ଘଟିଥିବାରୁ ଏନେଇ ସଠିକ ତଦନ୍ତର ଆବଶ୍ୟକତା ରହିଛି । ଅନ୍ୟପଟେ ଟଙ୍କା ନେଇ ପିଲାକୁ ଦେବା କଥା ସ୍ୱୀକାର କରିଛି ନିଜେ ଜନ୍ମଦାତ୍ରୀ ମା’ । ସାମାନ୍ୟ ଟଙ୍କା କେଇଟା ପାଇଁ ଏମିତି ନିଜ ଜନ୍ମିତ ଛୁଆକୁ ବିକି ଦେବା କଥା ସତରେ ନିନ୍ଦନୀୟ ଘଟଣା ।
Also read: ଶଶ୍ମାନରୁ ଶବ ଗାଏବ, ପୋତାଯାଇଥିବା ଶବ ନେଇଗଲେ ଦୁର୍ବୃତ୍ତ