ମା’ର ଅକୁହା ବେଦନା ! ଭୋକିଲା ଛୁଆଙ୍କୁ ଦାନା ଦେବା ପାଇଁ ଲଣ୍ଡା ହୋଇ ୧୫୦ ଟଙ୍କାରେ କେଶ ବିକିଲେ ମହିଳା

ଦୁନିଆରେ କେବଳ ମା ହିଁ ଜଣେ ଯିଏ କି ପିଲାର ମୁହଁ ଦେଖି ତାର ମନ କଥା ବୁଝିପାରେ। ମା ନିଜେ ଭୋକିଲା ରହି ତା ପିଲାକୁ ଖାଦ୍ୟ ଦିଏ। କଥାରେ କୁହାଯାଏ ଯେ ଯାହାର ମାଆ ନାହିଁ ତାର ସାହା ନାହିଁ। ପିଲାମାନେ ଦୁଃଖରେ ରହିଥିଲେ ମାକୁ ଆଦୌ ଭଲ ଲାଗେନାହିଁ। ପିଲାମାନଙ୍କୁ ସବୁ ସମସ୍ୟାରୁ ରକ୍ଷା କରିବା ପାଇଁ କେବଳ ମା’ ହିଁ ଜଣେ ଯିଏ ସବୁ କିଛି କରିପାରେ। ଜଣେ ମା’କୁ ଯେତେ ନିର୍ଯାତନା, କଷ୍ଟ, ଯନ୍ତ୍ରଣା ଦିଅ ସେ ସହିଯିବ କିନ୍ତୁ ତା’ ଭୋକିଲା ଛୁଆର କାନ୍ଦକୁ କେବେ ସହିପାରିବ ନାହିଁ । ଆଉ ଏ କଥା ବି ସତ ଯେ ପେଟରେ ଯେତେବେଳେ ଭୋକ ଥାଏ ମଣିଷ ସୁନ୍ଦରତାକୁ ତୁଚ୍ଛ ମଣେ । ଆଜି ଆମେ ଏମିତି ଜଣେ ମା’ଙ୍କ ବିଷୟରେ ଜଣାଇବୁ, ଯିଏ ତାଙ୍କର ତିନୋଟି ଛୁଆଙ୍କ ମୁହଁରେ ଦାନା ଦେବା ପାଇଁ ନିଜ ସୁନ୍ଦରତାକୁ ତୁଚ୍ଛ ମନେ କରିଛନ୍ତି।

motherତାମିଲନାଡୁର ସଲେମ ସହରରେ ଏକ ଏମିତି ମାମଲା ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ସମସ୍ତଙ୍କୁ ମନ ହେବ ସେହି ମା’କୁ ସଲାମ କରିବା ପାଇଁ। ଏଠାରେ ରହୁଥିବା ପ୍ରେମା ନାମ୍ନୀ ଜଣେ ୩୧ ବର୍ଷିୟା ମହିଳାଙ୍କୁ ନିଜ ଛୁଆର ଭୋକରେ ଆଉଟୁ ପାଉଟୁ ହେବାର ଦ୍ରୁଶ୍ୟ ସହ୍ୟ ହେଲାନାର୍ହି। ସେ ବୁଝି ପାରନଥିଲେ କଣ କରିବେ, ଧାର କରଜ କରି ଖାଇବାକୁ ସେ ଚାହୁଁନଥିଲେ। ପିଲାଙ୍କ ମୁହଁରେ ଟିକେ ଆହାର ଦେବା ପାଇଁ ଯେତେବେଳେ ପ୍ରେମାଙ୍କୁ କିଛି ବୁଦ୍ଧି ଦିଶିଲାନାହିଁ ସେତେବେଳେ ସେ ନିଜ ମୁଣ୍ଡର ସବୁ କେଶକୁ ୧୫୦ ଟଙ୍କାରେ ବିକ୍ରି କରି ନିଜ ଛୁଆର ମୁହଁରେ ଆହାର ଦେଇଛନ୍ତି। ପ୍ରେମାଙ୍କ ଘରେ କିଛି ବି ଖାଇବାକୁ ନଥିଲା ନା ତାଙ୍କ ପାଖରେ ଟଙ୍କାଟିଏ ବି ଥିଲ ଯାଇ ବଜାରରୁ କିଛି କିଣିପାରିବେ। ତାଙ୍କର ତିନି ଜଣ ଛୋଟ ଛୋଟ ଛୁଆ ଭୋକରେ ଆଉଟୁ ପାଉଟୁ ହେଉଥିଲେ। ଏହା ଦେଖି ସେ ତାଙ୍କର ପଡୋଶୀ ଏବଂ ସମ୍ପର୍କୀୟଙ୍କୁ ସାହାଯ୍ୟ ମାଗିଲେ କିନ୍ତୁ କେହି ତାଙ୍କୁ ସାହାଯ୍ୟ କଲେ ନାହିଁ।

maaତିନି ଛୁଆ ଏବଂ ସ୍ୱାମୀଙ୍କୁ ନେଇ ଥିଲା ତାଙ୍କର ପରିବାର। ପ୍ରେମା ଏବଂ ତାଙ୍କ ସ୍ୱାମୀ ଦିହାଡି ଦିନ ମଜୁରିଆ ଭାବେ ଏକ ଇଟା ଭାଟିରେ କାମ କରୁଥିଲେ। ପ୍ରେମାଙ୍କ ସ୍ୱାମୀ ନିଜେ ଏକ ବ୍ୟବସାୟ କରିବା ପାଇଁ ପ୍ରାୟ ୨ଲକ୍ଷ ୫୦ ହଜାର ଟଙ୍କା ଉଧାର ନେଇଥିଲେ। କିନ୍ତୁ ବେପାର ପୂରା ବୁଡିଗଲା। କରଜର ବୋଝକୁ ଶୁଝିନପାରି ତାଙ୍କ ସ୍ୱାମୀ ୭ ମାସ ପୂର୍ବରୁ ଆତ୍ମହତ୍ୟା କରିଥିଲେ । ସ୍ୱାମୀ ଯିବା ପରେ ପରିବାରର ଅବସ୍ଥା ଶୋଚନୀୟ ହୋଇପଡିଲା ।

ପିଲାଙ୍କ ପେଟରେ ଦାନା ଦେବା ପାଇଁ ପ୍ରେମା ଜାଣିପାରୁନଥିଲେ କଣ କରିବେ। ଏହି ସମୟରେ ସେଠାରେ ଯାଉଥିବା ଜଣେ ବ୍ୟକ୍ତି ତାଙ୍କୁ ଟଙ୍କା ଦେବା ପାଇଁ କହିଲେ । କିନ୍ତୁ ଏହା ବଦଳରେ ସେ ତାଙ୍କ ଲମ୍ବା କେଶ ୱିଗ୍ ପ୍ରସ୍ତୁତ କରିବା ପାଇଁ କାଟିବାକୁ କହିଥିଲେ । ଏହି କଥା ଶୁଣିବା ପରେ ପ୍ରେମା ଲଣ୍ଡା ହୋଇ ତାଙ୍କର ସବୁ ଚୁଟିକୁ ୧୫୦ ଟଙ୍କାରେ ବ୍ୟକ୍ତି ଜଣଙ୍କୁ ବିକ୍ରି କରିଦେଲେ । ୧୦୦ ଟଙ୍କାର ଖାଦ୍ୟ କିଣିବା ପରେ ୫୦ ଟଙ୍କାର କୀଟନାଶକ ଔଷଧ କିଣିବାକୁ ଚାଲିଗଲେ ପ୍ରେମା। ସେ ଭାବିଲେ ପିଲାଙ୍କୁ ଖାଦ୍ୟ ଖୁଆଇବା ପରେ ଆତ୍ମହତ୍ୟା କରିବେ। ପ୍ରେମାଙ୍କୁ ଔଷଧ ଦୋକାନୀ ସନ୍ଦେହ କରି କୀଟନାଶକ ଦେବାକୁ ମନା କରିଦେଲେ।

maaପାଖ ଦୋକାନରେ ଥିବା ଗ୍ରାଫିକ୍ସ ଡିଜାଇନର୍ ବାଲାଙ୍କୁ ଯେତେବେଳେ ଏହି କଥା ଜଣାପଡିଲା ସେ ସୋସିଆଲ୍ ମିଡିଆରେ ସାହାଯ୍ୟ ପାଇଁ କ୍ରାଉଡ୍ ଫଣ୍ଡିଙ୍ଗ୍ ନାମକ ଏକ ପେଜ୍ ପ୍ରସ୍ତୁତ କଲେ । ଏହାପରେ ଅନେକ ଲୋକ ପ୍ରେମାଙ୍କୁ ସାହାଯ୍ୟ କରିବା ପାଇଁ ଆଗଭର ହେଲେ। କିଛି ଉଦାର ଲୋକଙ୍କ ଯୋଗୁଁ ଅସହାୟ ବିଧବା ମହିଳା ପ୍ରେମାଙ୍କ ପାଖରେ ୧.୪୫ ଲକ୍ଷ ଟଙ୍କାର ସାହାଯ୍ୟ ମିଳିପାରିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ମାସିକ ବିଧବା ଭତ୍ତା ମଧ୍ୟ ମିଳିଛି । ଗୋଟିଏ ଇଟା ଭାଟିରେ ତାଙ୍କୁ କାମ କରିବାର ମଧ୍ୟ ସୁଯୋଗ ମିଳିଛି।

ପ୍ରେମାଙ୍କ ଆତ୍ମବିଶ୍ୱାସ ଏବେ ଏତେ ବଢିଯାଇଛି ଯେ ସେ ବାଲାଙ୍କୁ ଫେସବୁକ୍ ରେ ସାହାଯ୍ୟ ମାଗିବାକୁ ମନା କରିଛନ୍ତି । ଅସହାୟ ସମୟରେ ଯେଉଁମାନେ ତାଙ୍କୁ ସାହାଯ୍ୟ କରିଛନ୍ତି ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ରୋଜଗାର କରି ପିଲାଙ୍କୁ ଉଚ୍ଚଶିକ୍ଷା ଦେଇ ଅଭାବ ଏବଂ ଦାରିଦ୍ର୍ୟରୁ ଦୂର କରିବାକୁ ଚାହୁଁଛନ୍ତି ଏବଂ କହିଛନ୍ତି ସେ କେବେବି ଏହାପରେ ଆତ୍ମହତ୍ୟା କଥା ଚିନ୍ତା ବି କରିବେ ନାହିଁ ଏବଂ ନିଜ ପିଲାର ଉତ୍ତମ ଭବିଷ୍ୟତ ବନାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.