ନବୀନ ଆମ ପୁଅ ଠୁ ଅଧିକ ଥିଲେ, ଏକଥା କହି କାନ୍ଦୁଛନ୍ତି ମାଆ ମାନେ

ଆଖିରେ ଲୁହର ଧାର । ନବୀନଙ୍କ ଫଟୋ ଆଗରେ କାନ୍ଦୁଛନ୍ତି ଜଣେ ମା । କହୁଥିଲେ…ପୁଅ ଥିଲା ଆମର । ଦୁଃଖରେ ସୁଖରେ ସବୁଥିରେ ଆମ ପାଖରେ ଛିଡ଼ା ହେଉଥିଲେ ।‘ପୁଅ ନପଚାରୁ ପଛେ ନବୀନ ହିଁ ପୁଅ ଭଳି ସବୁ ବୁଝୁଥିଲେ’ । ଆମ ପେଟ କଥା ଚିନ୍ତା କରୁଥିଲେ । ବୃଦ୍ଧ କାଳେ ଆମର ସାହାରା ଥିଲେ ସେ । ଏବେ ଆମ ଦୁଃଖ ଶୁଣିବ କିଏ । ଏଇ କଥା କହି ଆଖିରୁ ଲୁହ ଗଡ଼ାଉଛନ୍ତି ଏଇ ବୟସ୍କ ମହିଳାମାନେ ।
ନିର୍ବାଚନରେ ବିଜେଡି ହାରିଗଲା । ସେ ଦୁଃଖ ଏମାନଙ୍କର ଯେତିକି ନାହିଁ ନବୀନ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି ସେକଥା ସେମାନଙ୍କୁ ଅଧିକ କଷ୍ଟ ଦେଇଛି । ମୁଖ୍ୟମନ୍ତ୍ରୀ ପଦରୁ ନବୀନ ଇସ୍ତଫା ଦେବା ପରେ ବାହୁନି କାନ୍ଦୁଛନ୍ତି ଗାଁ ଲୋକେ । ଗାଁ ଠୁ ସହର ସବୁଠି ସାଧାରଣ ଲୋକଙ୍କୁ ଖୁବ୍ ବାଧିଛି । ତାଙ୍କ ପୋଷ୍ଟରକୁ ଲୋକେ ଆଉଁସି ବାହୁନି ବାହୁନି କାନ୍ଦୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗାଁର ବୃଦ୍ଧାମାନେ ତାଙ୍କୁ ମନେ ପକାଇ ଲୁହ ଗଡ଼ାଉଛନ୍ତି । ଇଏ ହେଉଛି ନବୀନଙ୍କ ଲୋକପ୍ରିୟତା ।ଅନେକ ଲୋକହିତକର ଯୋଜନା ସାଧାରଣ ଲୋକଙ୍କ ପାଇଁ କରିଥିଲେ ନବୀନ । ତେବେ ତାଙ୍କର ବ୍ୟକ୍ତିତ୍ୱ ଥିଲା ସମସ୍ତଙ୍କର ପ୍ରିୟ ।
ରାଜନୀତି କ୍ଷେତ୍ରରେ ଯାହା ବି ଓଲଟ ପାଲଟ ହେଉ କିନ୍ତୁ ନବୀନଙ୍କୁ ଭଲ ପାଆନ୍ତି ସମସ୍ତେ । ତାଙ୍କ ନିର୍ମଳ ଭାବମୂର୍ତ୍ତି, କାହା ବିରୋଧରେ ପଦେ ନକହିବା ଆଦି କଥାକୁ ଲୋକେ ପସନ୍ଦ କରନ୍ତି । ତେଣୁ ଆଜି ସବୁ ଜାଗାରେ ତାଙ୍କୁ ନେଇ ଚର୍ଚ୍ଚା । କାରଣ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ଲୋକେ ତାଙ୍କ ସହ ଅଭ୍ୟସ୍ତ ହୋଇ ସାରିଥିଲେ । ଏବେ ଲାଗୁଛି ଯେମିତି ସେ ଅଲଗା ହୋଇଗଲେ ।